ମାଲକାନଗିରି ପୌର ପରିଷଦ : ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

ମାଲକାନଗିରି : ମାଲକାନଗିରି ପୌର ପରିଷଦ କାର୍ଯ୍ୟାଳୟରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଆଜି ଟେଣ୍ଡର ନିମନ୍ତେ ଆଶାୟୀ ତଥା ବିଜେପି ଓ କଂଗ୍ରେସ ଦଳର କର୍ମୀ ମାନେ ଏହାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ମୁତାବକ ଗତ ଅଗଷ୍ଟ ମାସ ୧୯ ତାରିଖ ଦିନ ମାଲକାନଗିରି ପୌର ପରିଷଦର ଉନ୍ନତିକରଣ ନିମନ୍ତେ ୫୧ଟି କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟ ଗୁଡିକ ନିମନ୍ତେ ଅଗଷ୍ଟ ୨୨ ତାରିଖ ଠାରୁ ସେପ୍ଟେମ୍ବର ୭ ତାରିଖ ମଧ୍ୟରେ ଆବେଦନ କରିବା ନିମନ୍ତେ ସମୟସୀମ ଧାର୍ଯ୍ୟ କରା ଯାଇଥିଲା । ସେପ୍ଟେମ୍ବର ୧୨ ତାରିଖ ଦିନ ଟେଣ୍ଡର ଖୋଲିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲ।। ତେବେ ଏହି ଟେଣ୍ଡର ନିମନ୍ତେ ଧାର୍ଯ୍ୟ ହୋଇଥିବା ସମୟସୀମା ମଧ୍ୟରେ ଟେଣ୍ଡର ଖୋଲା ଯାଇ ନଥିବା ବେଳେ ସେପ୍ଟେମ୍ବର ୨୦ ତାରିଖ ଦିନ ଟେଣ୍ଡରକୁ ବାତିଲ କରା ଯାଇଛି । ଏହାକୁ ବିରୋଧ କରି ଟେଣ୍ଡର ପ୍ରକ୍ରିୟାରେ ଆବେଦନ କରିଥିବା ୪୦୦ରୁ ଅଧିକ ଆଶାୟୀ ତଥା ବିଜେପି ଓ କଂଗ୍ରେସର ପ୍ରତିନିଧି ମାନେ ଆଜି ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ସମ୍ବନ୍ଧରେ କଂଗ୍ରେସ ଓ ବିଜେପି କର୍ମୀ ମାନେ ଅଭିଯୋଗ କରିବା ସହ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ଏ ସମ୍ବନ୍ଧରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ଯେ, ଏହି ଟେଣ୍ଡର ଦାୟିତ୍ୱ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କୁ ଦିଆଯାଇଛି । ତେବେ ଏହି ପ୍ରତିନିଧିମାନେ ପିଡି ଡିଆରଡିଏଙ୍କ ସହ ସାକ୍ଷାତ କରିବା ପରେ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ବର୍ତ୍ତମାନ ଏହି ଟେଣ୍ଡର ଦୁର୍ନୀତି ଆଗାମୀ ଦିନରେ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା।

kalyan agarbati

Comments are closed.