ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ଦିନରୁ ଏକ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଆବଶ୍ୟକତା ରହିଥିଲା, ଯାହାକି ଏବେ ପୂରଣ ହେବାକୁ ଯାଉଛି। ଏହା ଦେଶର ୧୭ତମ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଭାବେ ପରିଗଣିତ ହେବ। ରାଜ୍ୟ ସରକାର ସମସ୍ତଙ୍କୁ ହାତ ପାଆନ୍ତାରେ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତି ଶ୍ରୁତିବଦ୍ଧ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉକ୍ତି ‘ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା’କୁ ପାଥେୟ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗେଇ ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି।
ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଜାତୀୟ କର୍ମଶାଳା ବିଶ୍ୱବିଦ୍ୟାଳୟର ଏକ ଦୃଷ୍ଟିକୋଣ ଯୋଜନା ପ୍ରସ୍ତୁତ କରିବା ପାଇଁ ସାରା ଦେଶର ବିଶିଷ୍ଟ ଚିକିତ୍ସାବିତ, ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି, ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ଡିନ୍‌, ସ୍ୱାସ୍ଥ୍ୟ ବିଭାଗର ପ୍ରଶାସକ, ମେଡିକାଲ କଲେଜର ନିର୍ଦ୍ଦେଶକ, ଡିନ୍‌ ଏବଂ ଅଧ୍ୟକ୍ଷ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ଏବେ ଓଡ଼ିଶାରେ ନୂତନ ଭାବେ ୭ଟି ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଚାଲୁରହିଛି। ଏହାପୂର୍ବରୁ ୩ଟି ସରକାରୀ ମେଡିକାଲ କଲେଜ ଥିଲା। ଏବେ ୧୦ଟି ମେଡିକାଲ କଲେଜ ସହିତ ହୋମିଓପାଥି, ଆୟୁର୍ବେଦ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ଚାଲୁରହିଛି। ଏବେ ଏହିସବୁ ଅନୁଷ୍ଠାନଗୁଡ଼ିକ ଗୋଟିଏ ସ୍ଥାନରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ମଧ୍ୟରେ ରହିବେ। ଏହା ଦ୍ୱାରା ଗୋଟିଏ ୟୁନିଫର୍ମ ଷ୍ଟାଣ୍ଡାର୍ଡର ମେଡିକାଲ ଶିକ୍ଷା ପ୍ରଚଳିତ ହେବ। ନିୟମିତ ତାଲିମ, ସମୟାନୁଯାୟୀ ପରୀକ୍ଷା ଓ ଫଳ ପ୍ରକାଶ ହେବ । ଏହା ସହ ଗବେଷଣା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ଦ୍ୱାରା ପରିଚାଳିତ ଏହି କର୍ମଶାଳାରେ ଡିଏମ୍‌ଇଟି ପ୍ରଫେସର ଡା. ରମାରମଣ ମହାନ୍ତି, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ପ୍ରଫେସର ଡା. ଦତ୍ତେଶ୍ୱର ହୋତା ପ୍ରମୁଖ ଯୋଗଦେଇଥିଲେ ।
ଏହି କର୍ମଶାଳାରେ କିଟ୍‌ ୟୁନିଭରସିଟିର ପ୍ରୋ-ଚାନ୍‌ସେଲର ପଦ୍ମଶ୍ରୀ ସୁବ୍ରତ ଆଚାର୍ଯ୍ୟ, ଗୌହାଟୀ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତିର ପ୍ରଫେସର ଧ୍ରୁବଜ୍ୟୋତି ବୋରା, ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ଡିନ୍‌ ପ୍ରଫେସର ଉଷା ବିଜୟରାଘବନ୍‌, ମହାରାଷ୍ଟ୍ରର ଡିଏମ୍‌ଇଟି ପ୍ରଫେସର ଦିଲ୍ଲୀପ ଗୋବିନ୍ଦରାଓ ମହିସେକର, ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତିପ୍ରଫେସର ଶୁହ୍ରିତା ପଲ, ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଡିନ୍‌ ପ୍ରଫେସର ସଚିନ ମୁମ୍ବ୍ରେ, କେରଳ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମୋହନନ୍‌ କୁନ୍ନୁମାଲ୍‌, ଆନ୍ଧ୍ରପ୍ରଦେଶ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଫେସର ଶ୍ୟାମ ପ୍ରସାଦ ପିଗିଲାମ୍‌ ପ୍ରମୁଖ ଯୋଗଦେଇଥିଲେ।
ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ସାଂଗଠନିକ ଢାଞ୍ଚା, ଅଭିନବ ପାଠ୍ୟକ୍ରମର ବିକାଶ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଉତ୍କର୍ଷ କେନ୍ଦ୍ର ସହିତ ଅନୁସନ୍ଧାନ ଏବଂ ସହଯୋଗ, ବିଶ୍ୱବିଦ୍ୟାଳୟ କାର୍ଯ୍ୟର ଡିଜିଟାଇଜେସନ୍‌, ଅଧ୍ୟାପନା କ୍ଷେତ୍ରରେ ବିକାଶ, ଆଭ୍ୟନ୍ତରିଣ ସହଯୋଗ ଏବଂ ପ୍ରତିଷ୍ଠିତ ମହାବିଦ୍ୟାଳୟର ଭୂମିକା ସଂପର୍କରେ ଆଲୋଚନା କରିଥିଲେ।

kalyan agarbati

Comments are closed.