www.samajalive.in
Tuesday, December 9, 2025
26.1 C
Bhubaneswar

ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଅଂଚଳବାସୀ, ଖଜୁରିଆନାଳୀ ଗାଁ ଦାଣ୍ଡ ଉତ୍ସବ ମୁଖରିତ

ଦେବଗଡ଼ : ଦୀର୍ଘ ୧୭ ବର୍ଷ ପରେ ଦେଶ ମାତୃକାର ସେବା ସାରି ଘରକୁ ଫେରିଛନ୍ତି ୨୦୦୫ ମସିହାରେ ଭାରତୀୟ ସେନା ବାହୀନିରେ ଜଣେ ଜବାନ ଭାବେ ଯୋଗଦେଇଥିବା ଦେବଗଡ ଜିଲା ବାଘବର ଗ୍ରାମ ପଂଚାୟତ ଖଜୁରିଆନାଳୀ ଗ୍ରାମର ମନୋଜ ବେହେରା । ତାଙ୍କ ଆଗମନରେ ଆଜି ଖଜୁରିଆନାଳୀ ଓ ରଞ୍ଜଣା ଗ୍ରାମବାସୀ ମାନେ ଖୁସିରେ ଉତଫୁଲ୍ଲିତ ହୋଇପଡିବା ସହ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ଘର ପର୍ଯ୍ୟନ୍ତ ପାଛୋଟି ନେଇଛନ୍ତି । ସେହିପରି ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରଂ’ ଧ୍ୱନୀରେ ଗାଁ ଦାଣ୍ଡ ଉଛୁଳି ଉଠିଛି । ତେବେ କେବଳ ଯେ, ଖଜୁରିଆନାଳୀ ଓ ରଞ୍ଜଣା ଗ୍ରାମବାସୀ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ତାହା ନୁହେଁ । ବାଘବର ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ, ଜିଲା ପରିଷଦ ସଦସ୍ୟା ଓ ୧୧ଟି ଯାକ ୱାର୍ଡର ସଦସ୍ୟ ସଦସ୍ୟା ମଧ୍ୟ ଶୋଭାଯତ୍ରାରେ ସାମିଲ ହୋଇ ମନୋଜଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ଖଜୁରିଆନାଳୀ ଗ୍ରାମର ଶେଷଦେବ ବେହେରାଙ୍କ ସୁପୁତ୍ର ମନୋଜ ଆଜି ଅପରାହ୍ନରେ ଗାଁ ମାଟିରେ ପାଦ ଥାପିବା ପୂର୍ବରୁ ନିକଟସ୍ଥ ବନ ଦୁର୍ଗା ମନ୍ଦିରରେ ମାଁ ବନ ଦୁର୍ଗାଙ୍କ ଦର୍ଶନ କରି ଆଶିଷ କାମନା କରିବାପରେ ରଞ୍ଜଣା ଛକରେ ସପରିବାର ପହଞ୍ଚିଥିଲେ। ସେଠାରେ ଶୁଭ କଳସ ସ୍ଥାପନ ସହ ପ୍ରଦୀପ ପ୍ରଜ୍ୱଳନ କରି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜିଲା ପରିଷଦ ସଦସ୍ୟା ବାସନ୍ତୀ ବେହେରା, ବାଘବର ସରପଞ୍ଚ ଭକ୍ତବନ୍ଧୁ ପ୍ରଧାନ, ନାଏବ ସରପଞ୍ଚ ଅନ୍ନପୂର୍ଣ୍ଣା ଗଡନାୟକ ଓ ସମିତି ସଦସ୍ୟା ସୁଲୋଚନା ପ୍ରଧାନଙ୍କ ସମେତ ୱାର୍ଡ ସଦସ୍ୟ ଲୁଲୁ ପ୍ରଧାନ, ବିକ୍ରମ ଦେହୁରୀ, ଶଙ୍କର ନାୟକ, ବିନ୍ଦୁ ସେଠୀ, ପ୍ରତିଭା କିସାନ, ପଦ୍ମିନୀ ବଘାର, ପ୍ରଦୀପ ସାହୁ, ଜାନକୀ ଦେହୁରୀ, ମନୋରମା ପ୍ରଧାନ ଓ ବିମଳା ପ୍ରଧାନ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବଦ୍ଧନା ଜ୍ଞାପନ କରିଥିଲେ।

