ସିଲ୍ଭର ସିଟି ଇଣ୍ଟରନ୍ୟାସ୍ନାଲ ଫିଲ୍ମ ଫେଷ୍ଟିଭାଲ ମହୋତ୍ସବ ପାଳିତ
କଟକ : ଶତାବ୍ଦୀ ଭବନଠାରେ ସିଲଭର ସିଟି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ- ୨୦୨୨ ମହୋତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ନାଟ୍ୟକାର ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନକୁ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଉଦ୍ଘାଟନ କରି ଓଡ଼ିଶାରେ ଆନ୍ତର୍ଜାତୀକ ଉତ୍ସବ ଆୟୋଜନକୁ ପ୍ରଶଂସା କରିଥିଲେ। ନୀଳଶୈଳର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀ ଦାସଙ୍କ ଦ୍ବାରା ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ମ୍ୟୁଜିକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଉତ୍ସବରେ ବିଦେଶରୁ ଆସିଥିବା ୧୧ ଗୋଟି ଚଳଚ୍ଚିତ୍ର, ଭାରତରୁ ଆସିଥିବା ୨୩ ଗୋଟି ଚଳଚ୍ଚିତ୍ର, ୧୧ ଗୋଟି ମ୍ୟୁଜିକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।
ଦ୍ବିତୀୟ ଅଧିବେଶନ ତଥା ପୁରସ୍କର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଯୋଜକ ବସନ୍ତ ସାହୁ, ମୁଖ୍ୟବକ୍ତା ଭାବେ ଅଭିନେତା କୁନା ତ୍ରିପାଠୀ, ବରେଣ୍ୟ ଅତିଥି ଭାବେ ବରିଷ୍ଠ ଅଭିନେତା ଡ. ଅନଙ୍ଗ ଦ୍ବିବେଦୀ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସଙ୍ଗୀତ ନିର୍ଦେଶକ ସୁବସ ରାମ ଏବଂ ମହମ୍ମଦ ମୁଶିର ଯୋଗ ଦେଇଥିଲେ। ପରେ ବିଚାରକମାନଙ୍କ ଦ୍ବାରା ମନୋନୀତ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସଂଳାପ, ଶ୍ରେଷ୍ଠ କଣ୍ଠଶିଳ୍ପୀ, ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ, ଶ୍ରେଷ୍ଠ ଶିଶୁ କଳାକାର, ଶ୍ରେଷ୍ଠ ପ୍ରଯୋଜକମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଡା. ସତ୍ୟ କୁମାର ଦାସ ଅତିଥିଙ୍କୁ ପୁଷ୍ପ ଗୁଛ ଏବଂ ଉତ୍ତରୀୟ ପ୍ରଦାନ କରିଥିଲେ। ସୂର୍ଯ୍ୟ କୁମାର ଦାସ, ବିଭୂତି ଭୂଷଣ ଭାରତ ଏବଂ ତୋଫାନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।
Comments are closed.