ଆଜିଠୁ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଲକ୍ଷ୍ମୀପୂଜା
କାମାକ୍ଷାନଗର: ଆଜିଠୁ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଲକ୍ଷ୍ମୀପୂଜା । ଏଥିପାଇଁ ସହରାଞ୍ଚଳ ଚଳଚଞ୍ଚଳ ହୋଇ ପଡ଼ିଥିବା ବେଳେ ପ୍ରତ୍ୟେକ ମଣ୍ଡପରେ ମା’ ଲକ୍ଷ୍ମୀଙ୍କର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି l ପାର୍ଶ୍ଵ ଦେବା ଦେବୀଙ୍କର ମେଢ଼ ମଧ୍ୟ ନିର୍ମାଣ ସରିଛି l ପ୍ରତ୍ୟେକ ପୂଜା ମଣ୍ଡପରେ ସାଜ୍ଜସଜ୍ଜା, ଆଲୋକ, ତୋରଣ ଆଦି କାର୍ଯ୍ୟ ପୂର୍ଣ୍ଣାଙ୍ଗ ଅବସ୍ଥାରେ ପହଞ୍ଚିଛି l କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି କଟକଣା ମଧ୍ୟରେ ନାମକୁ ମାତ୍ର ପୂଜା ସଂମ୍ପର୍ଣ୍ଣ ହୋଇଥିଲା l ଚଳିତ ବର୍ଷ କରୋନା କଟକଣା ଉଠିଯିବା ପରେ ଖୁବ ଯାକଜମକରେ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବାରୁ ସହର ତଥା ଆଖପାଖ ଗ୍ରାମାଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି l ଅକ୍ଟୋବର ୯ ତାରିଖରୁ ଦଶ ଦିନ ବ୍ୟାପି ଏହି ପୂଜା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି l ବଜାର ମଧ୍ୟରେ ଉଠା ଦୋକାନୀ ସବୁ ସ୍ଥାନ ନିରୂପଣ କରି ପାଲ ଟଣା କାର୍ଯ୍ୟ ଆରମ୍ଭ କଲେଣି l
ଦୋଳି, ଚାର୍ଟ ଦୋକାନ ମଧ୍ୟ ସେମାନଙ୍କର ଜାଗା ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କଲେଣି l ଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା ଏବଂ ଗଣ୍ଡଗୋଳ ପ୍ରତି ଧ୍ୟାନ ଦିଆଯାଇ ବ୍ୟାପାକ ବ୍ୟବସ୍ଥା ଗ୍ରହଣ କରାଯାଇଛି l ବିଦ୍ୟୁତ୍ ବିଭାଗ ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସକାଶେ ଯୁଦ୍ଧ କାଳୀନ ଭିତ୍ତିରେ ବ୍ୟବସ୍ଥା କରାଯାଇଛି l ମହିଷାପାଟ ଠାରେ ପଲ୍ଲିଶ୍ରୀ ମେଳା ପାଇଁ ଷ୍ଟଲ ନିର୍ମାଣ, ଆଲୋକ, ପଡିଆର ଉନ୍ନତି ସକାଶେ କାର୍ଯ୍ୟ ଆଗେଇ ଚାଲିଛି l ଗଣେଶ ବଜାରଠାରେ ଆକର୍ଷଣୀୟ ତୋରଣ ନିର୍ମାଣ ସରିଥିବା ବେଳେ ଏଥିରେ କଲିକତାର କାରିଗର ବାଉଁଶରେ ନିର୍ମିତ କୂଲା, ଚଲା ଆଦି ଶୋଭା ପାଉଛି l ଚଳିତ ବର୍ଷ ଲକ୍ଷ୍ମୀ ବଜାର ତାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି l ସହରରେ ୩୮ଟି ପୂଜା ମଣ୍ଡପରେ ପୂଜା ହେବାକୁ ଥିବା ବେଳେ ସମସ୍ତ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ପ୍ରାୟ ସରିଛି l
ଲକ୍ଷ୍ମୀପୂଜା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ଯାତ୍ରୀବାହୀ ବସଗୁଡିକ ସହର ମଧ୍ୟରେ ପ୍ରବେଶ ନକରିବା ସହିତ ଦୁଇ ଚକିଆ ଓ ଚାରି ଚକିଆ ଯାନ ରଖିବା ପାଇଁ ୬ରୁ ଊର୍ଦ୍ଧ୍ଵ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି । ଯାତ୍ରା ସମୟରେ ଭିଡକୁ ନଜର କରାଯାଇ ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ୨ ଓ ୪ ଚକିଆ ଯାନକୁ ସହର ମଧ୍ୟକୁ ଛଡା ନଯିବାକୁ ସ୍ଥିର ହୋଇଥିବା ବେଳେ ବୁଲା ଗାଈ ଗୋରୁଙ୍କୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି l
Comments are closed.