ହାଇଦରାବାଦ : ପୁଣିଥରେ ଘରୋଇମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ ଦିନରେ ଟେଷ୍ଟମ୍ୟାଚ୍ ଜିତିପାରିଛି ଭାରତୀୟ ଦଳ। ପ୍ରଥମ ଟେଷ୍ଟକୁ ଇନିଂସ ଓ ୨୭୨ ରନ୍ରେ ଜିତିବା ପରେ ୨ୟ ଟେଷ୍ଟମ୍ୟାଚ୍କୁ ମଧ୍ୟ ଭାରତ ବିପୁଳ ବ୍ୟବଧାନରେ ଜିତିପାରିଛି। ମ୍ୟାଚ୍ର ପ୍ରଥମ ୨ ଦିନ ଭାରତ ସହ ମୁକାବିଲା କରିବାରେ ସମର୍ଥ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦଳ ୩ୟ ଦିନରେ କିନ୍ତୁ ଛତ୍ରଭଙ୍ଗ ଦେଇଥିଲା। ସାର୍ଦ୍ଦୁଳ ଠାକୁରଙ୍କ ଆହତ ହେବା ପରେ ଏକମାତ୍ର ପେସ୍ ବୋଲର ଉମେଶ ଯାଦବ ଉଭୟ ଇନିଂସରେ ୬ଟି ଏବଂ ୪ଟି; ଏହିପରି ମୋଟ ୧୦ଟି ୱିକେଟ ନେଇ ଭାରତକୁ ୧୦ ୱିକେଟରେ ଜିତାଇ ପାରିଛନ୍ତି। ଫଳରେ ଭାରତ ଏହି ୨ ମ୍ୟାଚ୍ର ଟେଷ୍ଟ ସିରିଜ୍କୁ ୨-୦ରେ ପୋଛିନେଇଛି। ପ୍ରଥମ ଇନିଂସରେ ୫୬ ରନ୍ ପଛରେ ରହିଥିବା ୱେଷ୍ଟଇଣ୍ଡିଜ୍ ୨ୟ ଇନିଂସରେ ଅତ୍ୟନ୍ତ ଦୟନୀୟ ବ୍ୟାଟିଂକରି ମାତ୍ର ୧୨୭ ରନ୍ରେ ଅଲ୍ଆଉଟ ହେବା ପରେ ବିଜୟ ପାଇଁ ଭାରତକୁ ମାତ୍ର ୭୨ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। ଭାରତୀୟ ଓପ୍ନିଂ ଯୋଡ଼ି ପୃଥ୍ୱୀ ସ’ ଓ କେ.ଏଲ୍. ରାହୁଲ ମ୍ୟାଚ୍କୁ ୪ର୍ଥ ଦିନକୁ ଯିବାକୁ ନଦେଇ ଫ୍ଲଡ୍ଲାଇଟ୍ରେ ଖେଳି ଦଳକୁ ବିଜୟୀ କରିଥିଲେ। ଉଭୟ ରାହୁଲ ଓ ପୃଥ୍ୱୀ ୩୩ ରନ୍ ଲେଖାଏଁ କରି ଅପରାଜିତ ଥିବା ବେଳେ ପୃଥ୍ୱୀ ୪ଟି ଓ ରାହୁଲ ଗୋଟିଏ ଚୌକା ମାରିଥିଲେ। ଘରୋଇମାଟିରେ ଏହା ଭାରତର କ୍ରମାଗତ ୧୦ମ ଟେଷ୍ଟ ସିରିଜ୍ ବିଜୟ।
ୱେଷ୍ଟଇଣ୍ଡିଜ୍ର ପ୍ରଥମ ଇନିଂସ ସ୍କୋର ୩୧୧ ରନ୍ ଜବାବରେ ୨ୟ ଦିନରଶେଷରେ ଭାରତ ୪ ୱିକେଟରେ ୩୦୮ ରନ୍ କରିଥିଲା। ତେଣୁ ଭାରତ ବଡ଼ ଲିଡ୍ ନେବ ବୋଲି ଆଶା କରା ଯାଉଥିଲା। ତେବେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍ଡର ୩ୟ ଦିନ ପ୍ରାରମ୍ଭରୁ ଚମତ୍କାର ବୋଲିଂକରି ଏହା ହେବାକୁ ଦେଇନଥିଲେ। ଅଜିଙ୍କ୍ୟ ରାହାଣେ ୮୦ ରନ୍କରି ଆଉଟ ହେବା ସହ ଋଷଭ ପନ୍ତ୍ଙ୍କ ସହ ତାଙ୍କର ୧୫୨ ରନ୍ର ୬ଷ୍ଠ ୱିକେଟ ଭାଗିଦାରୀ ଭାଙ୍ଗି ଯାଇଥିଲା। ଏହାସହ ୫୩ ରନ୍ରେ ଭାରତ ଶେଷ ୬ଟି ୱିକେଟ ହରାଇଥିଲା। ରାହାଣେ ୭ଟି ଚୌକା ସହ ୮୦ ରନ୍ କରିଥିଲେ। ଋଷଭ ପନ୍ତ୍ ଚଳିତ ସିରିଜ୍ରେ ୨ୟ ଥର ପାଇଁ ମାତ୍ର ୮ ରନ୍ ଲାଗି ଶତକରୁ ବଞ୍ଚିତ ହୋଇଥିଲେ। ଦିଲ୍ଲୀର ଏହି ବାମହାତି ୧୩୪ ବଲ୍ ଖେଳି ୨ଟି ଛକା ଓ ୧୧ଟି ଚୌକା ସହ ୯୨ ରନ୍ କରିଥିଲେ। ରବୀନ୍ଦ୍ର ଜାଡ଼େଜା ବିନା ସ୍କୋର୍ରେ ଆଉଟ ହୋଇଥିବା ବେଳେ କୁଲଦୀପ ଯାଦବ ୬ ଓ ଉମେଶ ଯାଦବ ୨ ରନ୍ କରିଥିଲେ। ତେବେ ରବିଚନ୍ଦ୍ରନ ଅଶ୍ୱିନ ଓ ଆହତ ସାର୍ଦ୍ଦୁଳ ଠାକୁର ଶେଷ ୱିକେଟ ପାଇଁ ୨୮ ରନ୍ ଯୋଡ଼ିଥିଲେ। ଅଶ୍ୱିନ ୪ଟି ଚୌକା ସହ ୩୫ ରନ୍କରି ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଜେସନ୍ ହୋଲ୍ଡର ୫୬ ରନ୍ଦେଇ ୫ଟି ୱିକେଟ ନେଇଥିଲେ। ଚଳିତବର୍ଷ ୪ର୍ଥ ଥର ପାଇଁ ହୋଲ୍ଡର ଏହି କୃତିତ୍ୱ ହାସଲ କରିଥିବା ବେଳେ କ୍ରମାଗତ ୩ୟ ଇନିଂସରେ ହୋଲ୍ଡର ୫ଟି ୱିକେଟ ନେଇଛନ୍ତି। ସାନନ୍ ଗାବ୍ରିଏଲ୍ ୩ଟି ୱିକେଟ ନେଇଥିଲେ। ବାକି ୨ଟି ୱିକେଟ ବାମହାତି ସ୍ପିନର ଜୋମେଲ ୱାରିକାନ୍ ନେଇଥିଲେ।
୫୬ ରନ୍ ପଛରେ ରହିବା ପରେ ୱେଷ୍ଟଇଣ୍ଡିଜ୍ ଦୟନୀୟ ଭାବେ ୨ୟ ଇନିଂସ ଆରମ୍ଭ କରିଥିଲା। ଇନିଂସର ୨ୟ ବଲ୍ରେ କାର୍ଲୋସ୍ ବ୍ରାଥ୍ୱେଟ୍ ଆଉଟ ହୋଇଥିଲେ। ପରେ ଅନ୍ୟ ଓପ୍ନର କୈରନ୍ ପୱେଲ ମଧ୍ୟ ବିନା ସ୍କୋର୍ରେ ବିଦାୟ ନେଇଥିଲେ। ସାଇ ହୋପ୍ ଓ ସିମ୍ରନ୍ ହେତ୍ମେୟର ସ୍କୋର୍କୁ ୪୫ ରନ୍ରେ ପହଞ୍ଚାଇବା ପରେ ଉଭୟ ସମାନ ସ୍କୋର୍ରେ ଆଉଟ ହୋଇଥିଲେ। ହୋପ୍ ୨୮ ଓ ହେତ୍ମେୟର ୧୭ ରନ୍ କରିଥିଲେ। ପରେ ୱେଷ୍ଟଇଣ୍ଡିଜ୍ ନିୟମିତ ୱିକେଟ ହରାଇ ଚାଲିଥିଲା। ରୋଷ୍ଟନ୍ ଚେଜ୍ ୬ ଓ ସେନ୍ ଡାଓରିଚ୍ ବିନା ସ୍କୋର୍ରେ ଆଉଟ ହୋଇଥିଲେ। ସୁନୀଲ ଆମ୍ରିସ୍ ୪ଟି ଚୌକା ସହ ସର୍ବାଧିକ ୩୮ ରନ୍ କରିଥିବା ବେଳେ ଅଧିନାୟକ ଜେସନ୍ ହୋଲ୍ଡର ୧୯ ରନ୍ କରିଥିଲେ। ୧୯ ରନ୍ରେ ଇଣ୍ଡିଜ୍ ଶେଷ ୪ଟି ୱିକେଟ ହରାଇଥିଲା। ପ୍ରଥମ ଇନିଂସରେ ୬ଟି ୱିକେଟ ନେଇଥିବା ଉମେଶ ଯାଦବ ୪ଟି ୱିକେଟ ପାଇଥିଲେ। ଏହି ଇନିଂସରେ ଉମେଶ ୨ ଥର ହ୍ୟାଟ୍ରିକ୍ ନେବା ସ୍ଥିତିରେ ଥିଲେ ହେଁ ଏଥିରେ ସଫଳ ହୋଇନଥିଲେ। ରବୀନ୍ଦ୍ର ଜାଡ଼େଜା ୩ଟି ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ ପାଇଥିଲେ। ଜୀବନର ପ୍ରଥମ ସିରିଜ୍ରେ ପୃଥ୍ୱୀ ସ’ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ। ୨୧ରୁ ଉଭୟ ଦଳଙ୍କ ମଧ୍ୟରେ ୫ ମ୍ୟାଚ୍ର ଦିନିକିଆ ସିରିଜ୍ ଖେଳାଯିବ।
ସ୍ୱଦେଶରେ ଭାରତର କ୍ରମାଗତ ୧୦ମ ସିରିଜ୍ ବିଜୟ
Popular Categories



