ବ୍ରିଟିଶ ଆସିବା ପୂର୍ବରୁ ଭାରତର ଆଇନ ଓ ନ୍ୟାୟ ବ୍ୟବସ୍ଥା

ପ୍ରାଚୀନ ଭାରତରେ ଆଇନ ମୂଳତଃ ନୈତିକତା ଉପରେ ଆଧାରିତ ଥିଲା ଓ ଆମେ ଆଜିକାଲି ଆଇନ ଅର୍ଥ ଯାହା ବୁଝୁଛେ ପ୍ରାଚୀନ ଭାରତରେ ଆଇନର ଅର୍ଥ ତାହା ନଥିଲା କାରଣ ସେତେବେଳେ କୌଣସି ସାର୍ବଭୌମ କ୍ଷମତାର ଆଦେଶ ଅଥବା କୌଣସି ଜଣେ ନିର୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ମୁଖ ନିଃସୃତ ବାଣୀ ହିଁ ଆଇନ ଓ ତାହା ପାଳନ କରିବାର ବାଧ୍ୟବାଧକତା ନଥିଲା। ପ୍ରାଚୀନ ଭାରତରେ ତାହା ହିଁ ଆଇନ ବୋଲି ବିଶ୍ୱାସ କରାଯାଉଥିଲା ଯାହା ଜଣେ ଦିବ୍ୟଦ୍ରଷ୍ଟା ଲେଖକଙ୍କ ଦ୍ୱାରା ପ୍ରସ୍ତୁତ ଏକ ଆଚରଣ ବିଧି। ସେତେବେଳେ ଆଇନର ମୁଖ୍ୟ ଉତ୍ସ ଥିଲା ‘ସ୍ମୃତି’! ଅର୍ଥାତ୍‍ ଯାହା ମନେ ଅଛି।

ସେତେବେଳେ ବିଶ୍ୱାସ ରହିଥିଲା ଯେ ଈଶ୍ୱର ମୁନିଋଷିମାନଙ୍କ ଜରିଆରେ ମାନବ ପାଇଁ ଯେଉଁ ଆଚରଣ ବିଧି ପରିପ୍ରକାଶ କରୁଥିଲେ ଓ ତହିଁରୁ ଯତିକି ମୁନିଋଷିମାନଙ୍କ ମନେ ରହିଥିଲା ତାହା ସେମାନେ ସମାଜକୁ ସମର୍ପିତ କରିଥିଲେ। ତେଣୁ ଋଷି ମୁନିମାନଙ୍କୁ ମଧ୍ୟ ସ୍ମୃତିକାର ବୋଲି କୁହାଯାଏ। ବିଶାଳ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ସମୟରେ ସ୍ମୃତିକାରମାନେ ଛନ୍ଦରେ ରଚିତ ସ୍ମୃତିଗୁଡ଼ିକୁ ସଙ୍କଳନ କରି ରଖୁଥିଲେ; କିନ୍ତୁ ତାହା କଲାବେଳେ ସେମାନେ କୌଣସି ସାର୍ବଭୌମ ଶକ୍ତି ଦ୍ୱାରା ସେହି କାର୍ଯ୍ୟ କରିବାକୁ ଅସ୍ଥାୟୀ ଭାବେ ପ୍ରାଧିକୃତ ହୋଇନଥିଲେ ଅଥବା କୌଣସି ପଦପଦବୀ ତାଙ୍କର ନଥିଲା। ଲୋକେ ତାଙ୍କୁ ମାନୁଥିଲେ, ସମ୍ମାନ ଦେଉଥିଲେ ଓ ତାହାକୁ ହିଁ ଆଧାର କରି ସେମାନେ ଉତ୍ତମ ବିବେକାନୁମୋଦିତ ବିଷୟଗୁଡ଼ିକୁ ସମାଜ ଉଦ୍ଦେଶ୍ୟରେ ବିହିତ କରୁଥିଲେ ତଥା ଲୋକେ ମଧ୍ୟ ତାହା ଆଇନ ପରି ପାଳନ କରୁଥିଲେ। ସ୍ମୃତିକାରମାନେ ନିଜକୁ ଆଇନ ପ୍ରଣେତା ବୋଲି ବାହୁସ୍ଫୋଟ ମାରୁନଥିଲେ। ସେମାନେ କେବଳ ଦିବ୍ୟ ଆଦେଶ ଓ ପୁରୁଷ ପୁରୁଷ ଧରି ପ୍ରଚଳିତ ପ୍ରଥା ପରମ୍ପରାର ବାର୍ତ୍ତାବହ ବୋଲି ଅଭିହିତ ହେଉଥିଲେ।

prayash

ସମୟର ପରିବର୍ତ୍ତନ କ୍ରମେ ଧୀରେ ଧୀରେ କେତେକ ନିର୍ଦ୍ଦିଷ୍ଟ ପ୍ରଥା ଓ ପରମ୍ପରାର ଅନୁପାଳନ ବାଧ୍ୟତାମୂଳକ ହେଲା। ସ୍ମୃତିଗୁଡ଼ିକୁ ଧର୍ମଶାସ୍ତ୍ର ବୋଲି ମଧ୍ୟ କୁହାଯାଇଥାଏ ଯହିଁରେ ମାନବର ଆଚରଣ ବିଧିଗୁଡ଼ିକର ସଂକ୍ଷିପ୍ତସାର ଅଭିଲିଖିତ ହୋଇଥିଲା। ଧର୍ମଶାସ୍ତ୍ରଗୁଡ଼ିକରେ ମୁଖ୍ୟତଃ ଧର୍ମ, ନୈତିକତା ଓ ସାମାଜିକ କର୍ତ୍ତବ୍ୟଗୁଡ଼ିକ ବିହିତ ହୋଇଥିଲା। ଅନେକ ସ୍ମୃତି ମଧ୍ୟରୁ ମୁଖ୍ୟତଃ ତିନିଟି ସ୍ମୃତି ଗୁରୁତ୍ୱପୂର୍ଣ୍ଣ। ସେଗୁଡ଼ିକ ହେଲା ମନୁ ସ୍ମୃତି, ଯାଜ୍ଞବଳ୍‌କ୍ୟ ସ୍ମୃତି ଓ ତୃତୀୟଟି ହେଲା ନାରଦ ସ୍ମୃତି। ସ୍ମୃତିଗୁଡ଼ିକରେ ଉଲ୍ଲିଖିତ ବିଷୟବସ୍ତୁକୁ ‘ଆଇନ’ର ମାନ୍ୟତା ଦିଆଯାଉଥିବାବେଳେ ସଦାଚାରକୁ ଭାରତର ଲୋକଙ୍କ ଅଣଲିଖିତ ପାରମ୍ପରିକ ଚଳଣି ଭାବେ ଗ୍ରହଣ କରାଯାଉଥିଲା। ମନୁ ସ୍ମୃତିରେ ସରଳ ଭାଷାରେ ବୁଝିପାରିବା ଭଳି ଯୁକ୍ତିଯୁକ୍ତ ନିୟମାବଳୀ ସଂଗୃହୀତ ହୋଇ ରହିଥିଲା। ସମସ୍ତ ପାରମ୍ପରିକ ଆଇନ ତହିଁରେ ସଂକଳିତ ହୋଇଥିଲା। ଋଗ୍‍ ବେଦ କାଳରୁ ସମସ୍ତ ଧର୍ମଶାସ୍ତ୍ରରେ ମୁଖ୍ୟ ବିଧାୟକ ମନୁଙ୍କ ମତ ଓ ଭାବନାଗୁଡ଼ିକୁ ବହୁଳ ଭାବରେ ଉଲ୍ଲେଖ କରାଯାଇଛି। ଆଇନ ସମ୍ବନ୍ଧୀୟ ପରବର୍ତ୍ତୀ ପାଠ୍ୟଗୁଡ଼ିକରେ ମନୁସ୍ମୃତିରେ ରହିଥିବା ନୀତି ନିୟମଗୁଡ଼ିକୁ ଆଇନର ସ୍ୱୀକୃତି ଦିଆଯାଇଛି ଓ ଏପରି କି ନ୍ୟାୟାଳୟଗୁଡ଼ିକର ରାୟରେ ମଧ୍ୟ ସ୍ୱୀକାର କରାଯାଇଛି (ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୧୮୯୯ ମସିହାରେ ଲର୍ଡ଼ ହବ୍‍ହାଉସ କହିଥିଲେ ଯେ ମନୁ ହେଉଛନ୍ତି ସମସ୍ତ ଋଷି ଓ ବହୁଦର୍ଶୀ ବିଜ୍ଞ ତଥା ନ୍ୟାୟସଙ୍ଗତ ବ୍ୟକ୍ତିମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ସମ୍ମାନନୀୟ ଓ ପୂଜନୀୟ)।
ମନୁ ସଂହିତା ବାରଟି ଅଧ୍ୟାୟରେ ବିଭକ୍ତ। ତାହାର ଅଷ୍ଟମ ଅଧ୍ୟାୟରେ ଉଭୟ ଦେୱାନି ଓ ଫୌଜଦାରୀ ଆଇନ ବିଷୟକ ୧୮ଟି ଆଇନର ବ୍ୟବସ୍ଥା ରହିଛି। ସାର୍‍ ଉଇଲିୟମ ଜୋନ୍ସ ଯେ କି ବଙ୍ଗଳା ସର୍ବୋଚ୍ଚ ନ୍ୟାୟଳୟର ପ୍ରଥମ ବିଚାରପତି ଭାବେ ୧୭୭୪ ମସିହାରେ ଆସିଥିଲେ ସେ ପ୍ରଥମେ ସଂସ୍କୃତ ଭାଷା ଶିଖିଲେ ଓ ମନୁସ୍ମୃତିର ଅବିକଳ ଅନୁବାଦ କାର୍ଯ୍ୟ ହାତକୁ ନେଇଥିଲେ। ଅନୁବାଦଟି ୧୭୯୪ ମସିହାରେ ପ୍ରକାଶିତ ହୋଇଥିଲା ଯାହାର ମୁଖବନ୍ଧରେ ସେ ଲେଖିଥିଲେ ‘‘ତାହାର (ମନୁସ୍ମୃତିର) ଲେଖନୀ ଶୈଳୀରେ ସଂଯତ କିନ୍ତୁ କଠୋର ସାର୍ବଭୌମ ଶକ୍ତି ରହିଛି ଯାହା ବିଧାନ ପ୍ରଣୟନର ଭାଷା ପରି ଗାମ୍ଭୀର୍ଯ୍ୟପୂର୍ଣ୍ଣ କିନ୍ତୁ ଭକ୍ତି ଓ ଭୟ ମିଶ୍ରିତ ଉପଦେଶାତ୍ମକ ଉଦ୍‍ବୋଧନ ପରି ଶୁଭିଥାଏ।’’
ମନୁସ୍ମୃତିକୁ ଆଧାର କରି ଯାଜ୍ଞବଲ୍‍କ୍ୟ ସଂହିତା ପ୍ରଣୟନ କରାଯାଇଥିଲା; କିନ୍ତୁ ଏହା ଅଧିକ ନ୍ୟାଯ୍ୟ, ଯୁକ୍ତିଯୁକ୍ତ ଓ ସମନ୍ୱିତ ଥିଲା ଏବଂ ବିଶେଷକରି ମହିଳାମାନଙ୍କ ଉତ୍ତରାଧିକାର, ସେମାନଙ୍କ ସମ୍ପତ୍ତିର ମାଲିକାନା ସ୍ବତ୍ୱର ଅଧିକାର ଆଦି ଏହାର ପରିସରଭୁକ୍ତ ଥିଲା। ଯାଜ୍ଞବଳ୍‌କ୍ୟ ଯଦିଓ ଜଣେ ପାରମ୍ପରିକ ରକ୍ଷଣଶୀଳ ଥିଲେ କିନ୍ତୁ ମନୁଙ୍କ ଅପେକ୍ଷା ଅଧିକ ଉଦାର ଥିଲେ। ସମ୍ଭବତଃ ତାହାର କାରଣ ହୋଇଥାଇପାରେ ସେ ସମୟରେ ବୁଦ୍ଧଙ୍କ ଶିକ୍ଷା ଓ ବାଣୀର ପ୍ରଭାବ। ଯାଜ୍ଞବଲ୍‍କ୍ୟଙ୍କ ସଂହିତାରେ ଦେୱାନୀ ମାମଲାଗୁଡ଼ିକରେ କେଉଁ ଆଇନଗତ ପ୍ରକ୍ରିୟା ଓ କେଉଁ ସାକ୍ଷ୍ୟ ଆଇନ ଅନୁସୃତ ହେବ ତହିଁରେ ବିଶେଷ ଭାବେ ଉନ୍ନତି ଅଣାଯାଇଥିଲା। ଯାଜ୍ଞବଳ୍‌କ୍ୟଙ୍କ ମତରେ ଏକ ନ୍ୟାୟିକ କାର୍ଯ୍ୟବିଧି ସେତେବେଳେ ଆବଶ୍ୟକ ହୁଏ ଯେତେବେଳେ ଜଣେ ବ୍ୟକ୍ତିଙ୍କ ଅଧିକାରକୁ ଉପେକ୍ଷା କରାଯାଏ ଅଥବା ସ୍ମୃତି ବା ପାରମ୍ପରିକ ଆଇନର ଉଲ୍ଲଙ୍ଘନ କ୍ରମେ ଯେତେବେଳେ ଜଣେ ଅନ୍ୟ ଜଣଙ୍କ କ୍ଷତି ସାଧନ କରିଥାଏ।
ନାରଦ ସଂହିତା ଆମ ପାଖକୁ ନିଜ ମୂଳ ରୂପରେ ଆସିଥିଲା ଯାହାର ପ୍ରାରମ୍ଭରେ ଏକ ଭୂମିକା ରହିଥିଲା ଓ ବିବାଦର ବିଚାର କିପରି କରାଯିବ ତାହା ଦୁଇଟି ଭାଗରେ ବର୍ଣ୍ଣନା କରାଯାଇଥିଲା। ପ୍ରଥମଟି ହେଲା ବିଚାର ବ୍ୟବସ୍ଥା ଓ ଦ୍ୱିତୀୟଟିରେ ମନୁସ୍ମୃତିରେ ରହିଥିବା ଅଠରଟି ଆଇନ ବିଷୟକ ବ୍ୟବସ୍ଥା ସ୍ପଷ୍ଟ ଓ ବିସ୍ତୃତ ଭାବେ ଆଲୋଚିତ ହୋଇଥିଲା। ନାରଦ ସ୍ମୃତିରେ ଉତ୍ତରାଧିକାର, ମାଲିକାନାସ୍ବତ୍ବ, ସମ୍ପତ୍ତି, ଉପହାର ଓ ଭାଗୀଦାରୀ ବିଷୟକ ଆଇନ ବିଷୟରେ ବିଶେଷ ବ୍ୟବସ୍ଥା ରହିଥିଲା। ବାଦୀର ଆରୋପ ଓ ତା ଉପରେ ପ୍ରତିବାଦୀର ଉତ୍ତର, ସାକ୍ଷୀମାନଙ୍କ ସାକ୍ଷ୍ୟ ପ୍ରଦାନ ଓ ପ୍ରକ୍ରିୟା ସମ୍ପର୍କିତ ଅନେକ ନୀତି ଓ ନିୟମ ନାରଦ ସ୍ମୃତିରେ ଉଲ୍ଲିଖିତ ହୋଇଥିଲା। ନାରଦ ସ୍ମୃତିର ସବୁଠାରୁ ବଡ଼ ବିଶେଷତା ହେଲା ଏହା ସର୍ବପ୍ରଥମ ଧର୍ମଶାସ୍ତ୍ର ଯହିଁରେ ସ୍ୱୀକାର କରାଯାଇଥିଲା ଯେ ଯଦି ରାଜାଙ୍କ ଦ୍ୱାରା ପ୍ରଣୀତ ଆଇନ (ବିଧାନ ପ୍ରଣୟନ) ରହିଛି, ତେବେ ସ୍ମୃତିରେ ବିହିତ ଆଇନ ପାଳନ କରାଯିବ ନାହିଁ।
