ପ୍ରାପ୍ୟ ନୁହେଁ କୌଳିକବୃତ୍ତି ବଞ୍ଚାଇବାକୁ ଉଦ୍ୟାମ; ମୃଦଙ୍ଗ ମରାମତି ପାଇଁ ବରଗଡରୁ ଆସୁଛନ୍ତି କାରିଗର
୨ମାସ ମରାମତି ପରେ ଦିନମଜୁରୀ କାମରେ ନିୟୋଜିତ ହୁଅନ୍ତି କାରିଗର
ଗୁଣପୁର: ବରଗଡ ଜିଲାରୁ ମୃଦଙ୍ଗ କାରିଗର ମାନେ କୌଳିକ ବୃତ୍ତି ବଞ୍ଚାଇବା ପାଇଁ ବର୍ଷକୁ ୨ମାସ ଗୁଣପୁରକୁ ଆସନ୍ତି । ପ୍ରାପ୍ୟ ପାଇଁ ନୁହେଁ କେବଳ ବୃତ୍ତି ନିଶା ଏମାନଙ୍କୁ ଗତ ୧୫ବର୍ଷ ହେଲା ଗୁଣପୁର ମୁହାଁ କରିଦେଇଛି । ଏଠାରେ ନୂଆ ମୃଦଙ୍ଗ ମରାମତି ଓ ନିଜେ ପ୍ରସ୍ତୁତ କରିଥିବା ମୃଦଙ୍ଗକୁ ବିକ୍ରି କରି ନିଜ ଭିଟାମାଟିକୁ ଚାଲିଯାଆନ୍ତି । ସେଠାରେ ବର୍ଷର ବାକି ୧୦ମାସ ଦିନ ମଜୁରିଆରେ କାମକରି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ଏମାନଙ୍କ ଏହି ବୃତ୍ତି ଲାଗି ସ୍ଥାନୀୟ ଅଞ୍ଚଳରେ ମୃଦଙ୍ଗ ମରାମତି ଅତି ସୁଲଭ ଦରରେ ହୋଇପାରୁଛି ।
ହିନ୍ଦୁଧର୍ମରେ ମୃଦଙ୍ଗ ବ୍ୟବହାର ବହୁଳ ଭାବରେ ହୁଏ । କାର୍ତ୍ତକ, ବୈଶାଖ ମାସ ସମେତ ନାମଯଜ୍ଞ, ଅଷ୍ଟପ୍ରହରୀ, ଚାରିପ୍ରହରୀ, ତ୍ରିନାଥମେଳା ସମେତ ବିଭିନ୍ନ ଶୁଭ ଓ ଅଶୁଭ କାମରେ ମୃଦଙ୍ଗ ବାଦ୍ୟ ବିନା ଏହିସବୁ କାର୍ଯ୍ୟକ୍ରମ ସମ୍ଭବ ନୁହେଁ । ତେଣୁ ପ୍ରତି ଧାର୍ମିକ ଅନୁଷ୍ଠାନ ସାଙ୍ଗକୁ ବିଭିନ୍ନ ମଣ୍ଡଳି, ସାହି, ପୂଜାକମିଟି ମୃଦଙ୍ଗବାଦ୍ୟ ରଖିଥାନ୍ତି । ସେହିଭଳି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ମଧ୍ୟ ପ୍ରାର୍ଥନା ଓ ଅନ୍ୟ ସମୟରେ ଏହି ବାଦ୍ୟକୁ ବ୍ୟବହାର କରୁଥିବା ନଜିର ରହିଛି । ବହୁଳ ବ୍ୟବହାର ହେଉଥିଲେ ସୁଦ୍ଧା ଏହାର ମରାମତି ନିମନ୍ତେ ଜିଲାରେ କାରିଗର ଅଭାବ ରହିଛି । ଥରେ ମୃଦଙ୍ଗ ମରାମତି ହେଲେ କାରିଗର ଅଭାବକୁ ମାସଧିକ କାଳ କାର୍ଯ୍ୟକ୍ଷମ ନହେଇ ପଡି ରହିଥାଏ ।
ଏହାକୁ ଦୃଷ୍ଟିରେ ରଖି ଗତ ୧୫ବର୍ଷ ତଳେ ବରଗଡ ଜିଲା ବରପାଲି ବ୍ଲକ କୁମ୍ବାରୀ ଗ୍ରାମର ଡାକ୍ତର ନାୟକ (ଗୁରୁ) ନେତୃତ୍ୱରେ ଭୈକୂଳ ହୁଆ, ସାନି କେ, ଆଶିଷ ନାୟକ, ପ୍ରକାଶ ଝାଲ, ଏକ୍କା ନାୟକ ମିଳିତ ଭାବେ ମୃଦଙ୍ଗ ମରାମତି ନିମନ୍ତେ ଗୁଣପୁର