କାହା ସ୍ୱାର୍ଥରେ ବିଜୁ ସେତୁ ଯୋଜନା ? ଯେଉଁଠି ନଦୀ ପାର ପାଇଁ ବିଦ୍ୟୁତ ତାର ହିଁ ଭରଷା
ମୋହନା : ରାଜ୍ୟ ସରକାର ବିଜୁ ସେତୁ ଯୋଜନା ନାଁରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏହି ସେତୁ ଯୋଜନା ଯେମିତି ଲୋକଙ୍କ ପ୍ରହସନ ପାଲଟିଛି। ନଦୀ ଉପରେ ସେତୁ ନିର୍ମାଣ କରାଯାଉନଥିବାରୁ ଗମନାଗମନ ପାଇଁ ବିଦ୍ୟୂତ ତାର ହିଁ ଭରଷା। ଭରାନଈର ଦୁଇ ତଟରେ ଥିବା ଦୁଇଟି ଗଛକୁ ଗୋଟିଏ ବିଦ୍ୟୁତ୍ ତାର ଦ୍ଵାରା ବନ୍ଧା ଯାଇଛି। ତଳେ ଉଛୁଳା ନଈ ଉପରେ ବିଦ୍ୟୁତ୍ ତାର। ଆଉ ଲୋକେ ସେହି ବିଦ୍ୟୁତ ତାର ଧରି ପାର ହେଉଛନ୍ତି ଭରାନଈ । ଯଦି ହାତ ଖସିଯାଏ କିମ୍ବା ବିଦ୍ୟୁତ ତାର ଛିଡିଯାଏ ତାହେଲେ ନଦୀରେ ଭାସିଯାଇ ଜୀବନ ଯିବାର ଯଥେଷ୍ଠ ସମ୍ଭାବନା ରହିଛି । ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁରୁଝୁଳୀ ଓ ଗରଡମା ପଞ୍ଚାୟତ ମଧ୍ୟରେ ଥିବା ହରଭଙ୍ଗି ନଦୀର ଦୃଶ୍ୟ। ନଦୀର ଆରପଟେ ଗରଡମା ପଞ୍ଚାୟତର ଗମ୍ଭାରୀ ଗାଁ ଭଳି ଅନେକ ଗାଁ ରହିଥିବା ବେଳେ ନଦୀର ଏପଟେ ରାଜବସା, କୁଟୀପଦର ଓ ଗାଙ୍ଗୁଡିପଙ୍କାଳ ଭଳି ଅନେକ ଗାଁ ରହିଛି। ହେଲେ ଉଭୟ ପଞ୍ଚାୟତବାସୀ ସମସ୍ତ ସୁବିଧା ଦୃଷ୍ଟିରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ଏଠାରେ ପୋଲ ଖଣ୍ଡିଏ ନିର୍ମାଣ କରାଯାଉନଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି। ଏଠାରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ସ୍ଥାନୀୟ ନେତାଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।
ଅନ୍ୟ ପଟେ ଗାଙ୍ଗୁଡିପଙ୍କାଳ ଓ ରାଜପୁର ଗ୍ରାମବାସୀ ଗୁରୁଝୁଳୀ ପଞ୍ଚାୟତରେ ଥିଲେ ମଧ୍ୟ ସେମାନଙ୍କ ପାଇଁ ଭଲ ରାସ୍ତା ନଥିବାରୁ, ନଦୀ ଆରପଟେ ଥିବା ଗରଡମା ପଞ୍ଚାୟତର ଗମ୍ଭାରୀ ଗାଁ ଉପରେ ଗ୍ରାମବାସୀ ନିର୍ଭର କରନ୍ତି। ବର୍ଷା ସମୟରେ ନଦୀ ପାର ହେବା ପାଇଁ କଷ୍ଟ ଥିଲେ ମଧ୍ୟ ଅନ୍ୟ ସମୟରେ ବାଇକ ମଧ୍ୟ ନଦୀ ଭିତରେ ବୋହି ନେଇ ଗମ୍ଭାରୀ ଗାଁରେ ପହଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଏମିତି ନଦୀ ପାର ହେବା ବେଳେ ଜୀବଜନ୍ତୁ ଠାରୁ ଆରମ୍ଭ କରି ମଣିଷର ଜୀବନ ହାନି ମଧ୍ୟ ଘଟୁଥିବା ଅଭିଯୋଗ କରିଛନ୍ତିି ଖଗେଶ୍ବର ଦଳବେହେରା, ତରଣୀସେନ ଦଳାଇ, ରୟାଲ ମାଝୀ। ଯଦି ଏଠାରେ ସେତୁ ନିର୍ମାଣ କରାଯାଏ ତେବେ ଗରଡମା ପଞ୍ଚାୟତ ଅଞ୍ଚଳବାସୀଙ୍କ ସହ ପଡୋଶୀ ଜିଲ୍ଲା ଓ ମୋହନା ବ୍ଲକ୍ ଅଞ୍ଚଳର ଲକ୍ଷ ଲକ୍ଷ ଜନସାଧାରଣ ମଧ୍ୟ ଗମନାଗମନ ଦୃଷ୍ଟିରୁ ଯଥେଷ୍ଟ ସୁବିଧା ପାଇପାରନ୍ତେ ।ହେଲେ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ, ଏଠାରେ ପୋଲ ନିର୍ମାଣ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
Comments are closed.