ଶିକ୍ଷା କ୍ଷେତ୍ରରେ କେନ୍ଦ୍ରର ବୈମାତୃକ ମନୋଭାବ

0

ଭୁବନେଶ୍ୱର:ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ କେନ୍ଦ୍ରୀୟ ଅବହେଳା ବଢ଼ି ଚାଲିଛି। ପୂର୍ବରୁ ଯେତେସବୁ କେନ୍ଦ୍ରୀୟ ଯୋଜନା ଚାଲିଥିଲା ତାକୁ କାଣ୍ଟଛାଣ୍ଟ କରି ଏବେ କେତେକ ଯୋଜନାକୁ ‘ଫିଫ୍ଟି-ଫିଫ୍ଟି’ ଅର୍ଥାତ୍‍ ୫୦ଭାଗକୁ ଆଣିଥିବାବେଳେ ନିଜର ଅଂଶଧନ ଦେବାକୁ କେନ୍ଦ୍ର ପଛାଉଛି। ଅନ୍ୟପକ୍ଷରେ ରାଜ୍ୟରେ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି,ଶିକ୍ଷକ ନାହାନ୍ତି, ଶିକ୍ଷା ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିଥିବା ସାଙ୍ଗକୁ ନାନା ପ୍ରକାର ନାରାବାଜି ହେଉଛି। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଗଲାଣି ବୋଲି କେନ୍ଦ୍ରୀୟ ନେତାମାନେ ଭାଷଣବାଜି ମାରୁଛନ୍ତି, ହେଲେ ବାସ୍ତବଚିତ୍ର କିନ୍ତୁ ଓଲଟା ବୋଲି ଗଣଶିକ୍ଷା ବିଭାଗର ଜନୈକ ବରିଷ୍ଠ ପଦାଧିକାରୀ କହିଛନ୍ତି।
ବିଭାଗୀୟ ଅଧିକାରୀ ତାଙ୍କ ନାମ ଗୋପନ ରଖି ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟକୁ ଯେତିକି ପରିମାଣର କେନ୍ଦ୍ରୀୟ ଅନୁଦାନ ମିଳିବା ପାଇଁ ଚଳିତ ପିଏବି ବୈଠକରେ ନିଷ୍ପତ୍ତି ହୋଇଥିଲା ଅର୍ଥାତ ୪୨୦୦କୋଟି ଟଙ୍କାର ଏକଚତୁର୍ଥାଂଶ ଅର୍ଥ ମଧ୍ୟ ମିଳୁନାହିଁ। ଏନେଇ ବିଭାଗ ପକ୍ଷରୁ ବାରମ୍ବାର ମାନବସମ୍ବଳ ବିକାଶ ମନ୍ତ୍ରାଳୟକୁ ପତ୍ର ଲେଖାଗଲେ ବି ଫଳ ମିଳୁନାହିଁ। ଏହିଭଳି ଭାବେ କେନ୍ଦ୍ର ସରକାର ଓଡ଼ିଶା ଶିକ୍ଷା ପ୍ରତି ବୈମାତୃକ ମନୋଭାବ ଦେଖାଉଥିବା ବେଳେ ରାଜ୍ୟର ନେତୃବୃନ୍ଦ ସବୁବେଳେ ଶିକ୍ଷା ବିଭାଗକୁ ଦାୟୀ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଚଳିତ ଶିକ୍ଷାବର୍ଷ ୨୦୧୮-୧୯ ପାଇଁ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ୧୩ତମ ପ୍ରକଳ୍ପ ଅନୁମୋଦନ ପରିଷଦ(ପିଏବି) ବୈଠକ ଜୁନ୍‍ ୨୦ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଶିକ୍ଷାଭିତ୍ତିକ ଯୋଜନାରେ ୪୧୯୯.୮୦ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦେବାପାଇଁ ଅନୁମୋଦନ ହୋଇଛି। ସମଗ୍ର ଶିକ୍ଷା ଯୋଜନାରେ ପ୍ରାଥମିକ ଶିକ୍ଷା ପାଇଁ ୩୪୫୭ କୋଟି ଟଙ୍କାର ପିଏବି ଅନୁମୋଦନ ହୋଇଥିବାବେଳେ ମାଧ୍ୟମିକ ଶିକ୍ଷା ପାଇଁ ୬୯୭କୋଟି ଏବଂ ଶିକ୍ଷକ ଶିକ୍ଷା ପାଇଁ ୪୬କୋଟି ଟଙ୍କାର ଅନୁମୋଦନ ହୋଇଛି। ମାତ୍ର ସେଥିମଧ୍ୟରୁ ମାତ୍ର ୯୯୮.୯୯କୋଟି ଟଙ୍କା ରାଜ୍ୟକୁ ମିଳିବ ବୋଲି ନିକଟରେ ମନ୍ତ୍ରାଳୟ ପକ୍ଷରୁ ଅନୁଶାସନ ସଚିବ ରୋହତସ୍‍ ଭାଙ୍ଖର ଜଣାଇଛନ୍ତି।
ଏନେଇ ଶ୍ରୀ ଭାଙ୍ଖର ଗଣଶିକ୍ଷା ବିଭାଗକୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ ୧୧୮୬କୋଟି ଟଙ୍କା ପାଇଁ ପ୍ରବନ୍ଧନ କରାଯାଇଛି। ସେଥିରୁ କେନ୍ଦ୍ର ସରକାର ୯୯୮.୯୯କୋଟି ଟଙ୍କା ଦେବ ଏବଂ ରାଜ୍ୟ ସରକାର ତାଙ୍କର ଅଂଶଧନ ବାବଦକୁ ୧୭୦.୦୭କୋଟି ଟଙ୍କା ଦେବ। ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ତାଙ୍କର ନିଜସ୍ୱ ପାଣ୍ଠିରୁ ଭରଣା କରିବେ। ଅଧିକ ଆବଶ୍ୟକ ହେଲେ ଚତୁର୍ଦଶ ଅର୍ଥକମିଶନଙ୍କ ବିକାଶ ପାଣ୍ଠିରୁ ଭରଣା କରିବେ। ଶିକ୍ଷା ଅଧିକାର ନିୟମ-୨୦୦୯ର ଅନୁଚ୍ଛେଦ-୭(୫) ଅନୁଯାୟୀ ରାଜ୍ୟ ସରକାର ଖର୍ଚ୍ଚ କରିପାରିବେ ବୋଲି ଶ୍ରୀ ଭାଙ୍ଖର ଦର୍ଶାଇଛନ୍ତି।

kalyan agarbati
Leave A Reply