ସମଲେଇ ଯୋଜନାର ବିସ୍ଥାପନକୁ ବିରୋଧ ଜାରି – ଜିଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଚେଷ୍ଟା କଲେ ଘୁନଘୁଟିପଡାବାସୀ ପୁଲିସ ଓ ଜନତା ଆହତ
ସମ୍ବଲପୁର, : ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ବଲପୁରର ଠାରେ ମାଁ ସମଲେଶ୍ୱରୀ ପୀଠର ପୁନଃ ଉଦ୍ଧାର କାର୍ଯ୍ୟକୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ । ସମଲେଇ ଯୋଜନା ପାଇଁ ଆବଶ୍ୟକ ହେଉଥିବା ସ୍ଥାନରୁ ସିଂହଭାଗ ଅଞ୍ଚଳର ଉଚ୍ଛେଦ କାର୍ଯ୍ୟ ସମ୍ପ୍ନ୍ନ ହୋଇ ସାରିଥିବା ବେଳେ ଏବେ ମଧ୍ୟ ଘୁନଘୁଟିପଡାର କିଛି ପରିବାର ଉପଯୁକ୍ତ ଥଇଥାନ ଦାବି କରିଆସୁଛନ୍ତି । ବିସ୍ଥାପନ ବିରୋଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିବା ବେଳେ ସେ ସମୟରେ ଏଥି ପାଇଁ ଅଦାଲତ ଦ୍ୱାରା ଲଗାଯାଇଥିବା ଷ୍ଟେ ଅର୍ଡରକୁ ହଟାଇ ନିଆଯାଇଥିବା ବେଳେ ଏହାର ଶୁଣାଣି ଜାରି ରହିଛି । ବିଗତ ଦିନରେ ମୁଖ୍ୟ ସଚିବ ଙ୍କ ଗସ୍ତ ସମୟରେ ସମଲେଇ ଯୋଜନାକୁ ସମୟ ଅବଧି ମଧ୍ୟରେ ସାରିବାକୁ କଡା ନିର୍ଦ୍ଦେଶ ଦିଆଯିବା ପରେ ପ୍ରଶାସନ ପୁର୍ନବାର ସକ୍ରିୟ ହୋଇ ବାକି ରହିଥିବା ଉଚ୍ଛେଦ କାର୍ଯ୍ୟକୁ ସମ୍ପନ୍ନ କରିବାକୁ ଅଣ୍ଟା ଭିଡିଛି ।
ଏହି କ୍ରମରେ ମଙ୍ଗଳବାର ସକାଳୁ ପୂର୍ବ ପ୍ରସ୍ତୁତି ସହିତ ପୁଲିସ ସହିତ ପ୍ରଶାସନ ଗୋପାଲଜୀ ମଠ କଡରେ ଥିବା ଅଞ୍ଚଳକୁ ପହୁଞ୍ôଚ ଉଚ୍ଛେଦ ପାଇଁ ପ୍ରୟାସ କରିଥିଲା । ଆଜି ଉଚ୍ଛେଦ ପାଇଁ ଭଙ୍ଗା ଯାଇଥିବା ୩ ଟି ଘର ମଧ୍ୟରୁ ଶିବ ଭୋଇ ଙ୍କ ଦ୍ୱାରା ଥଇଥାନ ପ୍ୟାକେଜକୁ ଗ୍ରହଣ କରା ନ ଯାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରାଯାଇଛି । ତେବେ ଅନ୍ୟ ଦୁଇଟି ଘର ଗୁଡିକ ପୂର୍ବରୁ ସରକାର ଙ୍କ ଥଇଥାନ ପ୍ୟାକେଜକୁ ଗ୍ରହଣ କରି ସାରିଛନ୍ତି । ଆଜି ସକାଳ ସମୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ପ୍ରୟାସ କରାଯିବାରୁ ଅଞ୍ଚଳବାସୀ ଉଚ୍ଚ ନ୍ୟାୟାଳୟରେ ମାମଲା ରହିଥିବାରୁ ଶିବ ଭୋଇ ଙ୍କ ଘରକୁ ଉଚ୍ଛେଦ ନ କରିବାକୁ ଦାବି କରିଥିଲେ । ଅପରପକ୍ଷରେ ପ୍ରଶାସନ ମଧ୍ୟ ଘର ଭାଙ୍ଗିବାକୁ ଅଡି ବସିବା ଏବଂ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିଥିବା ଶିବ ଭୋଇ ଙ୍କୁ ଉଠାଇ ନେଇଯିବାରୁ ସ୍ଥିତି ବିଗଡି ଯାଇଥିଲା । ଏହା ପରେ ପ୍ରଶାସନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ଯୁକ୍ତିତର୍କ, ବିରୋଧ ପ୍ରଦର୍ଶନ ଆଦି ହେବା ସହିତ ସ୍ଥିତି ଅଣାୟତ୍ତହେବାରେ ଲାଗିଥିବା ବେଳେ ମୃଦୁ ବଳ ପ୍ରୟୋଗ କରି ସ୍ଥିତିକୁ ପୁଲିସ ନିୟନ୍ତ୍ରଣ କରିଥିଲା ।
