ନଭେମ୍ବର ୧୨ରେ ହିମାଚଳ ଭୋଟ, ମତଦାନ ପାଇଁ ୭ ହଜାର ୮୮୧ ଟି ବୁଥ୍ ବ୍ୟବସ୍ଥା
୫୫ ଲକ୍ଷରୁ ଅଧିକ ଭୋଟର ମତଦାନ ସାବ୍ୟସ୍ଥ କରିବେ, ବୟସ୍କ ଓ ଭିନ୍ନକ୍ଷମ ଭୋଟର ଘରେ ଥାଇ ଭୋଟ ଦେଇପାରିବେ
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଡିସେମ୍ବର ୮ରେ ଭୋଟ ଗଣତି କରାଯିବ। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୧୭ରୁ ୨୫ ବର୍ଷ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ଅକ୍ଟୋବର ୨୭ରେ ଆଶାୟୀ ପ୍ରାର୍ଥୀ ଦାଖଲ କରିଥିବା ନାମାଙ୍କନ ଯାଞ୍ଚ କରାଯିବାକୁ ଥିବାବେଳେ ଅକ୍ଟୋବର ୨୯ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବ ବୋଲି ସୂଚନା ଦିଆଯାଇଛି।
ହିମାଚଳ ପ୍ରଦେଶର ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଆସନ୍ତା ନଭେମ୍ବର ୧୨ରେ ମତଦାନ ହେବା ନେଇ ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ ଆୟୋଗ। ସେହିପରି ୮ ଡିସେମ୍ବରରେ ଭୋଟ ଗଣତି କରାଯିବ। ୧୦ ଡିସେମ୍ବର ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଆସନ୍ତା ୧୭ରେ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୮ ଜାନୁଆରୀ ୨୦୨୩ରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ମତଦାନ ସାବ୍ୟସ୍ଥ କରିବେ। ପ୍ରଥମ ଥର ପାଇଁ ଏକ ଲକ୍ଷ ୮୬ ହଜାରରୁ ଅଧିକ ନାଗରିକ ଭୋଟ ଦେବେ। ମତଦାନ ପାଇଁ ୭ ହଜାର ୮୮୧ ଟି ବୁଥ୍ ବ୍ୟବସ୍ଥା କରାଯିବାକୁ ଥିବାବେଳେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ସେହିପରି ନିର୍ବାଚନ ଆୟୋଗ ପକ୍ଷରୁ ସମ୍ବେଦନଶୀଳ ବୁଥ୍ ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯିବ। ବୟସ୍କ ଓ ଭିନ୍ନକ୍ଷମ ଭୋଟର ଘରେ ଥାଇ ଭୋଟ ଦେଇପାରିବେ। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ ସଂଧ୍ୟା ୫ଟାରୁ ସକାଳ ୧୦ ପର୍ଯ୍ୟନ୍ତ ମୋଟା ଅଙ୍କର ଟଙ୍କାର ନଗଦ କାରବାର କରିପାରିବେ ନାହିଁ। ସମସ୍ତ ବୁଥ୍ରେ ପ୍ରାର୍ଥୀ ମାନଙ୍କର ସମ୍ପତ୍ତି, ସେମାନଙ୍କର ଦକ୍ଷତା ଏବଂ ଯଦି ସେମାନଙ୍କର ଅପରାଧିକ ମାମଲା ଥାଏ ସେଗୁଡିକ ତଥ୍ୟ ବୁଥ୍ କେନ୍ଦ୍ରରେ ପ୍ରକାଶିତ କରାଯିବ।
Comments are closed.