ସେବା ଓ ସଂଗ୍ରାମର ବାର୍ତ୍ତାବହ ଗୋପବନ୍ଧୁ
ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନକାଳ ଥିଲା ମାତ୍ର ଏକାବନ ବର୍ଷ । ଏହି ସ୍ବଳ୍ପ ଜୀବନକାଳ ଭିତରେ ସେ ସେବା ଓ ସଂଗ୍ରାମର ଯେଉଁ ଆଦର୍ଶ ପ୍ରତିଷ୍ଠା କରିଯାଇଛନ୍ତି ତାହାର ପଟାନ୍ତର ନାହିଁ। ସମଗ୍ର ଜୀବନରେ ସେ ସତ୍ୟାନୁସନ୍ଧାନ ଓ ନିର୍ଭୀକତାର ମହାମନ୍ତ୍ରରେ ଦୀକ୍ଷିତ ହୋଇ ସେବା ଓ ସଂଗ୍ରାମକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ। ଦୀନ,ହୀନ, ଦୁଃଖୀ, ରଙ୍କୀ, ବନ୍ୟାକ୍ଳିଷ୍ଟ, ମରୁଡ଼ିଗ୍ରସ୍ତ, ରୋଗରେ ପୀଡ଼ିତ, ନିଷ୍ପେଷିତ ଓ ଅବହେଳିତ ଲୋକଙ୍କ ସେବାରେ ଜୀବନକୁ ନିୟୋଜିତ କରି ସେ ଶ୍ରେୟ ପଥର ଅନୁଗାମୀ ହୋଇପାରିଥିଲେ ତଥା ପରାଧୀନ ଦେଶବାସୀଙ୍କ ଅନାହାର, ଅର୍ଦ୍ଧାହାର, ଅଶିକ୍ଷା ଓ ଅଶାନ୍ତିରେ ବିଗଳିତ ହୋଇ ସଂଗ୍ରାମୀ ସାଜିଥିଲେ। ମହନୀୟତା ହେଉଛି, ସେବା ଓ ସଂଗ୍ରାମର ମୂର୍ତ୍ତିମନ୍ତ ବିଗ୍ରହ ଗୋପବନ୍ଧୁଙ୍କର ଉଚ୍ଚାରଣ ଓ ଆଚରଣ ସମାନ ଥିଲା। ତାଙ୍କୁ ନିଃସ୍ବାର୍ଥ ସେବା ଓ ସଂଗ୍ରାମର ବାର୍ତ୍ତାବହ କହିଲେ ଅତ୍ୟୁକ୍ତି ହେବନାହିଁ।
ଗୋପବନ୍ଧୁ ୧୮୭୭, ଅକ୍ଟୋବର ୯ ତାରିଖରେ ସତ୍ୟବାଦୀ ସନ୍ନିକଟ ସୁଆଣ୍ଡୋ ଗ୍ରାମରେ ମାତା ସ୍ବର୍ଣ୍ଣମୟୀ ପିତା ଦୈତ୍ୟାରି ଦାଶଙ୍କ ପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ। ଚାଟଶାଳୀ ଓ ପ୍ରାଥମିକ ଶିକ୍ଷାଗ୍ରହଣ କାଳରେ ଗୃହର ଇଷ୍ଟ ଦେବତା ରାଧାଗୋବିନ୍ଦଙ୍କ ପୂଜାର ଓ ପ୍ରତ୍ୟହ ସନ୍ଧ୍ୟାରେ ଭାଗବତ ପାଠରେ ସେ ମନୋନିବେଶ କରିଥିଲେ। ଭାଗବତ ପାଠରୁ ସେ ଦିବ୍ୟଚେତନା ଲାଭ କରିଥିଲେ ଯେ, ‘ଅହଂଭାବ ରହିତ ନିଃସ୍ବାର୍ଥ ସେବା ଓ ଅନ୍ୟାୟ ବିରୋଧରେ ସଂଗ୍ରାମ ହିଁ ପରମ କର୍ତ୍ତବ୍ୟ।’ ତାଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଅଞ୍ଚଳଟି ଭାର୍ଗବୀ ଓ ରତ୍ନଚିରା ନଦୀର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଥିଲା ତଥା ତତ୍କାଳୀନ ଅଞ୍ଚଳବାସୀ ଅଶିକ୍ଷିତ, ଅନାହାର ଓ ପରାଧୀନ ରହି ଅକଥନୀୟ ଦୁଃଖଦୁର୍ଦଶା ଭୋଗୁଥିଲେ। ଏହା ଗୋପବନ୍ଧୁଙ୍କ ହୃଦୟରେ ଗଭୀର ରେଖାପାତ କରିଥିଲା। ଅଞ୍ଚଳବାସୀଙ୍କ ଦୁଃଖରେ ଜର୍ଜରିତ ହୋଇ ଗୋପବନ୍ଧୁ ନିଜର ସାଥୀମାନଙ୍କ ସହିତ ପବିତ୍ର ଭାର୍ଗବୀତୀରରେ ସଙ୍କଳ୍ପ କରିଥିଲେ ଯେ, ‘ନିଜକୁ ନିଜ ଦେଶକୁ ଓ ନିଜ ଦେଶର ଲୋକଙ୍କୁ ଗଢ଼ିବା ନିମିତ୍ତ ସେମାନେ ଜୀବନ ଉତ୍ସର୍ଗ କରିବେ।’ ଏହି ଦୃଢ଼ ସଂକଳ୍ପ ହିଁ ପରବର୍ତ୍ତୀ ଜୀବନରେ ତାଙ୍କୁ ସେବା ଓ ସଂଗ୍ରାମର ମୂର୍ତ୍ତିମନ୍ତ ବିଗ୍ରହରେ ରୂପାନ୍ତରିତ କରିଥିଲା। ନିଜେ କରିଥିବା ସଂକଳ୍ପ ପୂରଣ କରିବା ନିମିତ୍ତ ନିଃସ୍ବାର୍ଥ ସେବା, ତ୍ୟାଗ ଓ ସଂଗ୍ରାମର ଜୀବନକୁ ସେ ଆପଣେଇ ନେଇଥିଲେ।
ଗ୍ରାମରେ ଓ ଗ୍ରାମ ନିକଟସ୍ଥ ରୂପଦେଇପୁରରେ ଶିକ୍ଷା ସମାପ୍ତ ପରେ ଗୋପବନ୍ଧୁ ପୁରୀ ଜିଲା ସ୍କୁଲରେ ଅଧ୍ୟୟନ କଲେ। ପୁରୀ ଏକ ବିଶ୍ବବିଦିତ ଧର୍ମପୀଠ ହୋଇଥିଲେ ମଧ୍ୟ ସେହି ସମୟରେ ଏହି ତୀର୍ଥନଗରୀର ପରିବେଶ ସ୍ବାସ୍ଥ୍ୟାନୁକୂଳ ନଥିଲା। ରଥଯାତ୍ରା ସମୟରେ ପୁରୀରେ ହଜାରହଜାର ଭକ୍ତ ଓ ତୀର୍ଥଯାତ୍ରୀ ଏକତ୍ର ହେଉଥିଲେ। ଅସଂଖ୍ୟଯାତ୍ରୀଙ୍କ ଆଗମନ ହେତୁ ପୁରୀର ପରିବେଶ ଦୂଷିତ ଓ ଦୁଃସହ ହୋଇଯାଉଥିଲା। ଘୋଷଯାତ୍ରା ଅବସରରେ ପୁରୀରେ ହଇଜା ରୋଗ ବ୍ୟାପିଗଲା। ଗୋପବନ୍ଧୁ ହଇଜାର ବ୍ୟାପକ ରୂପକୁ ସ୍ବଚକ୍ଷୁରେ ପ୍ରତ୍ୟକ୍ଷ କରିଥିଲେ। ବଡ଼ଦାଣ୍ଡ, ଶରଧାବାଲି ଓ ସମୁଦ୍ରକୂଳରେ ହଇଜାରେ ମୃତ୍ୟୁଲାଭ କରିଥିବା ଶହଶହ ବ୍ୟକ୍ତିଙ୍କ ଶବ ପଡ଼ିରହିଥିଲେ ହେଁ ଶବସଂସ୍କାରର କୌଣସି ବ୍ୟବସ୍ଥା କରାଯାଇପାରିନଥିଲା। ହଇଜା ପ୍ରପୀଡ଼ିତ ଲୋକଙ୍କ ଚିକିତ୍ସା କରିବାକୁ ଅଥବା ପରିବେଶ ପରିଷ୍କାର କରିବାକୁ କେହି ନଥିଲେ। ପୁରୀ ସହରରେ ହଇଜା ଆତଙ୍କ ସୃଷ୍ଟି କରିଥିଲେ ହେଁ ଏହାର ପ୍ରତିକାର ନିମିତ୍ତ କୌଣସି ବ୍ୟବସ୍ଥା କରାଯାଇନଥିଲା। ପରିଣାମ ସ୍ବରୂପ, ସୁସ୍ଥ ଲୋକ ମଧ୍ୟ ହଇଜାରେ ଆକ୍ରାନ୍ତ ହୋଇପଡ଼ୁଥିଲେ। ଏହି ଦୁରବସ୍ଥା ଦେଖି େଗାପବନ୍ଧୁଙ୍କ ପ୍ରାଣ ବିଗଳିତ ହୋଇପଡ଼ିଥିଲା। ସେ କେତେଜଣ ସ୍ବେଚ୍ଛାସେବୀଙ୍କୁ ଏକତ୍ର କରି ‘ପୁରୀ ସେବା ସମିତି’ ଗଢ଼ିଲେ ତଥା ସଭିଙ୍କ ସହିତ ମିଶି ଶବସଂସ୍କାର, ରୋଗୀଙ୍କ ସେବା ଓ ପରିବେଶ ପରିଚ୍ଛନ୍ନ କରିବାରେ ଲାଗିପଡ଼ିଲେ। ସାଥୀ ସ୍ବେଚ୍ଛାସେବୀଙ୍କୁ ଅନୁପ୍ରେରିତ କରିବା ନିମିତ୍ତ ତାଙ୍କର ମହାମନ୍ତ୍ର ଥିଲା, ‘ମାନବ ସେବା ହିଁ ମାଧବ ସେବା’। ଗୋପବନ୍ଧୁ ଓ ତାଙ୍କ ସାଥୀମାନଙ୍କ ଐକାନ୍ତିକ ନିଷ୍ଠା ଓ ସେବା ଦ୍ବାରା ପୁରୀ ସହରର ଦୁରବସ୍ଥା ସ୍ବଳ୍ପଦିନ ମଧ୍ୟରେ ସୁଧୁରିଗଲା। ପୁରୀରୁ ହିଁ ଗୋପବନ୍ଧୁଙ୍କ ସେବା ଜୀବନର ଅୟମାରମ୍ଭ ଘଟିଥିଲା। ସେବାକୁ ସେ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ।
ପୁରୀ ଜିଲା ସ୍କୁଲରୁ ମାଟ୍ରିକ୍ ପାସ କରିବା ପରେ ସେ କଟକରେ ଏଫ.ଏ . ଓ ବି.ଏ ପଢ଼ିଲେ। ସେହି ସମୟରେ ଓଡ଼ିଆ ଭାଷା ବିଲୋପ ବିରୋଧରେ ସମଗ୍ର ରାଜ୍ୟରେ ଆନ୍ଦୋଳନ ଆରମ୍ଭ ହେଲା। ଗୋପବନ୍ଧୁ ଏହି ଜାତୀୟ ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣକରି ସଂଗ୍ରାମୀ ଜୀବନ ଆରମ୍ଭ କରିଥିଲେ। ସେ ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ ପୂର୍ବକ ତୀବ୍ର ପ୍ରତିବାଦ ଜଣାଇଥିଲେ। ଏତିକିବେଳେ ତାଙ୍କ ପିତା ଓ ଜନ୍ମିତ ପୁତ୍ର ପ୍ରାଣ ହରାଇଥିଲେ ହେଁ ସେ ଜାତୀୟ ସଂଗ୍ରାମରୁ ବିରତ ହୋଇନଥିଲେ। ସେ ମର୍ମେ ମର୍ମେ ଅନୁଭବ କରିଥିଲେ ଯେ, ‘ଓଡ଼ିଆ ଭାଷା ବିଲୋପ ହେଲେ ଓଡ଼ିଆ ଜାତିର ପରିଚୟ ହଜିଯିବ’। ଜାତୀୟ ସଂଗ୍ରାମରେ ବ୍ରତୀ ହେବା