ଏହି ଘଟଣା ପରେ ଉତ୍ତ୍ୟକ୍ତ ଅଞ୍ଚଳବାସୀ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରି ନ୍ୟାୟ ପ୍ରଦାନ ପାଇଁ ନିଷ୍ପତ୍ତି ନେବା ପରେ ବାହାରିଥିବା ବେଳେ ସେଠାରେ ମଧ୍ୟ ପୁଲିସ ବଳ ପୂର୍ବକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏଥି ପାଇଁ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ଶତାଧିକ ମହିଳା ଙ୍କ ସମେତ ଅଞ୍ଚଳବାସୀ ଜୋରଜବରଦସ୍ତି ପୁଲିସର ଘେରା ଭାଙ୍ଗି ଜିଲାପାଳ କାର୍ଯ୍ୟାଳୟ କୁ ଯାଇଥିଲେ । ତେବେ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ କୌଣସି ପ୍ରକାରରେ ପୁଲିସ ଉତ୍ତ୍ୟକ୍ତ ଅଞ୍ଚଳବାସୀଙ୍କୁ ଅଟକାଇବାରୁ ସମ୍ମୁଖରେ ଧାରଣା ପ୍ରଦର୍ଶନରେ ଦିନ ପ୍ରାୟ ୧୨ଟାରେ ବସି ଯାଇଥିଲେ । ଅନେକ ବୁଝାସୁଝା ପରେ ମଧ୍ୟ ଅଞ୍ଚଳବାସୀ ଉପଯୁକ୍ତ ଥଇଥାନ, ନିକଟସ୍ଥ ଅଞ୍ଚଳରେ ଥଇଥାନ ଏବଂ ସକାଳ ସମୟରେ ପୁଲିସ ଉଠାଇ ନେଇଯାଇଥିବା ଶିବ ଭୋଇ ଙ୍କୁ ତୁରନ୍ତ ଖଲାସ ଦାବିରେ ଅଡି ରହିଥିଲେ ।
ଆଲୋଚନା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଦାବି ପୂରଣ ହେଉ ନ ଥିବାର ଦେଖି ଉତ୍ତ୍ୟକ୍ତ ମହିଳା ଓ ଅଞ୍ଚଳବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଗେଟ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ପୁଲିସ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହେବାରୁ ଉଭୟ ପକ୍ଷରୁ ଜଣେ ଲେଖାଏଁ ମହିଳା ଆହତ ହୋଇଥିଲେ । କୌଣସି ମତେ ପୁର୍ନବାର ପୁଲିସ ଅଞ୍ଚଳବାସୀଙ୍କୁ ଜୋରଜବରଦସ୍ତି ଅଟକାଇବାରେ ସଫଳ ହେବାରୁ ବିକ୍ଷୋଭକାରୀ ମାନେ ଦାବି ପୂରଣ ସକାଶେ କାର୍ଯ୍ୟାଳୟ ସମ୍ମୁଖରେ ବସି ଯାଇଥିଲେ ।
ପୁଲିସ ଓ ଘୁନଘୁଟିପଡା ନିବାସୀ ଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟରେ ପିଙ୍କି ବିଭାର, ସାଲିନୀ ଭୋଇ ଓ ତାଙ୍କ ଶିଶୁ ଏବଂ ଧନୁପାଲି ଥାନାଧିକାରିଣୀ ଅନୀତା ନାୟକ ସାମାନ୍ୟ ଆହତ ହୋଇଥିଲେ । ପିଙ୍କି ବିଭାର ଅଚେତ ହୋଇ ତଳେ ପଡି ଯାଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭିର୍ତ୍ତି କରାଯାଇଛି । ଖବର ଲେଖା ଯିବା ପର୍ଯ୍ୟନ୍ତ ଉଭୟ ଆହତ ଙ୍କ ଅବସ୍ଥା ସଙ୍କଟରୁ ବାହାରେ ଥିବାର ଜଣାପଡିଛି ।