ସ୍ମୃତି (ଧର୍ମଶାସ୍ତ୍ର) ଗୁଡ଼ିକରେ ଏକ ସୁବ୍ୟବସ୍ଥିତ ଆଇନ ପଦ୍ଧତିର କଳ୍ପନା କରାଯାଇନଥିଲା ସତ କିନ୍ତୁ ନ୍ୟାୟର ଆକାଙ୍‌କ୍ଷା ଅବଧାରଣା କରାଯାଇଥିଲା। ସ୍ମୃତିର ବ୍ୟବସ୍ଥାମତେ ଯଦି ଲିଖିତ ଆଇନ କିଛି ନାହିଁ, ଅଥବା ଦୁଇଟି ସ୍ମୃତିରେ ଗୋଟିଏ ବିଷୟରେ ଅଲଗା ଅଲଗା ବ୍ୟବସ୍ଥା ରହିଛି ତେବେ ପ୍ରାକୃତିକ ଆଇନ କାର୍ଯ୍ୟକାରୀ ହେବ। ବୃହସ୍ପତିଙ୍କ ସ୍ମୃତି ଅନୁସାରେ କେବଳ ଧର୍ମଶାସ୍ତ୍ରରେ ବିହିତ ବ୍ୟବସ୍ଥାଗୁଡ଼ିକୁ ଆକ୍ଷରିକ ଭାବେ ପାଳନ କରି କୌଣସି ନିଷ୍ପତ୍ତି ନିଆଯିବା ଉଚିତ୍‍ ନୁହେଁ କାରଣ କୌଣସି ଯୁକ୍ତି ଓ ଯଥାର୍ଥତା ନ ଥାଇ କୌଣସି ନିଷ୍ପତ୍ତି ନିଆଗଲେ ନ୍ୟାୟ ପ୍ରଦାନ ବିଫଳ ହେବା ସମ୍ଭାବନା ଅଧିକ। ବୃହସ୍ପତି ହିଁ ସାମ୍ୟ ନୀତିକୁ ଅଧିକ ଶ୍ରେଷ୍ଠ ବୋଲି ଦର୍ଶାଇ କହିଥିଲେ ଯେ ନ୍ୟାୟପ୍ରଦାନ ପାଇଁ ଯଦି ଆବଶ୍ୟକ ହୁଏ ତେବେ ଲିଖିତ ଆଇନ ବିରୁଦ୍ଧରେ ଯାଇ ସାମ୍ୟ ନୀତିର ଅନୁସରଣ କ୍ରମେ ନ୍ୟାୟ ପ୍ରଦାନ କରିବା ସମୀଚୀନ। ମନୁସ୍ମୃତିରେ ନ୍ୟାୟର କଳ୍ପନା ଚାରି ପାଞ୍ଚୋଟି ପଦରେ କରାଯାଇଥିଲା ଯହିଁରୁ ସବୁଠାରୁ ଦୃଢ଼ ଓ କଠୋର ପଦ ହେଲା – ‘‘ନ୍ୟାୟ ଯଦି ଉଲ୍ଲଙ୍ଘନ ହୁଏ ତେବେ ବିନାଶ ହେବ; ନ୍ୟାୟ ଯଦି ସଂରକ୍ଷଣ କରାଯାଏ ତେବେ ସଂରକ୍ଷିତ ହୋଇରହିବ, ସୁତରାଂ ନ୍ୟାୟର ଉଲ୍ଲଙ୍ଘନ କୌଣସି ପରିସ୍ଥିତିରେ କରାଯିବ ନାହିଁ, ନହେଲେ ଉଲ୍ଲଙ୍ଘିତ ନ୍ୟାୟ ଆମର ବିନାଶ କରିଦେବ।’’
