ପାଟଣା ସି.ଡି.ପି.ଓଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
ପାଟଣା: ପାଟଣା ବ୍ଲକରେ ସମନ୍ୱିତ ଶିଶୁ ବିକାଶ ବିଭାଗର ନୂତନ ଅଧିକାରିଣୀ ସି.ଡି.ପି.ଓ କଳ୍ପନା ଦୋରା କାର୍ଯ୍ୟରେ ଯୋଗଦାନ କରିବାର ୨ମାସ ପୂରଣ ହୋଇନଥିବା ବେଳେ ୬ ମାସ ତଳୁ ସରକାରୀ ଅନୁଦାନରେ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ଖର୍ଚ୍ଚ ହୋଇଥିବା ଅର୍ଥ ତାଙ୍କୁ ଫେରାଇବାକୁ କହିବା ଘଟଣାକୁ ନେଇ ଅଙ୍ଗନବାଡ଼ି କର୍ମୀ ମହଲରେ ଅସନ୍ତୋଷ ତୀବ୍ର ହୋଇଛି । ଏପରିକି ସି.ଡି.ପି.ଓଙ୍କ ବେଆଇନ ନିର୍ଦ୍ଦେଶ ବିରୋଧରେ ଅଙ୍ଗନବାଡ଼ି କର୍ମଚାରୀ ସଂଘ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି । ଖବରରୁ ପ୍ରକାଶ ଯେ ପାଟଣାର ପୂର୍ବତନ ସି.ଡି.ପି.ଓ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କ ସମୟରେ ଚିଠି ନମ୍ବର ୪୧୩୪ ଅନୁଯାୟୀ ପ୍ରାକ୍ ବିଦ୍ୟାଳୟ ଖେଳଣା ସାମଗ୍ରୀ (ପ୍ରି ସ୍କୁଲ କୀଟ) କିଣିବା ପାଇଁ ପ୍ରତ୍ୟେକ ଅଙ୍ଗନବାଡ଼ିକୁ ୨ହଜାର ୫ଶହ ଟଙ୍କା ଅନୁଦାନ ଦିଆଯାଇଥିଲା ।
ଅଙ୍ଗନବାଡ଼ି କର୍ମୀଙ୍କ କହିବା ଅନୁଯାୟୀ ଏହି ଅର୍ଥ ସେମାନେ ଖେଳଣା ଓ ସାମଗ୍ରୀ ରଖିବା ପାଇଁ ବାକ୍ସ ଆଦି କିଣି ସାରିଛନ୍ତି । ଏହା ସତ୍ତ୍ୱେ ବର୍ତ୍ତମାନର ନୂଆ ସି.ଡି.ପି.ଓ ଏହି ଅନୁଦାନରୁ ବୈଠକ ବାବଦ ୨୦୦ ଟଙ୍କା କାଟି ଅବଶିଷ୍ଟ ୨୩୦୦ ଟଙ୍କା ତାଙ୍କୁ ଫେରସ୍ତ ଦେବାକୁ ନିର୍ଦ୍ଦେଶ ଦେବା ସହ ଶିଶୁ ମାନଙ୍କ ପାଇଁ ସେ ନିଜେ ପୋଷାକ କିଣିଦେବା ପାଇଁ କୁଆଡେ କହିଛନ୍ତି । ଅଙ୍ଗନବାଡ଼ିକୁ ଅର୍ଥ ଫେରାଇବାକୁ ବାଧ୍ୟ କରୁଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳଙ୍କୁ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିସ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ପ୍ରେମଲତା ଆଚାର୍ଯ୍ୟ, ସବିତା ମଞ୍ଜରୀ ସେଠୀ ଓ ବିଷ୍ଣୁପ୍ରିୟା ବେଜ ପ୍ରମୁଖ ଅନ୍ୟମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି ।
ତେବେ ଏନେଇ ସି.ଡି.ପି.ଓ ଶ୍ରୀମତି ଦୋରାଙ୍କୁ ଯୋଗାଯୋଗ କରାଯିବାରେ ତାଙ୍କ କହିବା ଅନୁଯାୟୀ ଅଙ୍ଗନବାଡ଼ି କର୍ମୀ ମାନେ ଆଦୌ ପ୍ରି ସ୍କୁଲ କୀଟ କିଣି ନଥିବାରୁ ତାଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଛି । ବିଭାଗ ବ୍ୟୟ ଖର୍ଚ୍ଚର ହିସାବ ମାଗୁଥିବାରୁ କର୍ମୀ ମାନେ ଟଙ୍କା ଫେରାଇଲେ ସେମାନଙ୍କୁ ଏହା ଖରିଦ୍ କରି ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ ମତ ଦେଇଛନ୍ତି । ତେବେ ଏନେଇ କିଏ ସତ କହୁଛି ଏହାର ତଦନ୍ତ କରାଗଲେ ସତ୍ୟ ସାମ୍ନାକୁ ଆସିବ।
Comments are closed.