- Advertisement -

ଏହି ଅବସରରେ ବହୁ ପୁରୁଷ ଏବଂ ମହିଳା ଅବସର ପ୍ରାପ୍ତ ଜବାନ ଶ୍ରୀ ବେହେରାଙ୍କ ପାଦ ଧୋଇବା ସହ ତାଙ୍କଉପରେ ପୁଷ୍ପ ବର୍ଷା ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ଜାତୀୟ ପତାକା ସହ ଡିଜେ ସାଉଣ୍ଡ (ଦେଶାତ୍ମବୋଧକ ସଂଗୀତ) , ପାରମ୍ପରିକ ଢୋଲ , ନିସାଣ ଏବଂ ତାସା ବାଜା, ବାଣ ଏବଂ ସଂକୀର୍ତ୍ତନର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଚଲାଇ ଚଲାଇ ପ୍ରଥମେ ରଞ୍ଜଣା ଗ୍ରାମକୁ ନିଆଯାଇଥିଲା। ସେଠାରେ ଗ୍ରାମର ଯୁବକ ମାନେ ଜଗନ୍ନାଥ ମଣ୍ଡପକୁ ପାଛୋଟି ନେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାପରେ ଖଜୁରିଆନାଳୀ ଗ୍ରାମକୁ ପାଛୋଟି ନେଇଥିଲେ। ଶ୍ରୀ ବେହେରାଙ୍କ ସ୍ୱାଗତ ନିମନ୍ତେ ଉଭୟ ଗ୍ରାମର ପ୍ରତ୍ୟେକ ଛକ ସ୍ଥାନ ମାନଙ୍କରେ ଝୋଟି ଏବଂ ରଙ୍ଗୋଲି ଆଦି ଅଙ୍କା ଯାଇଥିବା ବେଳେ ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟକ ପୁରୁଷ ଏବଂ ମହିଳା ଅଂଶଗ୍ରହଣ କରି ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। ଅଂଚଳବାସୀଙ୍କର ଏଭଳି ଆଦର ଏବଂ ସମ୍ମାନରେ ଅବସରପ୍ରାପ୍ତ ଜବାନ ଶ୍ରୀ ବେହେରା ଖୁସିରେ ଆତ୍ମହରା ହୋଇପଡିଥିଲେ । ଏପରିକି ଖୁସି ବ୍ୟକ୍ତ କରିବାପାଇଁ ତାଙ୍କ ମୁହଁରେ ଭାଷା ନାହିଁ ବୋଲି ଆମ ପ୍ରତିନିଧିଙ୍କ ସମ୍ମୁଖରେ ସେ ପ୍ରକାଶ କରିଥିଲେ । ଶ୍ରୀ ବେହେରା ଶୋଭାଯାତ୍ରାରେ ଯାଇ ତାଙ୍କ ଘର ସମ୍ମୁଖରେ ପହଂଚିବା ପରେ ସେଠାରେ ଅପେକ୍ଷାରତ ପିତା ଶେଷଦେବଙ୍କୁ ସେନା ଶୈଳୀରେ ସାଲ୍ୟୁଟ ମାରି ସମ୍ମାନ ଜଣାଇଥିଲେ। ଅନୁରୂପ ଭାବେ ଶୁଭ କଳସ ସ୍ଥାପନ, ଦୀପ ଜାଳି ସ୍ୱାଗତ ପାଇଁ ଅପେକ୍ଷା କରିଥିବା ମା’ କୁମାରି ବେହେରାଙ୍କୁ ତାଙ୍କ ପିନ୍ଧା ଟୋପି ପ୍ରଦାନ କରିଥିଲେ। ଏହି ଅବସରରେ ମା’ କୁମାରୀଙ୍କ ଆଖିରୁ ସ୍ୱତଃ ଆନନ୍ଦାଶୃ ଝରି ପଡୁଥିବା ଦେଖିବାକୁ ମିଳିଥିଲା । ସେହିପରି ଦେଶ ମାତୃକାର ସେବା କରି ଦୀର୍ଘ ୧୭ ବର୍ଷ ପରେ ଘରକୁ ଫେରିଥିବାରୁ ପରିବାରର ସମସ୍ତେ ପ୍ରଫୁଲ୍ଲିତ ହୋଇ ପଡିଥିବା ପିତା ଶେଷଦେବ ଓ ମାତା କୁମାରୀ ଓ ଦେବଗଡ ଜିଲାର ବମ୍ପରଡା ସ୍ଥିତ ୪ର୍ଥ ଆଇ.ଆର.ବି. ବାଟାଲିୟନରେ ଜବାନ ଭାବେ କାର୍ଯ୍ୟ କରୁଥିବା ସାନଭାଇ ସାନ୍ତନୁ ବେହେରା , ପୁରୁଣପାଣି ଗ୍ରାମରୁ ଆସିଥିବା ଭଉଣୀ ଝୂନୁ, ସମ୍ବଲପୁର ଜିଲା ଯୁଯୋମୁରାରୁ ଆସିଥିବା ଭଉଣୀ ଉରୁବାଳା ଓ ଅନୁଗୁଳ ଜିଲାର ଖାଲପାଳ ଗ୍ରାମରୁ ଆସିଥିବା ଭଉଣୀ ଅନୁପମା ସପରିବାର ଆଜିର ଖୁସି ପର୍ବରେ ସାମିଲ ହେରବାସହ ଭାଇ ମନୋଜଙ୍କ ପାଇ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି । ଆଜିର ଏହିକ ସ୍ୱାଗତ ସମନ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସେନା କମଚାରୀ ଶ୍ରୀ ବେହେରାଙ୍କ ସହ ତାଙ୍କର ପତ୍ନୀ ଓ ଏକ ମାତ୍ର କନ୍ୟା ସନ୍ତାନ ମଧ୍ୟ ସାମିଲ ଥିଲେ ଓ ସେମାନଙ୍କୁ ମଧ୍ୟ ଅଂଚଳବାସୀଙ୍କ ଦ୍ୱାରା ଅନୁରୂପ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଅଂଚଳବାସୀଙ୍କର ଏଭଳି ଅଭୂତପୂର୍ବ ସମ୍ମାନ ଏବଂ ଦେଶ ପ୍ରେମ ଭାବନାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories