କେନ୍ଦୁଝର ଜିଲ୍ଲାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡିଏମ୍ଏଫ୍ ପାଣ୍ଠିରୁ ଦିଆଗଲା ୧୭ କୋଟି ଟଙ୍କାର ଛାତ୍ରବୃତ୍ତି
କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ସରକାରୀ ଏବଂ ଏଡେଡ୍ ବିଦ୍ୟାଳୟ ସହ ଆଦର୍ଶ ବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଏଚ୍ଏସ୍ସି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଡିଏମ୍ଏଫ୍ ପାଣ୍ଠିରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଆଗକୁ ଉଚ୍ଚଶିକ୍ଷାରେ ଏହି ଛାତ୍ରବୃତ୍ତି ସେମାନଙ୍କୁ ସହାୟକ ହେବ । ତୃତୀୟ ବର୍ଷ ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଏହି ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ନିଜର ଜୀବନରେ କିପରି ସଫଳ ହୋଇଥିଲେ ସେ ବିଷୟରେ ଛାତ୍ର ଛାତ୍ରୀଙ୍କୁ ସୂଚନା ଦେବା ସହ ଆଗକୁ ଜୀବନରେ ସେମାନେ କିପରି ସଫଳ ହେବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଶାସନର ଏହା କାର୍ଯ୍ୟକୁ ଶ୍ରୀ ବାଗଚୀ ପ୍ରଶଂସା କରିଛନ୍ତି ।
ଚଳିତ ବର୍ଷ ଜିଲ୍ଲାର ୨୨୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୧୯୯୭ ଜଣ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଘସିପୁରାର ପ୍ରକାଶ ସାହୁ ଜିଲ୍ଲାରେ ସର୍ବାଧିକ ୯୮.୧୨ ପ୍ରତିଶତ ନମ୍ବର ରଖିଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରଦ୍ଧା ଜୁଆଙ୍ଗ ସର୍ବାଧିକ ୭୮.୬୭ ପ୍ରତିଶତ ନମ୍ବର ରଖିଛନ୍ତି । ଡିଏମ୍ଏଫ୍ ପାଣ୍ଠିରୁ ୧୧,୬୦୫ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୧୭ କୋଟି ଟଙ୍କାର ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି । ପୂର୍ବରୁ ୨୦୨୦ ଏବଂ ୨୦୨୧ରେ ୭୬୯୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୧୦.୪୮ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ଏହା ଉଚ୍ଚଶିକ୍ଷାର ପ୍ରସାର ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ପ୍ରଦାନ କରିବାରେ ସହାୟକ ହେଉଛି ।
Comments are closed.