ଭିରୁଡ଼ାରେ ଅବକାରୀ ଚଢ଼ଉ : ୨୦୬୦ଲିଟର ଦେଶୀ ମଦ ଓ ୧୨୯୮୫ ଲିଟର ପୋଚ ଜବତ
ତିଗିରିଆ : ପାର୍ବଣ ପାଖେଇ ଆସୁଥିବାରୁ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ହେଉଥିବା ଚୋରା ମଦ କାରବାର ଏବଂ ମଦ ପ୍ରସ୍ତୁତି ସ୍ଥଳରେ ଜୋରଦାର ଚଢ଼ଉ କରାଯାଇଛି । ଶନିବାର ଆଠଗଡ଼ ଅବକାରୀ, ପ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ ଏବଂ ଥାନା ପୁଲିସର ମିଳିତ ଚଢ଼ାଉ କରାଯାଇ ୧୨୯୮୫ଲିଟର ଗୁଡ଼ ପୋଚ ସହିତ ୨୦୬୦ଲିଟର ଦେଶୀ ମଦ ଜବତ କରାଯିବା ସହିତ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ଚୋରା ମଦ ବେପାରୀଙ୍କ ଘରୁ ଏବଂ ଘର ଆଖପାଖରୁ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଭର୍ତ୍ତି ଏହିସବୁ ପୋଚ ଓ ମଦକୁ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ଏହି ଚଢ଼ାଉରେ କଟକ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ, ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ତିଗିରିଆ ଥାନା ଏସଆଇ ସନ୍ତୋଷ କୁମାର ପ୍ରଧାନ, ଆଠଗଡ଼ ଅବକାରୀ ଏସଆଇ ବିଜୟ କୁମାର ଭଞ୍ଜ, ବାଙ୍କୀ ଅବକାରୀ ଏସଆଇ ତେଲେସ୍ପୋର ଲାର୍କା, ନରସିଂହପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁ, ଚୌଦ୍ୱାର ଅବକାରୀ ଭାରପ୍ରାପ୍ତ ଅଧିକାରୀ ନିରାକାର ବେଉରା, ପଙ୍କଜ କୁମାର କଅଁର, ଦୀପକ କୁମାର ସାମଲ, ଦୁଷ୍ମନ୍ତ କୁମାର ବସନ୍ତରା ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ। ତେବେ ଚଢ଼ଉ ସମ୍ପର୍କରେ ଖବର ପାଇଁ ମଦ ଦଲାଲ ମାନେ ଫେରାର ହୋଇଯାଇଥିବାରୁ ଏହି ଚଢଉରେ ଚୋରା କାରବାର ସହ ସମ୍ପୃକ୍ତ କୌଣସି ବ୍ୟକ୍ତି ବିଶେଷଙ୍କୁ ଗିରଫ କରାଯାଇ ପାରିନଥିବା ଜଣାପଡ଼ିଛି । ଅବକାରୀ ବିଭାଗ ପକ୍ଷରୁ ଚଢ଼ଉରେ କେବଳ ୫ଟି ମାମଲା ରୁଜୁ ହୋଇଥିବା ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।
Comments are closed.