ପ୍ରାର୍ଥୀ ମନୋନୟନ ; ଅଡ଼ୁଆରେ ବିଜେଡି
ଧାମନଗର ଉପନିର୍ବାଚନ : ଆଜିଠୁ ନାମାଙ୍କନ
ଭଦ୍ରକ : ଧାମନଗରରେ ଉପନିର୍ବାଚନ ଲାଗି ବାଜି ସାରିଛି ବିଗୁଲ। ରାତି ପାହିଲେ (୭ ତାରିଖରୁ) ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। କୌଣସି ରାଜନୈତିକ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ହେଲେ ବିଜେପିରୁ ଦିବଙ୍ଗତ ବିଧାୟକଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଯ ପ୍ରାର୍ଥୀ ହେବା ଏକ ପ୍ରକାର ଥୟ। ଏତିକିବେଳେ ବିଜେଡିରେ ପ୍ରାର୍ଥି ମନୋନୟନ ନେଇ ଉପରସ୍ତରରେ ଚାଲିଛି ମନ୍ଥନ। କାହାକୁ ପ୍ରାର୍ଥୀ କରାଯିବ ? କେହି ପୁରୁଣା ନା ନୂଆ ମୁହଁ? ଯଦି ପୁରୁଣା ତେବେ କାହାକୁ ? ଏମିତି ଏକାଧିକ ପ୍ରଶ୍ନର ଉତ୍ତର ପାଉନି ବିଜେଡି। ଏଣୁ ହୋଇପାରୁନି ପ୍ରାର୍ଥୀ ଘୋଷଣା।
ଉଲ୍ଲେଖଥାଉକି; ଧାମନଗର ଆସନକୁ ନେଇ ବିଜେଡି ନେତୃତ୍ୱ ୨୦୧୯ରୁ ଚିନ୍ତାରେ ଅଛନ୍ତି। ୨୦୧୯ରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ(ରାଜୁ)ଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଭଦ୍ରକ ଜିଲାର ୫ରୁ ୪ଟି ଆସନକୁ ବିଜେଡି ଦଖଲକୁ ନେଇଥିବା ବେଳେ ଧାମନଗରରେ ଦଳ ଫେଲ୍ ମାରିଥିଲା । ପରେ ବିଫଳତାକୁ ନେଇ ଦଳ ଅନେକ ସମୀକ୍ଷା କରିଥିଲା। କେବଳ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁ ଦଳ ହାରିଥିଲା ବୋଲି କୁହାଯାଇଥିଲେ ହେଁ କାହାରି ବିରୋଧରେ କିଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନ ନେଇ ନୂଆ ରଣନୀତି ଆପଣାଇବାକୁ ଚିନ୍ତା କରିଥିଲେ ଦଳୀୟ ନେତୃତ୍ୱ। ଦଳର ସଙ୍ଗଠନ ସମ୍ପାଦକ ତଥା ପଡ଼ୋଶୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଧାମନଗରରେ ବିଜେପି ଗଡ଼କୁ ଭାଙ୍ଗିବାକୁ ଆରମ୍ଭ କରିଥିଲେ ପ୍ରୟାସ। ପଞ୍ଚାୟତସ୍ତରୀୟ ନେତାଙ୍କ ଘନଘନ ବୈଠକ କରାଇ ନିଜ ଦଳର କର୍ମୀଙ୍କୁ ଏକଜୁଟ କରିବାର ଯୋଜନା ବି କରିଥିଲେ। ନୂଆ ରଣନୀତି ସ୍ୱରୂପ ଦଳ ଭିତରେ ଦୁଇ ପ୍ରତିଦ୍ୱନ୍ଦ୍ବୀ ତଥା ଦୁଇ ପୂର୍ବତନ ବିଧାୟକ ରାଜୁ ଦାସ ଓ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଧାମନଗରକୁ ବାରଣ କରାଯାଇଥିଲା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆପଣା ଯାଇଥିବା ଏହି ରଣନୀତି ଦଳକୁୁ ବେଶ୍ ସଫଳତା ଦେଇଥିଲା। ବିଜେଡି ଧାମନଗର ପଞ୍ଚାୟତ ସମିତି ଦଖଲ କଲା ଓ ସବୁ ଜିଲା ପରିଷଦ ଆସନ ବି ଦଖଲ କଲା। ଏହା ପରଠାରୁ ଉତ୍ସାହିତ ଥିଲା ବିଜେଡି। ଦୁଇ ନେତାଙ୍କୁ ଧାମନଗର ବାରଣ କରି ସଫଳତା ପାଇଥିବା ଦଳ ୨୦୨୪ରେ ସମ୍ଭବତଃ ଜଣେ ନୂଆ ମୁହଁ ଅଥବା ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରିବ ବୋଲି ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଥିଲା। କିନ୍ତୁ ବିଷ୍ଣୁଙ୍କ ବିୟୋଗ ଜନିତ ହଠାତ ଉପନିର୍ବାଚନ ବିଜେଡି ପାଇଁ ଅଡ଼ୁଆ ଆଣିଛି । ପଞ୍ଚାୟତ ନିର୍ବାଚନରେ ବିଷ୍ଣୁଙ୍କ ଗଡ଼ ଭାଙ୍ଗିବା ପରେ ଏବେ ସୂରଯଙ୍କ ପାଇଁ ସମ୍ଭାବ୍ୟ ସମବେଦନା ବିଜେଡି ଚାଣକ୍ୟଙ୍କୁ ଚିନ୍ତାରେ ପକାଇଛି । ଉପନିର୍ବାଚନରେ ନୂଆ ମୁହଁ ଦିଆଗଲେ ତା’ର ପ୍ରଭାବ କ’ଣ ରହିବ ସେଥିନେଇ ଢେର ତର୍ଜମା ବି ଚାଲିଛି। ନୂଆ ମୁହଁ ବିଜେପିର ସମବେଦନା ସ୍ରୋତକୁ ପ୍ରଖର କରିଦେଇପାରେ ବୋଲି ଉପରସ୍ତରର ନେତାଏ ଆଶଙ୍କା କରୁଛନ୍ତି। ପୁଣି ନୂଆ ମୁହଁ ଦେଇ ଯଦି ଦଳ ପରାଜିତ ହେଲା ତେବେ ସବୁ ଦୋଷ ପ୍ରାର୍ଥୀ ଓ ଉପରସ୍ତରର ନେତାଙ୍କୁ ଯିବ। ଏପଟେ ପୁରୁଣାଙ୍କ ଭିତରୁ ଦୁଇ ଆଶାୟୀ ରାଜୁ ଓ ମୁକ୍ତିଙ୍କ ଭିତରୁ ଦଳ କାହାକୁ ବାଛିବ ସେଥିନେଇ ବି ଅଡ଼ୁଆ। ଇତିମଧ୍ୟରେ ଉଭୟ ରାଜୁ ଓ ମୁକ୍ତି ଗଣମାଧ୍ୟମରେ ମାପିଚୁପି ମନ୍ତବ୍ୟ ରଖୁଛନ୍ତି। ପରୋକ୍ଷରେ ନିଜ ମନକଥା ବି ବ୍ୟକ୍ତ କରୁଛନ୍ତି। ଉଭୟଙ୍କ ସମର୍ଥକ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଶୈଳୀରେ ମତ ରଖୁଛନ୍ତି।
ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ; ପୁରୁଣା ମୁହଁ ପ୍ରାର୍ଥୀ ହେବା ସ୍ଥିର ହେଲେ ରାଜୁଙ୍କ କଥା ଆଗକୁ ଆସୁଛି। କାରଣ ୨୦୧୯ରେ ଧାମନଗରରେ ମୁକ୍ତିଙ୍କୁ ଟିକଟ ନ ଦେଇ ଦଳ ରାଜୁଙ୍କୁ ଟିକଟ ଦେଇଥିଲା। ମୁକ୍ତିଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ସାଂସଦ ହେବାର ସୁଯୋଗ ଦେଇଥିଲା ଦଳ। ୨୦୨୪ରେ ନିର୍ବାଚନ ହୋଇଥିଲେ କଥା ଅଲଗା ହୋଇଥା’ନ୍ତା। ଯେହେତୁ ପତ୍ନୀ ସାଂସଦ ଅଛନ୍ତି ତେଣୁ ମୁକ୍ତିଙ୍କୁ ଟିକଟ ମିଳିବା ସମ୍ଭାବନା କମ୍ ବୋଲି କୁହାଯାଉଛି। ଏ ପରିପ୍ରେକ୍ଷୀରେ ଧାମନଗର ରାଜନୀତିର ଅନ୍ୟତମ ବିନ୍ଧାଣି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ଏବର ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନାୟକ (ବୁବୁନ)ଙ୍କ ଭୂମିକା ଗୁୁରୁତ୍ୱପୂର୍ଣ୍ଣ ହୋଇଛି। ଧାମନଗରରେ ବିଜେଡିର ବିଧାୟକ ନ ଥିଲେ ବି ବୁବୁନ ପଞ୍ଚାୟତ ସମିତିର ମଙ୍ଗ ଧରି ଅଘୋଷିତ କ୍ଷମତାରେ ଅଛନ୍ତି। ଏଣୁ ବୁବୁନ କାହାକୁ ଚାହୁଁଛନ୍ତି (?) ସେଇଟା ବି ଦଳୀୟ ନେତୃତ୍ୱ ଲାଗି ବଡ଼ ପ୍ରଶ୍ନ। କାରଣ ଅତୀତରେ ବୁବୁନ ବି ବିଦ୍ରୋହୀ ଭୂମିକାରେ ରହି ନିଜର ପତିଆରା ଦେଖାଇ ସାରିଛନ୍ତି। ଏଣୁ ମୋଟାମୋଟି କହିବାକୁ ଗଲେ ପ୍ରାର୍ଥିତ୍ୱକୁ ନେଇ ଦଳ ତ୍ରିଶଙ୍କୁ ଅବସ୍ଥାରେ ଅଛି। ଜିଲାର ୪ ବିଧାୟକଙ୍କ ସହିତ ବିଜେଡି ନେତୃତ୍ୱ ଘନଘନ ବୈଠକ କରୁଛନ୍ତି। ଭିତରେ ଭିତରେ ସରକାରୀ ଗୁଇନ୍ଦା ତଥ୍ୟକୁ ବି ତର୍ଜମା କରାଯାଉଛି। ରାଜୁ-ମୁକ୍ତି-ବୁବୁନଙ୍କ ସମର୍ଥକଙ୍କ ମତିଗତିକୁ ବି ପରଖୁଛି ଦଳ। ଏପରିସ୍ଥିତିରେ ଏକ ସହମତି ଭିତ୍ତିକ ନିଷ୍ପତ୍ତି ବିଜେଡି ପାଇଁ ଲୋଡ଼ା, ଯାହା ହାସଲ ଲାଗି ଚାଲିଛି କସରତ। ଦିନେ ଅବା ଦୁଇଦିନ ମଧ୍ୟରେ ଏ ବାବଦରେ ଦଳ ନିଷ୍ପତ୍ତି ନେଇପାରେ।
Comments are closed.