ପ୍ରାଚୀନ ଭାରତର ଅନେକ ଆଇନ ପ୍ରାଚୀନତାର କୁହୁଡ଼ିରେ ହଜିଗଲାଣି। ତେବେ ୧୯୦୯ ମସିହାରେ ମିଳିଥିବା କୌଟିଲ୍ୟଙ୍କ ଦ୍ୱାରା ରଚିତ ଅର୍ଥଶାସ୍ତ୍ରର ଏକ ପ୍ରକୃତ ଓ ବିଶ୍ୱାସଯୋଗ୍ୟ ମୂଳଲେଖାରୁ ଜଣାପଡ଼େ ଯେ ସୁଦୂର ପ୍ରାଚୀନ କାଳରେ କ’ଣ ପ୍ରକୃତରେ ହେଉଥିଲା ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି କହିବା ସମ୍ଭବପର ନୁହେଁ। କୌଟିଲ୍ୟ ପ୍ରାୟ ଖ୍ରୀଷ୍ଟପୂର୍ବ ୩୦୦ ବେଳକୁ ଏହି ଲେଖା ଲେଖିଥିଲେ। ତେଣୁ ମନୁସ୍ମୃତି ଲେଖାଯିବା ପୂର୍ବରୁ ଅର୍ଥଶାସ୍ତ୍ର ଲେଖାଯାଇଥିବାର ଅନୁମାନ କରାଯାଏ ଯେତେବେଳେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ଥିଲେ। ଇତିହାସକାରମାନଙ୍କ ଗଣନାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଖ୍ରୀଷ୍ଟପୂର୍ବ ୩୨୫ – ୨୧ ମଧ୍ୟରେ ସିଂହାସନରେ ଅଧିଷ୍ଠିତ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଅର୍ଥଶାସ୍ତ୍ରରେ ମୌର୍ଯ୍ୟ ସାମ୍ରାଜ୍ୟର ଆଇନ ସଂହିତାର ସାରାଂଶ ଉଲ୍ଲିଖିତ ହୋଇଥିବା ବେଳେ, ଅନ୍ୟପକ୍ଷରେ ଧର୍ମଶାସ୍ତ୍ରଗୁଡ଼ିକ ଶୃଙ୍ଗ ରାଜବଂଶର ବ୍ରାହ୍ମଣଙ୍କ ପ୍ରାଧାନ୍ୟ ଭିତ୍ତିରେ ସାମ୍ରାଜ୍ୟ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ଏକ ହିନ୍ଦୁ ରାଷ୍ଟ୍ରର ଗଠନ ମାନସିକତା ଉପରେ ଆଧାରିତ ଥିଲା। ଅର୍ଥଶାସ୍ତ୍ର ଓ ଧର୍ମଶାସ୍ତ୍ର ମଧ୍ୟରେ ଫରକ ହେଲା ଅର୍ଥଶାସ୍ତ୍ର ଧର୍ମନିରପେକ୍ଷ ଆଇନକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ଧର୍ମଶାସ୍ତ୍ର ସଦାଚାର, ଧର୍ମ ଓ ନୈତିକତା ଦୃଷ୍ଟିକୋଣରୁ ପ୍ରତ୍ୟେକ ବିଷୟକୁ ଅନୁଧ୍ୟାନ କରିଥାଏ। ବିଶ୍ୱାସ କରାଯାଏ ଯେ ମନୁସ୍ମୃତି ରଚିତ ହେବା ପର୍ଯ୍ୟନ୍ତ ଧର୍ମଶାସ୍ତ୍ରଗୁଡ଼ିକ ବାହାରେ ଅର୍ଥଶାସ୍ତ୍ର