ଆଜି ଭାରତ-ନେଦରଲାଣ୍ଡ୍‌ସ ମୁକାବିଲା

ସିଡ୍‌ନୀ: ଚଳିତ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲାର ସ୍ମୃତି ଆମେ ଭୁଲିନାହୁଁ। ୩ ଦିନ ବିତି ଯାଇଥିଲେ ସୁଦ୍ଧା କ୍ରିକେଟ୍‌ପ୍ରେମୀ ଉକ୍ତ ମ୍ୟାଚ୍‌ ବିଷୟରେ ଆଲୋଚନା ବନ୍ଦ କରିନାହାନ୍ତି। ବିରାଟ କୋହଲିଙ୍କ ୨ୟ ସଂସ୍କରଣ ଦେଖି ସେମାନେ ଆଚମ୍ବିତ। ଗୁରୁବାର ନେଦରଲାଣ୍ଡ୍‌ସ ବିପକ୍ଷରେ ଭାରତ ସୁପର-୧୨ ପର୍ଯ୍ୟାୟରେ ଗ୍ରୁପ୍‌-୨ର ୨ୟ ମ୍ୟାଚ୍‌ ଖେଳିବ। ପାକିସ୍ତାନକୁ ହରାଇବା ପରେ ସେମିଫାଇନାଲରେ ପହଞ୍ଚିବା ଭାରତ ପାଇଁ ସେତେ କଷ୍ଟକର ହେବନାହିଁ ନିଶ୍ଚୟ। ତଥାପି ନେଦରଲାଣ୍ଡ୍‌ସକୁ ବଡ଼ ବ୍ୟବଧାନରେ ପରାସ୍ତକରି ଭାରତ ନେଟ୍‌ ରନ୍‌ରେଟ୍‌ରେ ଉନ୍ନତି କରିବାକୁ ଚାହିଁବ। ଗ୍ରୁପ୍‌ର ଶୀର୍ଷରେ ରହି​‌ଲେ ଭାରତ ଗ୍ରୁପ୍‌-୧ର ୨ୟ ଦଳ ବିପକ୍ଷରେ ଖେଳିବ। ତେଣୁ ବଡ଼ ବିଜୟ ଲକ୍ଷ୍ୟରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଭାରତ ଓହ୍ଲାଇବ। କିଛି ମ୍ୟାଚ୍‌ରେ ବର୍ଷା ବାଧକ ସାଜିବାର ଆଶଙ୍କା ଥିବାରୁ ପ୍ରତି ମ୍ୟାଚ୍‌କୁ ଭାରତ ନିଶ୍ଚୟ ଗୁରୁତ୍ବର ସହ ଖେଳିବ। ଯେପରି ଜିମ୍ବାୱେ ବିପକ୍ଷରେ ବାତିଲ ମ୍ୟାଚ୍‌ରୁ ପଏଣ୍ଟ ହରାଇ ଦକ୍ଷିଣ ଆଫ୍ରିକା ଚାପରେ ପଡ଼ିଯାଇଛି।

ଶୁକ୍ରବାର ପ୍ରଥମଥର ଭାରତ ବିପକ୍ଷରେ ନେଦରଲାଣ୍ଡ୍‌ସ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଜିତିବାକୁ ଭାରତ ନିଶ୍ଚିତ ଭାବେ ଫେଭରିଟ୍‌। ହେଲେ କିଛି ହରାଇବାକୁ ନ ଥିବାରୁ ନେଦରଲାଣ୍ଡ୍‌ସ ନିଶ୍ଚୟ ନିର୍ଭିକ କ୍ରିକେଟ୍‌ ଖେଳିବ। ଏହା ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ। ସୁପର-୧୨ ଖେଳିବାରେ ନେଦରଲାଣ୍ଡ୍‌ସ ହେଉଛି ଏକମାତ୍ର ଆଇସିସିର ସହଯୋଗୀ ରାଷ୍ଟ୍ର। କଠିନ ପରିଶ୍ରମ କରି ସେମାନେ ସୁପର-୧୨ରେ ପହଞ୍ଚିଛନ୍ତି। ଏବେ ସେମାନେ ବଡ଼ ଦଳଙ୍କ ବିପକ୍ଷରେ ଖେଳିବାକୁ ଉପଭୋଗ କରିବାକୁ ଚାହାନ୍ତି। କାରଣ ସେମିଫାଇନାଲ ଖେଳିବା କଥା କଦାପି ନେଦରଲାଣ୍ଡ୍‌ସ ଖେଳାଳିଙ୍କ ମନରେ ନଥିବ। ପାକିସ୍ତାନ, ଭାରତ, ଦକ୍ଷିଣ ଆଫ୍ରିକା ପରି ଦଳ ତା’ର ଗ୍ରୁପ୍‌ରେ ଥିବାରୁ ଲଢ଼ୁଆ ପ୍ରଦର୍ଶନ କରି ବିପର୍ଯ୍ୟୟ ଘଟାଇଲେ ଏହା ତାଙ୍କ ପାଇଁ ବଡ଼ କୃତିତ୍ବ ହେବ।

