୨ୟ ଦିନିକିଆ ଆଜି; କର ବା ମର ସ୍ଥିତିରେ ଭାରତ

ରାଞ୍ଚି: ଟ୍ବେଣ୍ଟି୨୦ ବିଶ୍ବକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ଦିନିକିଆ ଶୃଙ୍ଖଳା ଖେଳିବା ଅନେକଙ୍କୁ ଚକିତ କରିଛି ନିଶ୍ଚୟ। ହେଲେ ଏହି ଶୃଙ୍ଖଳା ଦକ୍ଷିଣ ଆଫ୍ରିକା ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ବିଶ୍ବକପ୍‌ ସୁପର ଲିଗ୍‌ ପଏଣ୍ଟ ତାଲିକାରେ ଦକ୍ଷିଣ ଆଫ୍ରିକା ଏବେ ୧୧ଶ ସ୍ଥାନରେ ରହିଛି। ପ୍ରଥମ ୮ଟି ସ୍ଥାନରେ ରହିଲେ ହିଁ ଏହା ଆସନ୍ତାବର୍ଷର ଦିନିକିଆ ବିଶ୍ବକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ଭାରତ ବିପକ୍ଷ ପ୍ରଥମ ଦିନିକିଆକୁ ଜିତି ଦକ୍ଷିଣ ଆଫ୍ରିକା ୧୦ ପଏଣ୍ଟ ପାଇଥିବା ବେଳେ ବାକି ୨ଟି ଦିନିକିଆ ମଧ୍ୟ ଜିତିବାକୁ ଲକ୍ଷ୍ୟରହିଛି। ଟି୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳର ପ୍ରମୁଖ ଖେଳାଳି ଅଷ୍ଟ୍ରେଲିଆରେ ଥିବା ବେଳେ ଶିଖର ଧାୱନ ନେତୃତ୍ବାଧୀନ ଭାରତକୁ ଆସନ୍ତା ୨ଟି ମ୍ୟାଚରେ ହରାଇ ଶୃଙ୍ଖଳା ଜିତିବା ସହ ଅଧିକ ବିଶ୍ବକପ୍‌ ସୁପର ଲିଗ୍‌ ପଏଣ୍ଟ ଜିତିବାର ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ରବିବାର ଏଠାରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ହାରିବା ପରେ ଶୃଙ୍ଖଳାରେ ତିଷ୍ଠି ରହିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ।

ଦୀପକ ଚହର ଆହତହେବା ଭାରତୀୟ ବୋଲିଂ ସନ୍ତଳନକୁ ବିଗାଡ଼ି ଦେଇଛି। ମହମ୍ମଦ ସିରାଜ୍‌ ଓ ଆଭେସ୍‌ ଖାଁ ନୂଆବଲ୍‌ରେ ଚମତ୍କାର ବୋଲିଂ କରିଥିବା ବେଳେ ଶେଷଆଡ଼କୁ ଅଧିକ ରନ୍‌ ଦେଇଥିଲେ। ଦିନିକିଆ ପଦାର୍ପଣ କରି ରବି ବିଷ୍ଣୋଇ ଅଧିକ ରନ୍‌ ଦେଇଥିବାରୁ ତାଙ୍କ ସ୍ଥାନରେ ବଙ୍ଗଳାର ବାମହାତି ସ୍ପିନର ଶାହ୍‌ବାଜ ଅହମ୍ମଦ କିମ୍ବା ଦୀପକ ଚହରଙ୍କ ବଦଳ ଖେଳାଳି ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ। ବ୍ୟାଟିଂରେ ଭାରତ ପରିବର୍ତ୍ତନ କରିବା ସମ୍ଭାବନା କମ୍‌। ତଥାପି ପ୍ରଥମ ମ୍ୟାଚ୍‌ରେ ୧୮ ଓଭରରେ ମାତ୍ର ୫୧ ରନ୍‌କରି ୪ଟି ୱିକେଟ ହରାଇବା ଭଳି ପରିସ୍ଥିତିକୁ ଏଡ଼ାଇବାକୁ ଭାରତ ଚାହିଁବ। ପ୍ରଥମ ମ୍ୟାଚ୍‌ରେ ଭାରତର ଉଭୟ ଓପ୍‌ନର ବିଫଳ ହୋଇଥିବା ବେଳେ ଋତୁରାଜ ଗାଏକ୍‌ୱାଡ୍‌ ଓ ଈଶାନ୍ କିଷନ ଧିମା ବ୍ୟାଟିଂ କରିଥିଲେ। ଏହି ୪ ଜଣଙ୍କଠାରୁ ଦଳ ଉନ୍ନତ ପ୍ରଦର୍ଶନର ଆଶାରଖିଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଷ୍ଟାଣ୍ଡବାଇ ଖେଳାଳି ତାଲିକା‌େର​‌ ଥିବା ଶ୍ରେୟାସ ଆୟର ପ୍ରଥମ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିବା ବେଳେ ଉକ୍ତ ପ୍ରଦର୍ଶନ ବଜାୟ ରଖିବାକୁ ଚାହିଁବେ।

