ଧରାପଡୁଛି ଗଞ୍ଜେଇ, ଖସି ଯାଉଛନ୍ତି ମାଫିଆ

ବୌଦ୍ଧ: ବୌଦ୍ଧ ଜିଲାରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚୋରା ବେଧଡକ ଚାଲାଣ ଚାଲିଥିବାବେଳେ ବିଭିନ୍ନ ସମୟରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ଜବତ କରାଯାଉଅଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ଜବତ ହେଉଥିବାବେଳେ ଚାଲାଣକାରୀ ବା ମାଫିଆମାନେ ଖସି ପଳାଇ ଯାଉଛନ୍ତି। ଫଳରେ ବାରମ୍ବାର ଏହିଭଳି ଘଟଣା ବିଭାଗର ଅପାରଗତା ନା କର୍ମଚାରୀଙ୍କ ଦକ୍ଷତାର ଅଭାବ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି। ଜିଲାର ଆଭ୍ୟନ୍ତରିଣ ଓ ଉପାନ୍ତ ଅଞ୍ଚଳମାନଙ୍କରେ ବ୍ୟାପକ ଭାବରେ ଗଞ୍ଜେଇ ଚାଷ କରାଯାଉଥିବାବେଳେ ବର୍ତ୍ତମାନ ଗଂଜେଇ ମାଫିଆମାନେ ଚାଷରେ ଲାଗିପଡିଛନ୍ତି। ଏପରିକି ସ୍ଥାନିୟ ଲୋକଙ୍କ ସହାୟତାରେ ବାହାର ଜିଲାରୁ ମଧ୍ୟ ଆସି ମାଫିଆମାନେ ଗଂଜେଇ ଚାଷ କରୁଥିବାର ଜଣାଯାଏ।
ବୌଦ୍ଧ ଏକ କୃଷିଭିତ୍ତିକ ଜିଲା । ଜିଲାର ଶତକଡା ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ଜିଲାର ମୁଖ୍ୟ ଚାଷ କହିଲେ ଧାନ। କିନ୍ତୁ ଜିଲାରେ ଏବେ ଗଞ୍ଜେଇ ମୁଖ୍ୟ ଚାଷ ପାଲଟିଛି। ଜିଲାରେ ବେକାରୀ ସମସ୍ୟା ସାଙ୍ଗକୁ ଯୁବ ପିଢିଙ୍କ ଆଧୁନିକତା ଆଡକୁ ଗତିକରି କମ ପରିଶ୍ରମରେ ସ୍ୱଳ୍ପ ସମୟରେ ଅଧିକ ଲାଭ ଲୋଭରେ ପ୍ରତିବର୍ଷ ଗଞ୍ଜାଇ ଚାଷ ପ୍ରତି ଅଧିକ ମାତ୍ରାରେ ମନ ବଳାଉଥିବା ଜିଲାର ଗଞ୍ଜାଇ ମାମଲା ଗୁଡିକ ଦେଖିଲେ ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି। ପ୍ରତିବର୍ଷ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଗଞ୍ଜାଇ ଗଛ କଟାଯାଉଥିବ ବେଳେ କୋଟି କୋଟି ଟଙ୍କାର ଗଞ୍ଜେଇ ମଧ୍ୟ ଜବତ କରୁଛନ୍ତି। ଏହା ସତ୍ୱେ ଜିଲାରୁ ଗଞ୍ଜେଇ ଚାଷ ଲୋପ ପାଇବା ପରିବର୍ତ୍ତେ ବୃଦ୍ଧି ହେବାରେ ଲାଗିଛି। ଜିଲାରୁ ପ୍ରତିଦିନ ବାହରକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୁଲିସ ଓ ଅବକାରୀ ବିଭାଗ ଏବଂ ମାଫିଆମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଗଞ୍ଜେଇ ସିନା ଧରାପଡୁଛି ହେଲେ ମାଫିଆ ଖସି ଯାଉଛନ୍ତି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ କେବଳ ଧର୍ମକୁ ଆଖିଠାର ନ୍ୟାୟରେ କାର୍ଯ୍ୟ କରୁଥିବା ଅନୁମାନ କରାଯାଏ। ଜିଲାର ଅନେକ ଅଞ୍ଚଳ ବଣପାହାଡ ଘେରା ହୋଇଥିବାବେଳେ ଏଠାରେ ବସବାସ କରୁଥିବା ସରଳ ଅଧିବାସୀ ମାନଙ୍କୁ ଢାଲ କରି ମାଫିଆମାନେ ଏହି ବେଆଇନ ଚାଷ କରୁଛନ୍ତି। କିନ୍ତୁ ମାଫିଆମାନେ ଧରାପଡୁନଥିବା ବେଳେ ଧରାପଡୁଛନ୍ତି ନୀରିହ ଅଧିବାସୀ। କାରଣ ମାଫିଆ ମାନେ ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗକୁ ହାତ କରି ଖସି ଯାଉଛନ୍ତି। ବଣ ଜଙ୍ଗଲ ମଧ୍ୟରେ ଏହି ବେଆଇନ ଚାଷ କରାଯାଉଥିବା ବେଳେ ବନ ବିଭାଗ ଜାଣି ପାରୁନାହିଁ। ଯାହାକି ବିଭାଗର ସ୍ୱଛତାକୁ ମଧ୍ୟ ପଦାରେ ପକାଉଛି। କିଛି ଅସାଧୁ କର୍ମଚାରୀ ଏହି ଗଞ୍ଜେଇ କାରବାରରେ ଜଡିତ ରହୁଥିବା ଯୋଗୁଁ ଏହା ଉପରେ ରୋକ ଲାଗିପାରୁନାହିଁ। ବୌଦ୍ଧରେ ନୂତନ ଭାବରେ ଯୁବ ଆଇପିଏସ ପ୍ରହଲ୍ଲାଦ ସହାଇ ମିନା ଯୋଗଦେବା ପରେ ପୋଲିସ ଅଧିକ ସକ୍ରିୟ ହେବା ସହିତ ପ୍ରତିଦିନ ଗଞ୍ଜେଇ ଧରପଗଡ କରାଯାଉଅଛି। ଜିଲାର ପ୍ରବେଶ ଦ୍ୱାର ଗୁଡିକରେ ସମସ୍ତ ଯାନବହାନ ଯାଞ୍ଚ କୁ କଡାକଡି କରାଯାଇଛି। ଯଦି ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ସଠିକ ପଦକ୍ଷେପ ନିଆଯାଏ ,ତେବେ ଅଗାମୀ ଦିନରେ ବୌଦ୍ଧ ଜିଲ୍ଲାରୁ ଗଞ୍ଜାଇ ଚାଷ ଓ କାରବାର ଉପରେ ସଂପୁର୍ଣ୍ଣ ରୋକ ଲାଗିପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଉଛି।

kalyan agarbati

Comments are closed.