ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ବୌଦ୍ଧ: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ଅନୁମତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗୁରୁବାର ଅପରାହ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଏହି ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ୫ ଟି ପର୍ଯ୍ୟାୟରେ ସଂପାଦିତ ହେବ। ୦-୩୫ କିଲୋମିଟର ପର୍ଯ୍ୟନ୍ତ (୯.୦୯୫ ହେକ୍ଟର ଜଙ୍ଗଲ ଜମି) ହେବାକୁଥିବା ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ-୧ ଓ ଷ୍ଟେଜ୍-୨ ଅନୁମତି ମିଳିସାରିଛି। ସେହିପରି ୩୬-୧୧୨ କିଲୋମିଟର (୫୯.୭୧୭ ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ୍-୧ ଓ ଷ୍ଟେଜ୍-୨ ଅନୁମତି ମିଳିସାରିଛି। ପୂର୍ବତଟ ରେଳପଥ ଏହି କାର୍ଯ୍ୟ ଆରମ୍ଭ କରିବାରେ କୌଣସି ସମସ୍ୟା ନାହିଁ। ନୟାଗଡ ଜିଲା ବନଖଣ୍ଡ ଅନ୍ତର୍ଗତ ୧୧୨-୧୪୩ କିଲୋମିଟର (୧୯୨.୨୮୯ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ହେବାକୁଥିବା ରେଳ ଲାଇନ ପ୍ରକଳ୍ପକୁ ଅଦ୍ୟାବଧି ଷ୍ଟେଜ୍ -୧ ଅନୁମତି ମିଳିପାରିନାହିଁ। ସେହିପରି ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୧୪୩ – ୧୮୦ କିଲୋମିଟର(୩୦୨.୩୨୯ ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ହେବାକୁଥିବା ରେଳ ଲାଇନ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ୍-୧ ଅନୁମତି ମିଳିପାରିନାହିଁ। ଏ ସଂପର୍କରେ ବୈଠକରେ ପୁଙ୍ଖାନୁପୁ୍ଙ୍ଖ ଆଲୋଚନା ହୋଇଥିଲା। ଭାରତ ସରକାରଙ୍କ ସଂପୃକ୍ତ ବିଭାଗ ସହ ତୁରନ୍ତ ଯୋଗାଯୋଗ କରି ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା ଷ୍ଟେଜ୍-୧ ଅନୁମତି ଆଣିବା ପାଇଁ ଯଥାବିଦ୍ଧି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀଅମାତ ମୁଖ୍ୟ ବନସଂରକ୍ଷକ ଜି .ରାଜେଶ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୧୮୦-୨୩୮ କିଲୋମିଟର (୧୩.୨୨ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ୍-୧ ଅନୁମତି ମିଳିସାରିଛି। ସୁବର୍ଣ୍ଣପୁର ଓ ବଲାଙ୍ଗୀର ବନଖଣ୍ଡ ଅନ୍ତର୍ଗତ ୨୩୮-୨୮୯ କିଲୋମିଟର(୬୯.୭୭ ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ୍ -୧ ଅନୁମତି ମିଳିସାରିଛି ବୋଲି ବୈଠକ ସୁତରୁ ପ୍ରକାଶ। ଏହି ପ୍ରକଳ୍ପ ଶେଷ ହେଲେ ଖୋର୍ଦ୍ଧା,ନୟାଗଡ,ବୌଦ୍ଧ,ସୁବର୍ଣ୍ଣପୁର ଓ ବଲାଙ୍ଗୀର ଏବଂ ଆଖପାଖ ଜିଲାର ଜନସାଧାରଣ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀଅମାତ ଉଲ୍ଲେଖ କରିଛନ୍ତି। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦିପ କୁମାର ରାଉତଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।
Comments are closed.