୧ ଲକ୍ଷରୁ ଊର୍ଦ୍ଧ୍ବ ଶିକ୍ଷକ ଅସନ୍ତୁଷ୍ଟ

ଦାବି ପୂରଣ ନ ହେଲେ ବ୍ଲକସ୍ତରରୁ ଆନ୍ଦୋଳନ

ଭୁବ‌େ‌ନଶ୍ବର: ରାଜ୍ୟ ସରକାର ସମସ୍ତ ବର୍ଗର କର୍ମଚାରୀଙ୍କ ଠିକା ନିଯୁକ୍ତି ନିୟମ ଉଚ୍ଛେଦ କରି ଠିକା ନିଯୁକ୍ତ ସମୟକୁ ମୂଳ ଚାକିରିରେ ଗଣନା କରିବାକୁ ଘୋଷଣା କରିଛନ୍ତି; ହେଲେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଉକ୍ତ ନିୟମରୁ ଦୂରେଇ ରଖିଥିବାରୁ ରାଜ୍ୟରେ କାର୍ଯ୍ୟରତ ୧ ଲକ୍ଷରୁ ଊର୍ଦ୍ଧ୍ବ ଶିକ୍ଷକ ଅସନ୍ତୁଷ୍ଟ ହୋଇଛନ୍ତି।
ଶନିବାର ଭୁବନେଶ୍ବରସ୍ଥିତ ଶିକ୍ଷକ ଭବନରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଦାବି ସମ୍ପର୍କରେ ଆଲୋଚନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମୟ ମଗାଯାଇଛି। ସରକାର ତୁରନ୍ତ ପ୍ରାଥମିକ ଶିକ୍ଷକଙ୍କ ଦାବି ମାନି ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ସଂଘର ମହାସଚିବ ଅମିୟ କୁମାର ଦାଶ। ଦାବି ପୂରଣ ନ ହେଲେ ବ୍ଲକସ୍ତରରୁ ଆନ୍ଦୋଳନ ଆରମ୍ଭ ହୋଇ ରାଜ୍ୟସ୍ତରରେ ତୀବ୍ରତର କରାଯିବାକୁ ନିଷ୍ପତ୍ତି ହୋଇଛି। ସଂଘର ସଭାପତି ହୃଦାନନ୍ଦ ଦ୍ୱିବେଦୀଙ୍କ କହିବା କଥା, ୨୦୦୧ଠାରୁ ସରକାର ଶିକ୍ଷା ସହାୟକ ନିଯୁକ୍ତି ଦେଇଥିଲେ। ସ୍ୱଳ୍ପ ଦରମାରେ ୬ ବର୍ଷ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରିବା ପରେ ନିୟମିତ ହୋଇଥିଲେ। ସରକାର ସମସ୍ତ ବର୍ଗର ଠିକା ନିଯୁକ୍ତିକୁ ନିୟମିତ କରିଥିବାବେଳେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଅନ୍ତର୍ଭୁକ୍ତ କରିନାହାନ୍ତି। ବୈଠକରେ ସଂଘ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ଅଜୟ କୁମାର ଧଳ, ଉମେଶ ଚନ୍ଦ୍ର ନାୟକ, ଡା. ଦେବେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.