ଶାନ୍ତି ଶୃଙ୍ଖଳାରେ ସରିଲା ନିଜିଗଡ଼ କାଳୀପୂଜା ଯାତ୍ରା

ତିଗିରିଆ :  ଦୀପାବଳୀ ଠାରୁ ଆରମ୍ଭ ହୋଇଥିବା ନିଜିଗଡ଼ର ପ୍ରସିଦ୍ଧ କାଳୀପୂଜା ଯାତ୍ରା ବୁଧବାର ସାମୁହିକ ଭସାଣ ପର୍ବ ପରେ ଉଦଯାପିତ ହୋଇଛି । ଅନୁକୂଳ ପାଣିପାଗରେ ୯ଦିନ ବ୍ୟାପୀ ଅନୁଷ୍ଠିତ ଏହି ଯାତ୍ରାରେ ଚଳିତ ବର୍ଷ ଛୋଟ ଠୁ ବଡ଼ଯାଏଁ ସମସ୍ତ ଦେଖଣାହାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଓ ଉପଭୋଗ୍ୟ ହୋଇପାରିଥିଲା। ପୁଲିସ ପ୍ରଶାସନ ସହିତ ଯାତ୍ରା ପରିଚାଳନା କରୁଥିବା ଶାନ୍ତି କମିଟିର କର୍ମକର୍ତ୍ତାଙ୍କ ମିଳିତ ଉଦ୍ୟମ ଓ ଆନ୍ତରିକତାରେ ଯାତ୍ରାରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲେ ମଧ୍ୟ ବେଶ ଶାନ୍ତି ଶୃଙ୍ଖଳାର ସହିତ ସରିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବୁଧବାର ଦିନ ନିଜିଗଡ଼ର ସମସ୍ତ ୧୭ଗୋଟି ମଣ୍ଡପର ମେଢ଼ ରାଜବାଟୀସ୍ଥିତ ମେଳଣ ପଡ଼ିଆରେ ଏକତ୍ରିତ ହୋଇଥିଲେ । ସେଠାରୁ ନିର୍ଦ୍ଧାରିତ କ୍ରମରେ ଭସାଣି ଶୋଭାଯାତ୍ରାରେ ବାହାରି ବଡ଼ଦାଣ୍ଡ ସାହି, ବଡ଼କୂଅ ଛକ, ଥାନା ଛକ, ଗାନ୍ଧୀ ସାହି, କଲେଜ ରୋଡ଼ ଦେଇ ମହାବୀର ବଜାର, ଗୋହିରୀମୁଣ୍ଡ ଛକ ଦେଇ ଶୋଭାଯାତ୍ରା କରିଥିଲେ। ଏହାପରେ ନିକଟସ୍ଥ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ପ୍ରଶାସନ ପକ୍ଷରୁ ଖୋଳାଯାଇଥିବା ଅସ୍ଥାୟୀ ପୋଖରୀରେ ମେଢ଼ ବିସର୍ଜନ କରାଯାଇଥିଲା । ଏହି ଭସାଣି ଶୋଭାଯାତ୍ରାରେ ଉତ୍କଳର ପାରମ୍ପରିକ ଲୋକକଳା ଓ ବାଦ୍ୟ ସହିତ ଆଧୁନିକ ସଙ୍ଗୀତ ଓ ସାଉଣ୍ଡର ତାଳେ ତାଳେ ଯୁବଗୋଷ୍ଠୀ ଝୁମିଥିଲେ । ଅନୁକୂଳ ପାଗ ଯୋଗୁଁ ନିଜିଗଡ଼ର ଏହି କାଳୀପୂଜା ଭସାଣି ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଜନସାଧାରଣଙ୍କ ସମାଗମ ହୋଇଥିଲା । ଭସାଣି ସମୟରେ କାଁ ଭାଁ ସାମାନ୍ୟ ଘଟଣାକୁ ଛାଡ଼ିଦେଲେ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା । କାଳୀପୂଜା ଶାନ୍ତ କମିଟିର ସମ୍ପାଦକ ଗିରିଜା ପ୍ରସାଦ ପଟ୍ଟନାୟକ ଓ ସଦସ୍ୟ ଯାତ୍ରାକୁ ଶୃଙ୍ଖଳିତ କରିଥିବା ବେଳେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ବିଶି, ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ସବ୍ଇନ୍ସିପେକ୍ଟର ସନ୍ତୋଷ କୁମାର ପ୍ରଧାନ ଅତିରିକ୍ତ ୧ ପ୍ଲାଟୁନ ଫୋର୍ସ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ସମସ୍ତ ମେଢ଼ଗୁଡ଼ିକ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୭ଟା ସୁଦ୍ଧା ବିସର୍ଜିତ ହୋଇଥିଲେ।

kalyan agarbati

Comments are closed.