ଦୁର୍ଗମ ଅଞ୍ଚଳରେ ଝାଡାବାନ୍ତି ଆତଙ୍କ; କେଲୁଆ ଗାଁରେ ୨ଜଣଙ୍କ ମୃତ୍ୟୁ
କଲମପୁର: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ପୁଣି ଦେଖିବାକୁ ମିଳିଛି ଝାଡାବାନ୍ତି ରୋଗର ପ୍ରଭାବ । ବ୍ଲକର ନାକୁରୁଣ୍ଡି ଗ୍ରାମ ପଞ୍ଚାୟତ ଅଧିନ କେଲୁଆ, ଖଜୁରଗୁଡା ଏବଂ ଆମଝୋଲା ଭଳି ଅନେକ ଗାଁ ଗତ କିଛିଦିନ ହେବ ବିଶେଷ ଭାବରେ ପ୍ରଭାବିତ ହୋଇଛି । କେଲୁଆ ଗାଁର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କେଲୁଆ ଗ୍ରାମର ରାମ ମାଝୀ ନାମକ ଜଣେ ଯୁବକ । ସୂଚନା ଅନୁଯାୟୀ ଦୁଇ ମୃତକ ହେଉଛନ୍ତି ଗ୍ରାମର ଚଞ୍ଚଳ ମାଝୀ(୩୨) ଏବଂ ଚନ ଦେଇ ମାଝୀ(୩୫) ।ବର୍ତ୍ତମାନ ଗାଁରେ ଅନେକ ଆକ୍ରାନ୍ତ ଥିବାବେଳେ ଗାଁରେ ଏନେଇ ଆତଙ୍କ ଖେଳିଯାଇଛି ।
ମୃତ ଚଞ୍ଚଳ ମାଝୀଙ୍କ ବାପା ସଦନ ମାଝୀ (୫୮)ଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ଥିବାବେଳେ ହର୍ଷ ମାଝୀ(୪୫) ଏବଂ ସୁରେନ୍ଦ୍ର ମାଝୀ(୨୭) ଆକ୍ରାନ୍ତ ହୋଇ ପଡିରହିଛନ୍ତି । କେଲୁଆ ଗାଁ ଏକ ଦୁର୍ଗମ ଅଞ୍ଚଳ, ଏହି ଗାଁକୁ ଗମନାଗମନର କୌଣସି ବ୍ୟବସ୍ଥା ନଥିବା ବେଳେ ଗାଁକୁ ଘେରି ରହିଛି ସୁଉଚ୍ଚ ମାଳି ପର୍ବତ । ଯେଉଁଠି ସାଧାରଣ ମୌଳିକ ସୁବିଧା ଅପହଞ୍ଚ । ଅପହଞ୍ଚ ସ୍ବାସ୍ଥ୍ୟସେବା ଯୋଗୁଁ ବିଭିନ୍ନ ସମୟରେ ବିଭିନ୍ନ ରୋଗର ଶିକାର ହୋଇ ଭଗବାନଙ୍କୁ ଭରସା କରିବା ଛଡା ଆଉ କୌଣସି ଉପାୟ ନଥାଏ ଏଠିକାର ଲୋକଙ୍କ ପାଇଁ । ସେହିଭଳି ଖଜୁରଗୁଡା ଗାଁର ରବି ମାଝୀ(୨୮), ଲକ୍ଷ୍ମୀ ମାଝୀ(୨୭) ଏବଂ ଆମଝୋଲା ଗାଁର ନୂଆଁ ମାଝୀଙ୍କ ସ୍ତ୍ରୀ ଲକ୍ଷ୍ମୀ ଦେଇ ମାଝୀ ୨ଦିନ ତେଳେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅନ୍ୟପଟେ ଏବେ ଟିକାନା ମାଝୀଙ୍କ ସ୍ତ୍ରୀ ଫଗୁନ ଦେଇ ମାଝୀ ଡାଇରିଆରେ ଆକ୍ରାନ୍ତ ଅଛନ୍ତି । ଗାଁର ସ୍ୱେଚ୍ଛାସେବୀ ସାନୁ ମାଝୀ ଆକ୍ରାନ୍ତଙ୍କୁ ନାକରୁଣ୍ଡି ଡାକ୍ତର ଖାନାରେ ଭର୍ତ୍ତି କରିବା ଯୋଗୁଁ ଆକ୍ରାନ୍ତ ମାନେ ଚିକିତ୍ସିତ ହୋଇ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ନାକରୁଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସକ ଏବଂ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ ଅସୁବିଧା ଦର୍ଶାଇ ଗାଁ ଗାଁରେ ସଚେତନତା କରିବା କିମ୍ବା ଚିକିତ୍ସା ସୁବିଧା ଯୋଗାଇ ଦେବାରେ ଅସମର୍ଥ ହେଉଛନ୍ତି । ପାହାଡ ଭିତର ଗାଁ କେଲୁଆକୁ କୌଣସି ରାସ୍ତା ନଥିବାରୁ ଲୋକେ ମଧ୍ୟ ସୁବିଧାରେ ରୋଗୀଙ୍କୁ ଡାକ୍ତରଖାନା ଆଣି ପାରୁନାହାଁନ୍ତି ।
ଅବିଳମ୍ବେ ଏହି ଅଞ୍ଚଳରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇବାକୁ ସାଧାରଣରେ ଦାବି ହେଉଛି । ଏନେଇ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତିଶ ଝାଙ୍କ ସହ ଯୋଗାଯୋଗ କରାଯାଇଥିଲା କେଲୁଆ ଗ୍ରାମରେ ଡାଇରିଆ ଆକ୍ରାନ୍ତଙ୍କ ମୃତ୍ୟୁ ଓ କିଛି ଆକ୍ରାନ୍ତ ଗାଁରେ ଥିବା ବିଳମ୍ବରେ ସୂଚନା ପାଇଥିଲେ । ଉକ୍ତ ଗ୍ରାମକୁ ରାସ୍ତା ସମସ୍ୟା ରହିଛି । ପ୍ରାୟ ୧୨ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଚାଲି ଚାଲି ଯିବାକୁ ଥିବାରୁ ଆଜି (ସୋମବାର) ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପ୍ରଭାବିତ ଅଂଚଳକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି।
Comments are closed.