ନୂଆଖାଇ ଏକ ଅଦ୍ଭୁତ ସାଂସ୍କୃତିକ ସଂହତି ଓ ସମନ୍ବୟର ସମାହାର
ଜିଲାସ୍ତରୀୟ ନୂଆଖାଇ ଉତ୍ସବ ଅନୁଷ୍ଠିତ
ଯାଜପୁର: ଶନିବାର ପୂର୍ବାହ୍ନରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ ନୂଆଖାଇ ଭେଟଘାଟ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l ଜିଲା ଭାଷା, ସାହିତ୍ୟ, ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶ୍ରୀ ମଲ୍ଲିକ କହିଥିଲେ ଯେ ପଶ୍ଚିମ ଓଡ଼ିଶାର ପରମ୍ପରା ଓ ଐତିହ୍ୟର ଜୀବନଧାରା ଏକ ବୃହତ୍ତର ସାର୍ବଜନୀନ ସଂସ୍କୃତିର ପ୍ରତୀକ। ନୂଆଁଖାଇ ହେଉଛି ତା’ର ସ୍ମାରକ। ନବ ଉତ୍ପାଦିତ ଅନ୍ନକୁ ସୃଷ୍ଟିକର୍ତ୍ତାଙ୍କୁ ଅର୍ପଣ କରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ଏହାର ମୂଳଲକ୍ଷ୍ୟ l ନୂଆଖାଇ ଆଜି କେବଳ ପଶ୍ଚିମ ଓଡିଶାର ପର୍ବ ହୋଇ ରହି ନାହିଁ, ଏହା ସାରା ରାଜ୍ୟରେ ପରିବ୍ୟାପ୍ତ; ଯାହା ଏକତା, ସଂସ୍କୃତି, ଭାଇଚାରା ଓ ସାମ୍ୟବାଦକୁ ପ୍ରୋତ୍ସାହିତ କରିଥାଏ l ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ନୂଆଖାଇ ପର୍ବର ମହନୀୟତl ଉପରେ ଆଲୋକପାତ କରିବା ସହିତ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ନିବେଦନ କରିଥିଲେ l ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦେଇ କହିଥିଲେ ଯେ ଭାରତବର୍ଷରେ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମାଜରେ ବିଭିନ୍ନ ଧର୍ମରେ ଶସ୍ୟପୂଜାର ପରମ୍ପରା କ୍ରମେ ନୂତନ ଅନ୍ନକୁ ସୃଷ୍ଟିକର୍ତ୍ତାଙ୍କୁ ଅର୍ପଣ କରି ନିଜେ ଗ୍ରହଣ କରିବା ବିଧି ଥିଲେ ହେଁ ନୂଆଁଖାଇ ତାହାଠାରୁ ଅନେକାଂଶରେ ପୃଥକ୍। ପଶ୍ଚିମାଞ୍ଚଳର ଏହି ପର୍ବ ଭାଦ୍ରବ ମାସରେ ହିଁ ସ୍ବତନ୍ତ୍ର ରୀତି ଓ ବିଶ୍ବାସ ଅନୁଯାୟୀ ପାଳିତ ହୋଇଥାଏ।ଏହା କେଵଳ ଏକ କୃଷି ଭିତ୍ତିକ ପର୍ବ ନୁହେଁ ବରଂ ଏକ ଅଦ୍ଭୁତ ସାଂସ୍କୃତିକ ସଂହତି ଓ ସମନ୍ବୟର ସମାହାର l ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶତ୍ରୁମିତ୍ରଙ୍କୁ ଶଙ୍ଖୋଳି ନେବାର ଦର୍ଶନ ଉପରେ ପ୍ରତିଷ୍ଠିତ ‘ନୂଆଁଖାଇ ଭେଟ୍ଘାଟ୍’ ସାମାଜିକ ସୌହାର୍ଦ୍ଦ୍ୟ ତଥା ସାର୍ବଜନୀନ ଭ୍ରାତୃଭାବକୁ ଉଦ୍ବୁଦ୍ଧ କରୁଥିବାବେଳେ ‘ଜୁହାର ଭେଟ୍’ ଭେଦଭାବ ଓ ଦ୍ୱେଷକୁ ପଦାନତ କରି ପାରିବାରିକ ସମ୍ବନ୍ଧର ଦୃଢ଼ ଭିତ୍ତିଭୂମି ନିର୍ମାଣରେ ସହାୟକ ହୁଏ ବୋଲି ଅନ୍ୟତମ ଅତିଥି ଭାବେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ କହିଥିଲେ l
ଭାଇଭାଇ ମଧ୍ୟରେ ମନୋମାଳିନ୍ୟ ଥିଲେ ମଧ୍ୟ ସାନଭାଇ ବଡ଼ଭାଇ ଘରକୁ ଆସି ନୂଆଁ ଖାଇବା ଏବଂ ପାଦଛୁଇଁ ପ୍ରଣିପାତ ହେବା ଦ୍ୱାରା ପୂର୍ବକଳହର ବିଲୋପ ଘଟେ, ସଂହତି ସ୍ଥାପନ ହୁଏ। ଜୀବନକୁ ସହଜ, ସରଳ ଓ ଉପଭୋଗମୟ କରିବା ପାଇଁ ଏହାର ପରିକଳ୍ପନା। ବିଶେଷକରି ‘ନୂଆଁଖାଇ ଭେଟ୍ଘାଟ୍’ରେ ସାରା ବିଶ୍ବର ଲୋକ ଯୋଡ଼ି ହେଉଥିବାରୁ ଏହା ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇସାରିଲଣି। ବିଭିନ୍ନ ଅଞ୍ଚଳବାସୀଙ୍କ ମଧ୍ୟରେ ବର୍ତ୍ତମାନର ସମୟ ପାଇଁ ନୂଆଁଖାଇ ଭେଟଘାଟ ଏକ ସଂହତି ସେତୁ କହିଲେ ଭୁଲ୍ ହେବ ନାହିଁ ବୋଲି ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିବା ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ତାଙ୍କ ବକ୍ତବ୍ୟରେ କହିଥିଲେ l ଏକତା ଓ ମୈତ୍ରୀର ବାର୍ତ୍ତା ଦେଉଥିବା ନୂଆଁଖାଇ ଆମ ସମସ୍ତଙ୍କ ପାଇଁ ଖୁସିର ବାର୍ତ୍ତା ଆଣୁ ବୋଲି ସମ୍ମାନିତ ଅତିଥି ଗଣେଶ୍ୱର ବରାଳ ମତ ବ୍ୟକ୍ତ କରିଥିଲେ l ଅନ୍ୟତମ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥି କହିଥିଲେ ଯେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତିର ବିକାଶ ତଥା ସମୃଦ୍ଧି ଉପରେ ପର୍ଯ୍ୟବେଷିତ ନୂଆଁଖାଇ ପର୍ବ ହେଉଛି ସଦ୍ଭାବ, ସମନ୍ୱୟ ଓ ଏକତାର ପ୍ରତୀକ। ଜାତି ସମ୍ପ୍ରଦାୟ ନିର୍ବିଶେଷରେ ବ୍ୟକ୍ତିଗତ ରାଗରୋଷକୁ ଭୁଲି ସମସ୍ତଙ୍କ ମଧ୍ୟରେ ଆନ୍ତରିକତା ଓ ସହୃଦୟତା ସ୍ଥାପନରେ ଏହାର ମହନୀୟତା ଅତୁଳନୀୟ। ଜିଲ୍ଲା ସଂସ୍କୃତ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Comments are closed.