ସ୍ୱତନ୍ତ୍ର ରୂପେ ବିକଶିତ ହୋଇଥିଲା କିନ୍ତୁ ମନୁସ୍ମୃତି ରଚିତ ହେବା ପରେ ଅର୍ଥଶାସ୍ତ୍ର ପୃଥକ୍‌ ରୂପେ ଆଉ କାର୍ଯ୍ୟକାରୀ ହେଲାନାହିଁ ଓ ପ୍ରାଚୀନ ଭାରତର ଲୋକେ (ହିନ୍ଦୁମାନେ) ସ୍ମୃତି ଓ ସ୍ମୃତି ଉପରେ ଆଧାରିତ ଟୀକା ଟିପ୍ପଣୀକୁ ହିଁ ଆଇନର ମାନ୍ୟତା ଦେଉଥିଲେ।

ଅର୍ଥଶାସ୍ତ୍ର ଲେଖାଗଲା ବେଳେ ଭାରତ ସମ୍ଭବତଃ ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟିକୋଣରୁ ପ୍ରଥମଥର ପାଇଁ କିନ୍ତୁ ନିଶ୍ଚିତ ରୂପେ ଶେଷଥର ପାଇଁ ବ୍ରିଟିଶ୍‍ ଆସିବା ପୂର୍ବରୁ ଏକହୋଇ ରହିଥିଲା। ସମ୍ରାଟଙ୍କ ହାତରେ ସମସ୍ତ କ୍ଷମତା ରହିଥିଲା ଯାହାଙ୍କ ଶାସନ ସମଗ୍ର ଭାରତ ଭୂଖଣ୍ଡରେ ଚାଲୁଥିଲା। କୌଟିଲ୍ୟ ତାଙ୍କ ଲେଖନୀରେ ରାଜାଙ୍କ ନ୍ୟାୟାଳୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିଛନ୍ତି। ନ୍ୟାୟ ପ୍ରଦାନ ପାଇଁ ପ୍ରତି ଦଶଟି ଗ୍ରାମପୁଞ୍ଜ ପାଇଁ ଏକ ନ୍ୟାୟାଳୟ ରହିଥିଲା ଯାହାକୁ ସେତେବେଳେ ‘‘ସଂଗ୍ରହ’’ ବୋଲି କୁହାଯାଉଥିଲା, ପ୍ରତି ଚାରିଶହ ଗ୍ରାମପୁଞ୍ଜ ପାଇଁ ଗୋଟିଏ ନ୍ୟାୟାଳୟ ରହିଥିଲା ଯାହାକୁ ‘‘ଦ୍ରୋଣମୁଖ’’ କୁହାଯାଉଥିଲା, ପ୍ରତି ଆଠ ଶହ ଗ୍ରାମପୁଞ୍ଜ ପାଇଁ ଏକ ନ୍ୟାୟାଳୟ ରହିଥିଲା ଯାହାକୁ ‘‘ସ୍ଥାନୀୟ’’ ବୋଲି କୁହାଯାଉଥିଲା ଓ ଏଗୁଡ଼ିକ ଉପରେ ଏକ ନ୍ୟାୟାଳୟ ରହିଥିଲା ଯାହାର ବିଚାରପତି ନିଜେ ରାଜା ରହୁଥିଲେ। ଯଦିଓ ରାଜାଙ୍କ ନ୍ୟାୟାଳୟ ଗଠିତ ହୋଇଥିଲା ; କିନ୍ତୁ ସ୍ଥାନୀୟ ଅଧିକାରିତା ମଧ୍ୟ ବଜାୟ ରହିଥିଲା। ପ୍ରାଚୀନ ଭାରତରେ ସମଗ୍ର ନହେଲେ ମଧ୍ୟ ବଡ଼ ଆକାରରେ ନ୍ୟାୟ ପ୍ରଶାସନ, ସଭା ବା ସମିତି ଦ୍ୱାରା ପରିଚାଳିତ ହେଉଥିଲା। ଏହି ସଭା ସମିତିଗୁଡ଼ିକରେ ଦେଶର ବିଭିନ୍ନ ବିଷୟରେ ଆଲୋଚନା ଓ ବିଚାର ବିମର୍ଶ ହେଉଥିବା ସଙ୍ଗେ ସଙ୍ଗେ ଯେଉଁ ମାମଲାଗୁଡ଼ିକ ଏମାନଙ୍କ ସମକ୍ଷରେ ଉପସ୍ଥାପନ କରାଯାଉଥିଲା ତାହାର ନ୍ୟାୟ ବିଚାର ମଧ୍ୟ କରାଯାଉଥିଲା। ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା ହେବା ପୂର୍ବରୁ ଏକ ଶକ୍ତିଶାଳୀ କେନ୍ଦ୍ର ସରକାର ଓ ଯଥୋଚିତ ଭାବେ ଗଠିତ ନ୍ୟାୟାଳୟ ରହିଥିବା ଆଉ ଅନ୍ୟ କୌଣସି ରାଜ୍ୟ ଉଧେଇଥିବାର ବିଶ୍ୱାସଯୋଗ୍ୟ ଇତିହାସ ନାହିଁ।

ପ୍ରାଚୀନ ଭାରତରେ ସଂସଦ, ବିଧାନସଭା, ସାଂସଦ ଓ ବିଧାୟକ ନଥିଲେ ଓ ସେମାନଙ୍କ ଦ୍ୱାରା ପ୍ରଣୀତ କୌଣସି ଆଇନ ନଥିଲା ଅଥବା ଆଇନ ଦ୍ୱାରା ପ୍ରତିଷ୍ଠିତ କୌଣସି ନ୍ୟାୟାଳୟ ନଥିଲା ; କିନ୍ତୁ ସେତେବେଳେ ଥିଲା ଆଇନ ଶୃଙ୍ଖଳା, ନ୍ୟାୟ, ଓ ଭଦ୍ର, ଶିଷ୍ଟ ସମାଜ। କାରଣ ସେତେବେଳେ ଲୋକେ ଥିଲେ ସରଳ, ନିଷ୍କପଟ ଓ ଧର୍ମାନୁରାଗୀ। ସମାଜ ପରିଚାଳିତ ହେଉଥିଲା ମହତ୍‍ ଲୋକଙ୍କ ଦ୍ୱାରା ସଦାଚାର, ସଚ୍ଚୋଟତା, ସହନଶୀଳତା ଓ ନିଷ୍ଠାକୁ ଆଧାର କରି। ବର୍ତ୍ତମାନ ସମୟରେ ଆମ ଦେଶର ନ୍ୟାୟ ବ୍ୟବସ୍ଥା ନିଶ୍ଚିତ ଭାବେ ଅଧିକ ଉନ୍ନତ ଓ ବ୍ୟାପକ ହୋଇଥିଲେ ହେଁ ପୂର୍ବଭଳି ସମାଜରେ ସ୍ନେହ, ମମତା, ସହନଶୀଳତା, ସଚ୍ଚୋଟତା ଆଦି ମାନବୀୟ ମୂଲ୍ୟବୋଧଗୁଡ଼ିକର ପ୍ରତିଷ୍ଠା କରିବାରେ ବିଶେଷ ସହାୟକ ହୋଇ ନ ପାରୁଥିବା ଭଳି ମନେହୁଏ। ମାନବୀୟ ମୂଲ୍ୟବୋଧର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟ ଯେ କୌଣସି ସମାଜ ଓ ଦେଶର ନ୍ୟାୟ ବ୍ୟବସ୍ଥା ପାଇଁ ଏକ ସତର୍କ ଘଣ୍ଟି ସଦୃଶ।

kalyan agarbati

Comments are closed.