ନିମିତ୍ତ ସେ ମୁକ୍ତାର ରାମଚନ୍ଦ୍ର ଦାସଙ୍କୁ ଗୁରୁ ଭାବରେ ଗ୍ରହଣ କରିଥିଲେ। ତାଙ୍କରି ପ୍ରେରଣାରେ ଗୋପବନ୍ଧୁ ଉତ୍କଳ ସମ୍ମିଳନୀରେ ଯୋଗ ଦେଇଥିଲେ। ୧୯୦୨ରେ ରମ୍ଭାଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ବତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ତାଙ୍କ ସଂଗ୍ରାମ ଏହିଠାରୁ ଆରମ୍ଭ ହୋଇଥିଲା। ୧୯୦୩ରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆହ୍ବାନରେ କଟକଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
୧୯୦୪ରେ ଗୋପବନ୍ଧୁ ବି.ଏ ପାସ କଲେ ଏବଂ ବି.ଏଲ ପଢ଼ିବାକୁ କଲିକତା ଗଲେ। କଲିକତାରେ ସେ ଶହଶହ ଓଡ଼ିଆଙ୍କ ଦୁରବସ୍ଥା ଓ ଦୁର୍ଦଶା ଦେଖି ମର୍ମାହତ ହୋଇପଡ଼ିଲେ। ସେତେବେଳେ ଅଗଣିତ ଓଡ଼ିଆ କଲିକତାରେ ଶ୍ରମିକ ଭାବରେ କାମ କରୁଥିଲେ। ପେଟ ପୋଷିବା ପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା, ଅଥଚ ଏହି ଶ୍ରମିକମାନେ ମିଲ୍ ମାଲିକ ଓ ଧନୀ ବ୍ୟକ୍ତିଙ୍କ ଦ୍ବାରା ଲାଞ୍ଛିତ,ଅପମାନିତ ଓ ଶୋଷିତ ହେଉଥିଲେ। ଦୁଇବେଳା ଅନ୍ନସଂସ୍ଥାନ ନିମିତ୍ତ ଓଡ଼ିଆ ଶ୍ରମିକମାନେ ସବୁ ନିର୍ଯାତନା ସହିବାକୁ ବାଧ୍ୟ ହେଉଥିଲେ। ଗୋପବନ୍ଧୁ କଲିକତାରେ ‘ଓଡ଼ିଆ ଶ୍ରମିକ ସଂଘ’ ଗଠନ କଲେ। ସେ ନିୟମିତ ସଭା, ସମିତି ଓ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ମାଧ୍ୟମରେ ଓଡ଼ିଆ ଶ୍ରମିକମାନଙ୍କ ନ୍ୟାଯ୍ୟ ଦାବି ଉପସ୍ଥାପନା କଲେ। ଶ୍ରମିକମାନଙ୍କୁ ସାକ୍ଷର ଓ ଶିକ୍ଷିତ କରାଇବା ନିମିତ୍ତ ଗୋପବନ୍ଧୁ କଲିକତାରେ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କଲେ। ଏହି ସମୟରେ ତାଙ୍କର ଦ୍ବିତୀୟ ପୁତ୍ରର ମୃତ୍ୟୁ ଘଟିଥିଲେ ମଧ୍ୟ ସେ ଶ୍ରମିକମାନଙ୍କ ସେବା ଓ ସଂଗ୍ରାମରୁ ବିରତ ହୋଇନଥିଲେ। ଏପରିକି ସେ ଯେଉଁଦିନ ବି.