ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ବେଗୁନିଆ ବ୍ଲକ ଆଗରେ ବିକ୍ଷୋଭ; ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ବେଗୁନିଆ: ଏସୟୁସିଆଇ(କମ୍ୟୁନିଷ୍ଟ) ଖୋର୍ଦ୍ଧା ଆଞ୍ଚଳିକ କମିଟି ପକ୍ଷରୁ ଆଜି ବେଗୁନିଆ ଥାନା ଛକ ଠାରୁ ଏକ ରାଲି ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ବହୁ ମହିଳା ଏବଂ ପୁରୁଷ ମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟ ଦ୍ରବ୍ୟ, ପେଟ୍ରୋଲ ଡିଜେଲର ଆକାଶଛୁଆଁ ଦର ବୃଦ୍ଧିର ପ୍ରତିବାଦ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଭୂମିହୀନ ମାନଙ୍କୁ ଜମି ପଟ୍ଟା ଓ ବିଭିନ୍ନ ଯୋଜନାରେ ସେମାନଙ୍କୁ ପକ୍କା ଘର ଯୋଗାଇ ଦେବା, ନିର୍ମାଣଶ୍ରମିକ କାର୍ଡ କରି ମଧ୍ୟ ଅନଲାଇନ ମାଧ୍ୟମରେ କାମ ହେଉଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଅଫ ଲାଇନ ମାଧ୍ୟମରେ କାମ କରିବା ପାଇଁ ଦାବି କରିଛନ୍ତି । ଏହା ସହିତ ଜାତି ପ୍ରମାଣ ପତ୍ର ନଥିବାରୁ ବହୁ ହଇରାଣ ହରକତ ହେଉଛନ୍ତି । ତେଣୁ ଜାତିଗତ ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି । ଏତଦ୍ ବ୍ୟତୀତ ମଦ ଓ ବିଭିନ୍ନ ମାରାତ୍ମକ ନିଶା ଦ୍ରବ୍ୟ ସେବନ ଯୋଗୁଁ ମହିଳା ମାନେ ହିଂସାର ଶିକାର ହେବା ସହ ଦୁଷ୍କର୍ମ ଏବଂ ଏସିଡ ମାଡ଼ ତଥା ହତ୍ୟାର ଶିକାର ହେଉଛନ୍ତି । ସରକାର ମଦକୁ ବନ୍ଦ କରିବା ପରିବର୍ତ୍ତେ ବିଭିନ୍ନ ବାଟରେ ପ୍ରୋତ୍ସାହନ ଯୋଗାଉଛନ୍ତି । ତେଣୁ ତୁରନ୍ତ ଏହାକୁ ବନ୍ଦ କରାଯାଉ ବୋଲି ମହିଳା ମାନେ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଖୋର୍ଦ୍ଧା ଆଞ୍ଚଳିକ କମିଟି ସମ୍ପାଦକ ଅଶୋକ ସାହୁ, ଜୟନ୍ତ ମହାନ୍ତି, ସଂଘମିତ୍ରା ମହାପାତ୍ର, ବିଜୟ ପ୍ରଧାନ, ସନ୍ତୋଷ ପୃଷ୍ଟି, ନେତ୍ରାନନ୍ଦ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ସରକାର ଯଦି ତୁରନ୍ତ ଏହି ସବୁ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବକ୍ତା ମାନେ କହିଥିଲେ ।

 

 

kalyan agarbati

Comments are closed.