ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦ : ଭାରତର ବିଜୟ ଧାରାକୁ ରୋକିଲା ପାକିସ୍ତାନ
ସିଲ୍ହଟ୍ : ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ପ୍ରଥମ ପରାଜୟ ବରଣ କରିଛି। ଶୁକ୍ରବାର ସିଲହଟ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ମହିଳା ଦଳ ୧୩ରନରେ ଭାରତୀୟ ମହିଳା ଦଳକୁ ପରାସ୍ତ କରିଛି । ଏଥିସହିତ ପାକିସ୍ତାନ ଭାରତର ବିଜୟ ଧାରାକୁ ରୋକିବାରେ ସଫଳ ହୋଇଛି । ଭାରତ ଓ ପାକିସ୍ତାନ ୪ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି। ୨୦୧୬ ପରେ ପାକିସ୍ତାନ ମହିଳା ଦଳ ଭାରତୀୟ ମହିଳା ଦଳ ବିପକ୍ଷରେ ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ମ୍ୟାଚ ଜିତିଛି।
ପାକିସ୍ତାନ ନିଦା ଦାର୍ଙ୍କ ଅପରାଜିତ ୫୬ରନ ସହାୟତାରେ ୧୩୭ରନ କରିଥିଲା। ଜବାବରେ ଭାରତ ୧୨୪ରନ କରିବାକୁ ସକ୍ଷମ ହୋଇଥିଲା। ୧୩୮ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ଦଳ ୧୧.୪ ଓଭରରେ ୬୫ରନ ମଧ୍ୟରେ ଅଧା ୱିକେଟ ହରାଇଥିଲା। ସୁବନିଲ ମେଘନା ୧୫, ସ୍ମୃତି ମାନ୍ଧାନା ୧୭, ଜେମିମା ରୋଡିଗ୍ବେଜ ୨, ଦାୟାଲିନ ହେମଲାତା ୨୦ ଓ ପୂଜା ବତ୍ସାକାର ୫ରନ କରି ଆଉଟ୍ ହୋଇଥିଲେ। ୬ଷ୍ଠ ୱିକେଟରେ ଦୀପ୍ତି ଶର୍ମା ଓ ଅଧିନାୟିକା ହରମାନପ୍ରୀତ କୌର ୨୬ରନ ସଂଗ୍ରହ କରିଥିଲେ। ସ୍କୋର ୯୧ରନ ଥିବାବେଳେ ଦୀପ୍ତି ୧୬ରନ କରି ଆଉଟ୍ ହୋଇଥିଲେ। ହରମାନପ୍ରୀତ ମଧ୍ୟ ୧୨ରନ କରି ଆଉଟ୍ ହୋଇଥିଲେ। ରିଚା ଘୋଷ ୧୩ଟି ବଲରୁ ୨୬ରନ କରିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ। ଫଳରେ ଭାରତୀୟ ମହିଳା ଦଳ ୧୯.୪ ଓଭରରେ ୧୨୪ରନ କରି ଅଲଆଉଟ୍ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ନାସାରା ସାନ୍ଧୁ ୩ଟି, ସାଦିଆ ଇକ୍ବାଲ ଓ ନିଦା ଦର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।
ପାକିସ୍ତାନ ମହିଳା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୨୦ ଓଭରରେ ୬ୱିକେଟ ହରାଇ ୧୩୭ରନ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟିକା ବିସ୍ମା ମାରୁଫ ୩୨ ରନ କରି ଆଉଟ୍ ହୋଇଥିବାବେଳେ ନିଦା ଦାର୫୬ରନ କରି ଅପରାଜିତ ରହିଥିଲେ। ଭାରତୀୟ ମହିଳା ଦଳ ପକ୍ଷରୁ ଦୀପ୍ତି ଶର୍ମା ୩ଟି, ପୂଜା ବତ୍ସାକାର ୨ଟି ଓ ରେଣୁକା ସିଂହ ଗୋଟିଏ ୱିକେଟ ନେଇଥିଲେ। ଭାରତୀୟ ମହିଳା ଦଳ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ର୍ଶୀଷରେ ରହିଥିବାବେଳେ ପାକିସ୍ତାନ ସମାନ ମ୍ୟାଚ ଖେଳି ସମାନ ବିଜୟ ଓ ପରାଜୟ ସହ ୬ ପଏଣ୍ଟ ପାଇ ଗ୍ରୁପ ଦ୍ବିତୀୟ ସ୍ଥାନରେ ରହିଛି। ଭାରତୀୟ ମହିଳା ଦଳ ଶନିବାର ବାଂଲାଦେଶ ସହ ୫ମ ମ୍ୟାଚ ଖେଳିବ।
Comments are closed.