prayash

ସଞ୍ଜୁ ସାମ୍‌ସନ ମଧ୍ୟ ପୁଣିଥରେ ସୁଯୋଗର ସଦ୍‌ବ୍ୟବହାର କରିବା ଲକ୍ଷ୍ୟରେ ଅଛନ୍ତି। ଅନ୍ୟପକ୍ଷ​‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ତାଙ୍କ କ୍ରିକେଟ୍‌ ଜୀବନର ସବୁଠାରୁ ଖରାପ ସମୟରେ ଅଛନ୍ତି। ଚଳିତ ଗସ୍ତରେ ୪ଟି ମ୍ୟାଚ୍‌ରୁ ବାଭୁମା ୦, ୦, ୩, ୮ ରନ୍‌ କରିଛନ୍ତି। ପ୍ରଥମ ଦିନିକିଆରେ ମଧ୍ୟକ୍ରମରେ ବ୍ୟାଟିଂ କରିବା ସତ୍ତ୍ବେ ବାଭୁମା ବିଫଳ ହୋଇଥିଲେ। ୨ ସପ୍ତାହରେ ତାଙ୍କୁ ବିଶ୍ବକପ୍‌ ଖେଳିବାର ଥିବାରୁ ବାଭୁମାଙ୍କୁ ଫର୍ମ ଫେରି ପାଇବାକୁ ହେବ। ଚଳିତ ଗସ୍ତରେ ଭାରତ ପାଇଁ ଦୁଃସ୍ବପ୍ନ ପାଲଟିଛନ୍ତି ଅଭିଜ୍ଞ ଡେଭିଡ୍‌ ମିଲର। ଗୁଆହାଟୀରେ ମିଲର ଅପରାଜିତ ଶତକ ହାସଲ କରିଥିବା ବେଳେ ଗତ ଦିନିକିଆରେ ଅପରାଜିତ ୭୫ ରନ୍‌ କରିଥିଲେ। ହେନ୍‌ରିକ୍‌ କ୍ଲାସେନ୍‌ ଉକ୍ତ ଦିନିକିଆରେ ଯେପରି ବ୍ୟାଟିଂ କରିଥିଲେ; ତାହା ମଧ୍ୟ ପ୍ରଶଂସନୀୟ। ଟ୍ବେଣ୍ଟି୨୦ ଶୃଙ୍ଖଳା​‌ରେ ଖରାପ ପ୍ରଦର୍ଶନ କରି ସମାଲୋଚିତ ହୋଇଥିବା ଦକ୍ଷିଣ ଆଫ୍ରିକାର ପେସ୍‌ ବାହିନୀ ପ୍ରଥମ ଦିନିକିଆରେ ଭଲ ପ୍ରଦର୍ଶନ କରିଥିଲେ। ଏହା ଜାରି ରଖିବାକୁ କାଗିସୋ ରାବାଡା ନେତୃତ୍ବାଧୀନ ପେସ୍ ବାହିନୀ ଚାହିଁବେ।

ଗତ ମ୍ୟାଚ୍‌ରେ ଅତ୍ୟଧିକ ରନ୍‌ ଦେଇଥିବା ସ୍ପିନର ତାବ୍ରେଜ୍‌ ସାମ୍‌ସିଙ୍କ ସ୍ଥାନରେ ପେସ୍‌ ବୋଲର ଭାବେ ମାର୍କୋ ୟାନ୍‌ସେନ୍‌ କିମ୍ବା ଆନ୍‌ରିଚ୍‌ ନୋର୍ଖିୟାଙ୍କୁ ସୁଯୋଗ ମିଳିପାରେ। ରାଞ୍ଚିରେ ରବିବାର ଅଳ୍ପ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି। ରାଞ୍ଚିର ପିଚ୍‌ରେ ଅଧିକ ରନ୍‌ ହେବ ବୋଲି ଅନୁମାନ କରାଯାଉଛି। କାକର ପଡ଼ୁଥିବାରୁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ ନେବାକୁ ଚାହିଁବେ।

kalyan agarbati

Comments are closed.