ଏଲ, ପାସ କରିଛନ୍ତି ବୋଲି ଖବର ପାଇଲେ ସେହିଦିନ ପ୍ରାଣପ୍ରିୟ ପତ୍ନୀଙ୍କର ମୃତ୍ୟୁସମ୍ବାଦ ପାଇଥିଲେ। ତଥାପି ସେ ସେବା ଓ ସଂଗ୍ରାମ କାର୍ଯ୍ୟ ଅବ୍ୟାହତ ରଖିଲେ। ଦୁଃଖ, ଅବସାଦ, ଯନ୍ତ୍ରଣା, ପିତୃ ବିୟୋଗ, ପୁତ୍ରବିୟୋଗ ଓ ପତ୍ନୀବିୟୋଗ ଜନିତ ମର୍ମାନ୍ତିକ ବ୍ୟଥା ତାଙ୍କୁ ସେବା ଓ ସଂଗ୍ରାମରୁ ବିଚ୍ୟୁତ କରିପାରିନଥିଲା।
୧୯୦୬ରେ କଲିକତାରୁ ବି.ଏଲ.ପାସ କରି ସେ ପ୍ରଥମେ ନୀଳଗିରିରେ ହାଇସ୍କୁଲଟିଏ ପ୍ରତିଷ୍ଠା କରି ସେହି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରହିଲେ। ଏହାପରେ ସେ ସ୍ବଳ୍ପକାଳ ନିମିତ୍ତ ବାରିପଦାରେ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିଥିଲେ। ବାରିପଦାରୁ ଫେରି ଗୋପବନ୍ଧୁ ଓଡ଼ିଶାରେ ସାର୍ବଭୌମ ଶିକ୍ଷା ସଂଘ ଗଠନ କଲେ। ଏହାପରେ ୧୯୧୧ରେ ସେ ପ୍ରାଚୀନ ଗୁରୁକୁଳ ଆଶ୍ରମ ଢାଞ୍ଚାରେ ସାକ୍ଷିଗୋପାଳ ମନ୍ଦିର ପଛପାର୍ଶ୍ବରେ ଥିବା ବକୁଳ ଛୁରିଅନା କୁଞ୍ଜରେ ବନବିଦ୍ୟାଳୟ ପ୍ରତିଷ୍ଠା କଲେ। ଏହି ବନବିଦ୍ୟାଳୟଟି ଥିଲା ଏକ ମଣିଷ ତିଆରି ଅନୁଷ୍ଠାନ। ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର ଗୋପବନ୍ଧୁଙ୍କ ସହିତ ମିଶି ବନବିଦ୍ୟାଳୟ ପରିଚାଳନା ପୂର୍ବକ ‘ସତ୍ୟବାଦୀର ପଞ୍ଚସଖା’ ନାମରେ ଖ୍ୟାତି ଅର୍ଜନ କରିଥିଲେ। ଜନସାଧାରଣଙ୍କ ସେବା ନିମିତ୍ତ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ସେହି ସମୟରେ ୧୯୧୮ରେ ଓଡ଼ିଶାରେ ମରୁଡ଼ି ଓ ୧୯୧୯ରେ ପ୍ରବଳ ବନ୍ୟା ସଂଘଟିତ ହୋଇଥିଲା। ଫଳରେ ଓଡ଼ିଶାରେ ଦୁର୍ଭିକ୍ଷ ସୃଷ୍ଟି ହୋଇଥିଲା। ପୁଣ୍ୟାତ୍ମା ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟର ସହକର୍ମୀ, ଛାତ୍ର ଓ କେତେକ ସହକର୍ମୀଙ୍କୁ ସାଥିରେ ଧରି ଦୁର୍ଭିକ୍ଷ ପ୍ରପୀଡ଼ିତ ଅସ୍ଥିକଙ୍କାଳସାର ଲୋକଙ୍କୁ ମୁଠି ଚାଉଳ ଓ ଚୁଡ଼ା ବାଣ୍ଟିଥିଲେ। ସେତେେବଳର ଇଂରେଜ ସରକାର ଏହି ଦୁର୍ଭିକ୍ଷ ଘୋଡ଼ାଇବାକୁ ଉଦ୍ୟମ କରୁଥିବାରୁ ଗୋପବନ୍ଧୁ ନିର୍ଭୀକ ସଂଗ୍ରାମ ଚଳାଇଥିଲେ। ବିଧାନସଭାରେ ସେ ଦୁର୍ଭୀକ୍ଷ ପ୍ରପୀଡ଼ିତ ଲୋକେ ଖାଉଥିବା ମୁଠିଶାଗ, ଚାକୁଣ୍ଡା ପତ୍ର, ଘାସ, ପତ୍ର ଓ କୁଣ୍ଡା ଦେଖାଇ ଭୋ ଭୋ କାନ୍ଦି ପକାଇଥିଲେ।
ଓଡ଼ିଶାବାସୀଙ୍କ ଦୁରବସ୍ଥା ତଥା ବନ୍ୟା, ମରୁଡ଼ି ଓ ଦୁର୍ଭିକ୍ଷର କରାଳ ଛାୟା ଗୋପବନ୍ଧୁଙ୍କ ପ୍ରାଣକୁ ଉଦ୍ବେଳିତ କରିପକାଇଥିଲା। ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ତଥା ସ୍ବରାଜ ଓ ସଂଗ୍ରାମର ବାର୍ତ୍ତା ପ୍ରଚାର କାମନାରେ ଗୋପବନ୍ଧୁ ୧୯୧୯ ଅକ୍ଟୋବର ୪ ତାରିଖ ବିଜୟା ଦଶମୀ ତିଥିରେ ‘ସମାଜ’ ସାପ୍ତାହିକୀ ପତ୍ରିକା ପ୍ରକାଶ କଲେ। ଏହା ଥିଲା ତାଙ୍କ ସେବା ଓ ସଂଗ୍ରାମର ମୁଖପତ୍ର। ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କରି ସେ ଇଂରେଜ ସରକାରଙ୍କ କୋପଦୃଷ୍ଟିରେ ପଡ଼ିଲେ। ସରକାର ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ଗିରଫ କରିଥିଲେ ହେଁ ସେ ବିଚଳିତ ହେଲେ ନାହିଁ। ଜେଲରୁ ଖଲାସ ହେବାପରେ କଟକଠାରେ ଏକ ବିଶାଳ ସଭାରେ ଓଡ଼ିଶାବାସୀ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସଭାରେ ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଗୋପବନ୍ଧୁଙ୍କୁ ‘ଉତ୍କଳମଣି’ ବୋଲି ସମ୍ବୋଧନ କରିଥିଲେ ଏବଂ ସମବେତ ଜନତା କରତାଳି ମାଧ୍ୟମରେ ଏହି ଉପାଧିକୁ ସ୍ବୀକୃତି ଦେଇଥିଲେ। ଗୋପବନ୍ଧୁଙ୍କ ସେବା, ସଂଗ୍ରାମ, ତ୍ୟାଗ, ମାନବିକତା ଓ ସାଙ୍ଗଠନିକ ଦକ୍ଷତାରେ ମୁଗ୍ଧ ହୋଇ ଲାଲା ଲଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ସଦସ୍ୟ ରୂପେ ମନୋନୀତ କରିିଥିଲେ। ପରବର୍ତ୍ତୀ କାଳରେ ସେ ଏହି ସେବାନୁଷ୍ଠାନରେ ଉପାଧ୍ୟକ୍ଷ ପଦବୀ ଅଳଙ୍କୃତ କରିଥିଲେ।