ପହଞ୍ଚିଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଅକ୍ଟେବର, ନଭେମ୍ବର ମାସରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡରେ ପହଞ୍ଚନ୍ତି । ଏମାନଙ୍କ ଆଗମାନକୁ ବହୁ ଲୋକ ଅପେକ୍ଷା କରିଥାନ୍ତି । ଏହି ଦୁଇମାସ ମଧ୍ୟରେ ରାୟଗଡା, ଗଜପତି ଜିଲା ସମେତ ପୋଡଶୀ ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖାପାଟଣା ଜିଲାର ଶତାଧିକ ମୃଦଙ୍ଗ ଅତି ସୁଲଭ ମୂଲ୍ୟରେ ମରାମତି କରନ୍ତି ଏହି କାରିଗରମାନେ । ପାରିଶ୍ରମିକ ଠାରୁ ପ୍ରାପ୍ୟ କମ ପାଇଲେ ସୁଦ୍ଧା ସେମାନଙ୍କ ମନରେ ସାମାନ୍ୟ ଦୁଃଖ ନାହିଁ । କେବଳ ଏହି ପରମ୍ପରା ଲୋପ ନପାଇବା ସହ ନିଜର କୌଳିକ ବୃତ୍ତି ବଞ୍ଚିଥାଉ ବୋଲି ଏମାନଙ୍କ ଏକ ସଂକଳ୍ପ । ପ୍ରତିବର୍ଷ ୨ମାସ ମଧ୍ୟରେ ୬୦୦ରୁ ଊର୍ଦ୍ଧ୍ଵ ମୃଦଙ୍ଗ ମରାମତି ସହ ୧୫୦ରୁ ନିଜ ହାତରେ ପ୍ରସ୍ତୁତ ମୃଦଙ୍ଗ ବଜାରରେ ବିକ୍ରି କରିଥାନ୍ତି ।
କଞ୍ଚାମାଲର ଅଭାବ, ପାରିବାରିକ ଦାରିଦ୍ରତା, ପାରିଶ୍ରମିକ କମ ସତ୍ତ୍ବେ ଏମାନଙ୍କ ବୃତ୍ତି ଓ କର୍ତ୍ତବ୍ୟରେ କେବେ ଅବେହଳା କରିନାହାନ୍ତି । ଏହି କାରିଗରମାନେ କୌଳକ ବୃତ୍ତି ନିମନ୍ତେ ଗୁଣପୁର ଚାଲି ଆସିଲେ ଘରର ସ୍ତ୍ରୀ, ପିଲା ଦିନ ମଜୁରୀ କରି ଚଳନ୍ତି । ଏହି କୌଳିକ ବୃତ୍ତିରେ ଦିନର ମଜୁରୀ ଠାରୁ କମ ପାରିଶ୍ରମିକ ମିଳେ । ତେଣୁ ସରକାର ସେମାନଙ୍କୁ ଭତ୍ତା ବ୍ୟବସ୍ଥା କରିବା ଜରୁରୀ ବୋଲି ଅନୁରୋଧ କରିଛନ୍ତି । ଏହି କାରିଗର ଭଳି ୪ଟି ଦଳ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ପ୍ରାନ୍ତରକୁ ଯାଇ ମୃଦଙ୍ଗ ମରାମତି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ସରକାର ଏହି କାରିଗରମାନଙ୍କୁ ପ୍ରତ୍ସୋହନ ନଦେଲେ ପରମ୍ପରା ଲୋପ ଦିଗରେ ପ୍ରଭାବ ପଡିବ ବୋଲି ସାଧରଣରେ ମତପ୍ରକାଶ ପାଉଛି । ସ୍ୱଳ୍ପ ପ୍ରାପ୍ୟ ପାଇଁ ମୃଦଙ୍ଗବାଦ୍ୟ ଭଳି ଅତି ପୁରୁଣା ପରମ୍ପରାକୁ ଉଜ୍ଜିବିତ ରଖିବାକୁ ଏମାନଙ୍କ ପ୍ରୟାସ ଅତୁଳନୀୟ ଅଟେ । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
Comments are closed.