ଶୃଙ୍ଖଳା ବରାବର , ରବିବାର ନିର୍ଣ୍ଣାୟକ ଲଢ଼େଇ
ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ବିଜୟୀ
ନାଗପୁର : ଅକ୍ଷର ପଟେଲଙ୍କ ସାଣିତ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚରେ ବିଜୟୀ ହୋଇଛି। ଶୁକ୍ରବାର ନାଗପୁରର ବିଦର୍ଭ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭାରତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ବରାବର କରିଛି। ୨୫ରେ ଅନ୍ତିମ ମ୍ୟାଚ ହାଇଦରାବାଦ୍ରେ ଖେଳାଯିବ।
ବର୍ଷା ପାଇଁ ମ୍ୟାଚ ଅଢେଇ ଘଣ୍ଟା ବିଳମ୍ବରେ ୮ ଓଭର ବିଶିଷ୍ଟ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ମାଥ୍ୟୁ ୱାଡେ ୪୩ ଓ ଆରୋନ ଫିଞ୍ଚଙ୍କ ୩୧ରନ ବଳରେ ୯୦ରନ କରିଥିଲା। ଜବାବରେ ଭାରତ ରୋହିତ ଶର୍ମାଙ୍କ ଅପରାଜିତ ୪୬ରନ ବଳରେ ୪ଟି ବଲ ପୂର୍ବରୁ ୪ ୱିକେଟ ହରାଇ ୯୨ରନ କରି ବିଜୟୀ ହୋଇଥିଲା। ଶେଷ ଓଭରର ପ୍ରଥମ ଦୁଇଟି ବଲରୁ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦିନେଶ କାର୍ତ୍ତିକ ଭାରତକୁ ବିଜୟୀ କରାଇଥିଲେ।
୯୧ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ପ୍ରଥମ ଓଭରରୁ ୨୦ରନ ସଂଗ୍ରହ କରିଥିଲେ। ପ୍ରଥମ ୱିକେଟରେ ଉଭୟେ ୧୭ଟି ବଲରୁ ୩୯ରନ ସଂଗ୍ରହ କରିଥିଲେ। ରାହୁଲ ୧୦ରନ କରି ଆଉଟ୍ ହୋଇଥିଲେ। ଭାରତ ୪ ଓଭରରୁ ୫୧ ରନ ସଂଗ୍ରହ କରିଥିଲା। ଦ୍ବିତୀୟ ୱିକେଟରେ ରୋହିତ ଓ ବିରାଟ କୋହଲି ୧୬ରନ ସଂଗ୍ରହ କରିଥିଲେ। ୫୫ରନ ସ୍କୋର ଥିବାବେଳେ ବିରାଟ ୧୧ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରିନଥିଲେ। ୪ର୍ଥ ୱିକେଟରେ ରୋହିତ ଓ ହାର୍ଦିକ ପାଣ୍ଡ୍ୟା ୨୨ରନ ସଂଗ୍ରହ କରିଥିଲେ। ୭୭ରନ ସ୍କୋର ଥିବାବେଳେ ପାଣ୍ଡ୍ୟା ୯ରନ କରି ଆଉଟ୍ ହୋଇଥିଲେ। ୫ମ ୱିକେଟରେ ରୋହିତ ଓ ଦିନେଶ କାର୍ତ୍ତିକ ଅବିଭାଜିତ ୧୫ରନ କରି ଦଳକୁ ବିଜୟୀ କରାଇଥିେଲ। ରୋହିତ ୨୦ଟି ବଲରୁ ୪ଟି ଚୌକା ଓ ୪ଟି ଛକା ସହ ୪୬ ଓ କାର୍ତ୍ତିକ ୨ଟି ବଲରୁ ୧୦ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୩ଟି ୱିକେଟ ନେଇଥିଲେ।
ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ଦ୍ରୁତ ଗତିେର ରନ କରିବାକୁ ଯାଇ ୩ ଓଭରରେ ୩ ୱିକେଟ ହରାଇ ୩୧ରନ କରିଥିଲା। କାମେରୁନ ଗ୍ରୀନ ୫, ଟିମ୍ ଡେଭିଡ ୨ ରନ କରିଥିବାବେଳେ ଗ୍ଲେନ ମ୍ୟାକ୍ସୱେଲ ଖାତା ଖୋଲିପାରିନଥିଲେ। ୪ର୍ଥ ୱିକେଟ ପାଇଁ ଅଧିନାୟକ ଆରୋନ ଫିଞ୍ଚ ଓ ମାଥ୍ୟୁ ୱାଡେ ୧୫ରନ ସଂଗ୍ରହ କରିଥିଲେ। ସ୍କୋର ୪୬ରନ ଥିବାବେଳେ ଫିଞ୍ଚ ୩୧ରନ କରି ଆଉଟ୍ ହୋଇଥିଲେ। ପଞ୍ଚମ ୱିକେଟରେ ୱାଡେ ଓ ଷ୍ଟିଭ୍ ସ୍ମିଥ୍ ୪୪ରନ ଭାଗିଦାରୀ ବଳରେ ଅଷ୍ଟ୍ରେଲିଆ ୮ ଓଭରରେ ୫ ୱିକେଟ ହରାଇ ୯୦ରନ କରିବାକୁ ସକ୍ଷମ ହୋଇଥିଲା। ସ୍ମିଥ୍ ୮ରନ କରି ଆଉଟ୍ ହୋଇଥିବାବେଳେ ୱାଡେ ୨୦ଟି ବଲରୁ ୪ଟି ଚୌକା ଓ ୩ଟି ଛକା ସହ ୪୩ରନ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ ନେଇଥିଲେ। ଭାରତ ମ୍ୟାଚରେ ଦୁଇଟି ପରିବର୍ତ୍ତନ କରିଥିଲା। ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଯଶପ୍ରୀତ ବୁମ୍ରା ଓ ଉମେଶ ଯାଦବଙ୍କ ସ୍ଥାନରେ ଋଷଭ ପନ୍ତ୍ଙ୍କୁ ଖେଳାଇଥିଲା। ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚକୁ ଅଷ୍ଟ୍ରେଲିଆ ୪ ୱିକେଟରେ ଜିତିଥିଲା।
Comments are closed.