ଲୋକସେବକ ମଣ୍ଡଳର ବୈଠକରେ ଯୋଗଦେବା ନିମିତ୍ତ ଲାହୋର ଯିବା ବାଟରେ ସେ ଓଡ଼ିଆ ଶ୍ରମିକଙ୍କ ସମସ୍ୟାକୁ ନେଇ କଲିକତାରେ ଅଟକି ଗଲେ। ସେତେବେଳେ ବହୁ ଓଡ଼ିଆ ଶ୍ରମିକ କଲିକତାର ପ୍ରେମଚାନ୍ଦ ବରାଳ ଷ୍ଟ୍ରୀଟ୍ରେ ଗୋଟିଏ ବଡ଼ କୋଠରିରେ ରହୁଥିଲେ। ସେହି କୋଠାରେ ବାୟୁ ଚଳାଚଳ ନିମିତ୍ତ ଝରକା ନଥିଲା ଏବଂ କୋଠାଟିର ପରିବେଶ ଅସ୍ବାସ୍ଥ୍ୟକର ଥିଲା। ଗୋପବନ୍ଧୁ ସେହି କୋଠାରେ ଶ୍ରମିକମାନଙ୍କ ସାଥିରେ ରହିଲେ। ସେଠାରେ ଦୂଷିତ ଜଳବାୟୁ ଓ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ଗୋପବନ୍ଧୁ ଆନ୍ତ୍ରିକ ଜ୍ବରରେ ଆକ୍ରାନ୍ତ ହେଲେ। ଚିକିତ୍ସା ସତ୍ତ୍ବେ ରୋଗ ଉପଶମ ହେଲାନାହିଁ। ଗୋପବନ୍ଧୁ ଅସୁସ୍ଥ ଅବସ୍ଥାରେ ସତ୍ୟବାଦୀ ଫେରିଆସିଲେ। ଦୀର୍ଘ ଦୁଇମାସ ଶଯ୍ୟାଶାୟୀ ହୋଇ ୧୯୨୮ ଜୁନ୍ ୧୭ ତାରିଖ ପବିତ୍ର ନେତ୍ରୋତ୍ସବ ରବିବାର ସନ୍ଧ୍ୟା ଘ.୭-୨୫ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ଗୋପବନ୍ଧୁ ଥିଲେ ସେବା ଓ ସଂଗ୍ରାମର ବାର୍ତ୍ତାବହ। ସମଗ୍ର ଜୀବନ ସେ ସେବା ଓ ସଂଗ୍ରାମରେ ଉତ୍ସର୍ଗ କରି ପ୍ରାତଃ ସ୍ମରଣୀୟ ହୋଇଯାଇଛନ୍ତି। ତାଙ୍କ ସେବା ଓ ସଂଗ୍ରାମର ପଟାନ୍ତର ନାହିଁ। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ବିୟୋଗରେ ମହାତ୍ମା ଗାନ୍ଧୀ ତା୨୧ା୬ା୨୮ରିଖ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଯେଉଁ ଶୋକବାର୍ତ୍ତା ଲେଖିଥିଲେ, ତାହା ବିଶେଷ ପ୍ରଣିଧାନଯୋଗ୍ୟ। ଆଜି ତାଙ୍କର ଜୟନ୍ତୀରେ ସେବା ଓ ସଂଗ୍ରାମ ଏ ଜାତିର ପାଥେୟ ହୋଇପାରିଲେ ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
Comments are closed.