prayash

ଅଷ୍ଟ୍ରେଲିଆରେ ପହଞ୍ଚିବା ପୂର୍ବରୁ ନେଦରଲାଣ୍ଡ୍‌ସ ୨୦୨୨ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍‌ ଓ ଆଫ୍‌ଗାନିସ୍ତାନ ବିପକ୍ଷରେ ଟ୍ବେଣ୍ଟି୨୦ ଖେଳିଛି। ପ୍ରଥମ ୨ଟି ବଲ୍‌ରେ ୨ଟି ୱିକେଟ ହରାଇବା ଏବଂ ୨ଟି ରନ୍‌ଆଉଟ୍‌ ଯୋଗୁଁ ଅଳ୍ପକେ ଏହା ପ୍ରଥମ ସୁପର-୧୨ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ବିଜୟରୁ ବଞ୍ଚିତ ହୋଇଥିଲା। କଲିନ୍‌ ଆକରମ୍ୟାନଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଏହା ୯ ରନ୍‌ରେ ପରାସ୍ତ ହୋଇଥିଲା। ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଇଂଲଣ୍ଡ ୨ ଥର (୨୦୦୯, ୨୦୧୪) ଖେଳି ଉଭୟ ଥର ପରାସ୍ତ ହୋଇଥିବାରୁ ଭାରତ ଏହା ପ୍ରତି ସତର୍କ ହୋଇ ଖେଳିବ। ଓପ୍‌ନର ମ୍ୟାକ୍ ଓ’ଡୌଡ୍‌ ଚମତ୍କାର ପ୍ରଦର୍ଶନ କରିଛନ୍ତି। ହେଲେ ତାଙ୍କୁ ବିକ୍ରମଜିତ ସିଂହ, କଲିନ୍ ଆକରମ୍ୟାନ୍, ଟମ୍ କୁପର ଓ ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡସଙ୍କ ସମର୍ଥନ ଆବଶ୍ୟକ। ପଲ୍ ଭାନ୍ ମିକେରେନ୍‌ ଦଳର ଷ୍ଟ୍ରାଇକ୍‌ ବୋଲର ଓ ବାସ୍ ଡି ଲିଡେ ଭଲ ଅଲ୍‌ରାଉଣ୍ଡର। ଡି ଲିଡେ ବିଗ୍‌ ବାସ୍‌ ସହ ବିଶ୍ବର ଅନ୍ୟ ଟ୍ବେଣ୍ଟି୨୦ ଲିଗ୍‌ରେ ଖେଳୁଛନ୍ତି। ପ୍ରଥମ ରାଉଣ୍ଡରେ ନେଦରଲାଣ୍ଡ୍‌ସ ଜିତିଥିବା ଉଭୟ ମ୍ୟାଚ୍‌ରେ ଡି ଲିଡେ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଏହି ମ୍ୟାଚ୍‌ରେ ଫର୍ମକୁ ଫେରିବାକୁ ଅଧିନାୟକ ରୋହିତ ଶର୍ମା ଚାହିଁ​‌େ​‌ବେ। ଗତ ୫ଟି ଟ୍ବେଣ୍ଟି୨୦ରୁ ରୋହିତ ୨ଟି ଶୂନ ସହ ମୋଟ ୬୪ ରନ୍‌ କରିଛନ୍ତି। କେ.ଏଲ୍. ରାହୁଲ ମଧ୍ୟ ବଡ଼ ଇନିଂସ ଖେଳିବାକୁ ଚାହିଁବେ। ବ୍ୟାଟିଂ ଦକ୍ଷତା ଯୋଗୁଁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ପୁଣି ସୁଯୋଗ ମିଳିପାରେ। ତେବେ ନେଦରଲାଣ୍ଡ୍‌ସ ବ୍ୟାଟିଂ ଲାଇନ୍‌ରେ ଅଧିକ ଡାହାଣହାତି ଥିବାରୁ ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଖେଳାଇବା କଥା ଭାରତ ବିଚାର କରିପାରେ। ଦଳରେ ଅନ୍ୟ ପରିବର୍ତ୍ତନର ସମ୍ଭାବନା ନାହିଁ। ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଇଁ ଖେଳିଥିବା ବାମହାତି ସ୍ପିନର ରୋଏଲ୍‌ଫ ଭାନ୍‌ ଡର୍ ମର୍‌ୱେ ସୁସ୍ଥହେଲେ ଏହି ମ୍ୟାଚ୍‌ ନିଶ୍ଚୟ ଖେଳିବେ। ଅନ୍ୟଥା ସାରିଜ୍ ଅହମ୍ମଦଙ୍କୁ ପୁଣି ଏକ ସୁଯୋଗ ମିଳିପାରେ। ସିଡ୍‌ନୀ ପିଚ୍‌ରେ ଅଧିକ ରନ୍‌ର ସମ୍ଭାବନା ଅଛି। ଆଉ ୭୩ ରନ୍‌ କଲେ ବିରାଟ କୋହଲି ଟି୨୦ ବିଶ୍ବକପ୍‌ରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ପରେ ୨ୟ ବ୍ୟାଟ୍‌ସମ୍ୟାନ୍ ଭାବେ ୧୦୦୦ ରନ୍‌ ପୂରଣ କରିବେ। ପୁଣି ଟି୨୦ ମ୍ୟାଚ୍‌ରେ ସିଡ୍‌ନୀରେ ବିଶ୍ବରେ ସର୍ବାଧିକ ୨୩୬ ରନ୍‌ କରିଛନ୍ତି କୋହଲି। ଆଉ ମାତ୍ର ଗୋଟିଏ ୱିକେଟ ନେଲେ ପିଟର ସିଲାର୍‌ଙ୍କୁ ପଛରେ ପକାଇ ଭାନ୍ ମିକେରେନ୍‌ ନେଦରଲାଣ୍ଡ୍‌ସର ସର୍ବାଧିକ ଟ୍ବେଣ୍ଟି୨୦ ୱିକେଟ ହାସଲକାରୀ ହେବେ।

kalyan agarbati

Comments are closed.