କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ଚର୍ଚ୍ଚା

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଦଳ ମଧ୍ୟରେ ରାଜନୈତିକ ତିକ୍ତତା ଜାରି ରହିଥିବା ବେଳେ କଂଗ୍ରେସ ଦଳ ତରଫରୁ ଦୁର୍ନୀତି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ବାସବରାଜ୍‌ ବୋମାଇଙ୍କ ଏକ ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯିବାକୁ ନେଇ ସାଧାରଣରେ ବେଶ୍‌ ଚର୍ଚ୍ଚା ହୋଇଛି। ଏହି ପୋଷ୍ଟରରେ ଅନ୍‌ଲାଇନରେ ଟଙ୍କା ନେଣଦେଣ ହୋଇ ପାରୁଥିବା କ୍ୟୁଆର୍‌ କୋଡ୍‌ ରହିଛି ଏବଂ ଏହି କୋଡ୍‌ ମଝିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି। ‘ପେ ସିଏମ୍‌’ ଲେଖାଯାଇଥିବା ଏହି ପୋଷ୍ଟରରେ ଦର୍ଶାଯାଇଛି ଏଠାରେ ୪୦% ଅର୍ଥ ଗ୍ରହଣ କରାଯାଏ।
ସୂଚନାଥାଉ କି ବିଭିନ୍ନ ପୂର୍ତ୍ତ ବିଭାଗର ବିଭିନ୍ନ ଠିକା କାମ ହାସଲ କରିବାକୁ କଣ୍ଟ୍ରାକ୍ଟରମାନଙ୍କୁ ୪୦% କମିସନ ସରକାରୀ ବାବୁଙ୍କୁ ଦେବାକୁ ପଡୁଥିବା କଣ୍ଟ୍ରାକ୍ଟର ଆସୋସିଏସନ୍‌ ତରଫରୁ କିଛିଦିନ ତଳେ ଅଭିଯୋଗ କରାଯାଇଥିଲା। ଏହାକୁ ଆଧାର କରି କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରି ଏପରି ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ଏପରି ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯିବା ନେଇ ଖବର ମିଳିବା ପରେ ପ୍ରଶାସନ ତରଫରୁ ସେଗୁଡ଼ିକୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତନ ବାଚସ୍ପତି ତଥା କଂଗ୍ରେସ ନେତା ରମେଶ କୁମାର ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅର୍ଥ ଅଭାବ ଥିବା ପରି ଲାଗୁଛି। ତେଣୁ ତାଙ୍କ ନିକଟକୁ ଟଙ୍କା ପଠାଇବାକୁ ଏପରି ପୋଷ୍ଟର ଦଳ ତରଫରୁ ଲଗାଯାଇଛି। ସେହିପରି କଂଗ୍ରେସ ବିଧାୟିକା ପ୍ରିୟଙ୍କା ଖର୍ଗେ କହିଛନ୍ତି ରାଜ୍ୟରେ ଦୁର୍ନୀତି ବଢ଼ି ଚାଲିଛି। ଏଥିନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏପରି ପୋଷ୍ଟର ଲଗାଯାଇଛି।
ଅନ୍ୟପକ୍ଷରେ ବିଜେପି ବିଧାୟକ ଏମ୍‌. ରବିକୁମାର କହିଛନ୍ତି ସରକାରୀ ଠିକା ପ୍ରଦାନରେ କମିସନ କାରବାର ଚାଲିଥିବା ଅଭିଯୋଗ ମିଥ୍ୟା। ମୁଖ୍ୟମନ୍ତ୍ରୀଙ୍କୁ ଅଯଥାରେ ବଦନାମ୍‌ କରିବାକୁ ଏପରି ଷଡ଼ଯନ୍ତ୍ର ଚାଲିଛି। ଏପରି ପୋଷ୍ଟର ମରାଯିବା ପଛରେ କିଏ ଅଛନ୍ତି ସେ ସଂପର୍କରେ ତଦନ୍ତ ଆରମ୍ଭ ହୋଇସାରିଛି ଏବଂ ଦୋଷୀଙ୍କୁ ନିଶ୍ଚିତ ଭାବେ ଦଣ୍ଡିତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସମ୍ମାନହାନି ପାଇଁ କଂଗ୍ରେସ ତରଫରୁ ପୋଷ୍ଟର ଲଗାଯାଇଥିବା ବେଳେ ବିଜେପି ତରଫରୁ ମଧ୍ୟ କ୍ୟୁଆର କୋଡ୍‌ ଥିବା ଏକ ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟରରେ ବିରୋଧୀ ଦଳ ନେତା ସିଦ୍ଧରମିୟା ଓ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ଫଟୋ ରହିଛି। କଂଗ୍ରେସ ରାଜ୍ୟକୁ ଲୁଟିଥିବାରୁ ଦୁର୍ନୀତି ମୂଳପୋଛ ପାଇଁ ଜନସାଧାରଣ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପୋଷ୍ଟରରେ ଦର୍ଶାଯାଇଛି।

kalyan agarbati

Comments are closed.