ଅନେକ ସମୟ ଧରି ବିକ୍ଷୋଭ କରିବା ପରେ ଘୁନଘୁଟିପଡା ନିବାସୀ ଙ୍କ ଏକ ପ୍ରତନିଧି ମଣ୍ଡଳ ସହିତ ଜିଲା ପ୍ରଶାସନ କଥା ହେବାକୁ ରାଜି ହୋଇଥିଲେ । ଏଣୁ ଘୁନଘୁଟିପଡା ନିବାସୀ ଙ୍କ ଏକ ପ୍ରତନିଧି ମଣ୍ଡଳ ଅତିରିକ୍ତ ଜିଲାପାଳ ଅଜମ୍ବର ମହାନ୍ତିଙ୍କ ସହିତ ସାକ୍ଷାତକାର କରି କଥାବାର୍ତ୍ତା ହୋଇ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ । ଆଲୋଚନା ସମୟରେ ସରକାରଙ୍କ ଦ୍ୱାରା ଘୋଷିତ ସମଲେଇ ଯୋଜନାରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ଜନତାଙ୍କ ସହଯୋଗ ଯୋଗୁଁ ପ୍ରାୟ ୮୦ ପ୍ରତିଶତ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ହୋଇ ସାରିଥିବା ବେଲେ ସମସ୍ତଙ୍କ ସୁବିଧାକୁ ଧ୍ୟାନରେ ରଖାଯାଇ ସରକାର ବ୍ୟବସ୍ଥା କରୁଛନ୍ତି । ଏଣୁ ସେମାନଙ୍କର ଯାହା ଦାବି ଅଛି ତାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଅଜମ୍ବର ମହାନ୍ତି ଘୁନଘୁଟିପଡା ନିବାସୀ ଙ୍କ ପ୍ରତିନିଧି ମଣ୍ଡଳକୁ କହିଥିଲେ ।
ଏହି ଅବସରରେ ଆଇନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଜିଲା ପୁଲିସ ପକ୍ଷରୁ ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଏସଡିପିଓ ପ୍ରଦୀପ ସାହୁ, ଟାଉନ ଥାନାଧିକାରୀ ପ୍ରକାଶ କୁମାର କର୍ଣ୍ଣ, କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ, ଧନୁପାଲି ଥାନାଧିକାରିଣୀ ଅନୀତା ପ୍ରଧାନ, ଅଇଁଠାପାଲି ଥାନାଧିକାରିଣୀ ଯୋଗେଶ ପଣ୍ଡା, ମହିଳା ଥାନାଧିକାରିଣୀ ରାଜେଶ୍ୱରୀ ଭୋଇ ଙ୍କ ସମେତ ଭାରି ପୁଲିସ ବଳ ମୃତୟନ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ସରକାର ଦ୍ୱାରା ନିର୍ଦ୍ଧାରିତ ସମଲେଇ ଯୋଜନା ଅର୍ନ୍ତଗତ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହା ପରେ ଏହି ପ୍ରକଳ୍ପକୁ ଆରମ୍ଭ କରାଯାଇଛି । ତେବେ ଏହି ସମୟରେ କିଛି ଅଞ୍ଚଳବାସୀଙ୍କ ଦ୍ୱାରା ଉଚ୍ଚ ନ୍ୟାୟାଳୟର ସହାୟତା ନିଆଯିବାରୁ ଉଚ୍ଛେଦ ପ୍ରକ୍ରିୟା ଉପରେ ଅଦାଲତ ରୋକ ଲଗାଇଥିଲେ । ତେବେ ଉକ୍ତ ରୋକ କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ହଟାଇ ନିଆଯିବାରୁ ପୁର୍ନବାର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଉଚ୍ଛେଦ ପୂର୍ବରୁ ଜିଲା ପ୍ରଶାସନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅନେକବାର ବୈଠକ ବସି ସହମତି ଅନୁଯାୟୀ ଅଞ୍ଚଳବାସୀଙ୍କୁ ଉଚିତ କ୍ଷତିପୂରଣ ଯୋଗାଇ ଦିଆଯାଇଛି । ବାରମ୍ବାର ପ୍ରଶାସନ ପକ୍ଷରୁ ଘର ଖାଲି କରିବାକୁ ଅନୁରୋଧ ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ସେମାନେ ଖାଲି କରି ନ ଥିବାରୁ ବାଧ୍ୟ ହୋଇ ପ୍ରଶାସନ ଆଇନ ଅନୁଯାୟୀ ପଦକ୍ଷେପ ନେଇଛି ବୋଲି ଜଣାପଡିଛି ।
Comments are closed.