ମହିଳା ସଶକ୍ତ ହେଲେ ଦେଶ ପ୍ରଗତି ଗତିଶୀଳ ହେବ
ଆଇନ ସେବା ସମିତିର ସଚେତନତା ଶିବିର
ଆଠଗଡ : ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ସ୍ଥାନୀୟ ସମସରପୁର ପଞ୍ଚାୟତର ଆଙ୍କୁଲାସ୍ଥିତ କଲ୍ୟାଣ ମଣ୍ଡପଠାରେ ଶନିବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା ସଶକ୍ତିକରଣ ଓ ମହିଳାଙ୍କ ସୁରକ୍ଷା ପାଇଁ ଥିବା ଆଇନ ସଂପର୍କୀତ ଏକ ଆଲୋଚନାଚକ୍ର ତାଲୁକ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଦୀପ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ଆଇନସେବା ପ୍ରାଧିକରଣ ଓ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡଃ ମୀନତି ବେହେରା ଯୋଗଦେଇ ମହିଳାମାନେ ଯେତେ ଅଧିକ ସାକ୍ଷର, ସଚେତନ ଓ ସଶକ୍ତ ହେବେ ଦେଶର ପ୍ରଗତି ସେତିକି ଗତିଶୀଳ ହେବ ବୋଲି ମତବ୍ୟକ୍ତ କରିଥିଲେ। ନାରୀ ନିଜକୁ ଅବଳା, ଦୁର୍ବଳା ମନେ ନକରି ନିଜକୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ଲାଗି ନିରନ୍ତର ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମହିଳା କମିଶନର କାର୍ଯ୍ୟଶୈଳୀ ଓ ଦାୟିତ୍ୱ ବିଷୟରେ ସେ ବୁଝାଇବା ସହ ଯେ କୌଣସି ନିର୍ଯ୍ୟାତନାର ଶିକାର ହେଲେ ଅବା ଯେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଆଇନ କମିଶନଙ୍କ ସହଯୋଗ ଲୋଡିବା ପାଇଁ ସେ ଉପସ୍ଥିତ ମହିଳାମାନଙ୍କୁ ଆହ୍ୱାନ ଜଣାଇଥିଲେ। ଏଥିରେ ସମ୍ମାନିତ ବକ୍ତା ଭାବେ ଆନ୍ତର୍ଜାତୀୟ ମାନବାଧିକାର ସୁରକ୍ଷା ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାସ ଯୋଗଦେଇ ମହିଳାମାନେ କୌଣସି ନିର୍ଯ୍ୟାତନାର ଶିକାର ହେଲେ ଅଥବା ସେମାନଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଲେ ଚୁପ୍ ନରହି ପ୍ରତିବାଦର ସ୍ୱର ଶାଣିତ କରିବା ସହିତ ମହିଳା କମିଶନ ଓ ଆଇନର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ଯୋଗଦେଇଥିବା ଏସଡିଜେଏମ ଏସ. କୁନମୁନ ଆଚାରୀ, ଜେଏମଏଫସି ପୂଜା ଜୈନ, ଡେପ୍ୟୁଟି କଲେକ୍ଟର ଦିପ୍ତୀମୟୀ ବେହେରା, ସିଡିପିଓ ନିବେଦିତା ରାୟ, ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରା ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଆଠଗଡ ଓକିଲ ସଂଘର ସଂପାଦକ ବନବିହାରୀ ସାହୁ ସ୍ୱାଗତ ଭାଷଣ ଓ ଆଇନଜୀବୀ ଯଶୋବନ୍ତ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଓକିଲ ସଂଘର ସଭାପତି ସତ୍ୟେନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ, ଶ୍ରୀନିବାସ ଦାସ, ସରୋଜ ପଟ୍ଟନାୟକ, ଆଇନସେବା ସମିତିର ସହାୟକ ସରୋଜ ରଞ୍ଜନ କାଳିଆ ଓ ବୀଣାପାଣି ଦାସଙ୍କ ସମେତ ସମସରପୁର ପଞ୍ଚାୟତର ବହୁ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.