ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରକଳ୍ପ ପରିଚାଳନା ଏକକର ଶୁଭାରମ୍ଭ
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ୟ୍ୟକ୍ରମକୁ ଲୋକାଭିମୁଖୀ କରିବା ସହ ବିଭାଗୀୟ କାର୍ୟ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ବିଭାଗ ତରଫରୁ ଏକ ପ୍ରକଳ୍ପ ପରିଚାଳନା ଏକକ (ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ)ର ଶୁଭାରମ୍ଭ ହୋଇଛି। ଆଜି ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏହି ପ୍ରକଳ୍ପ ୟୁନିଟ୍ କୁ ଉଦଘାଟନ କରିଥିଲେ। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଟି ବିଭାଗ ସହଯୋଗରେ ଓଏଏସୱାଇଏସ ସଂସ୍ଥା ଏହି ପିଏମୟୁ ପରିଚାଳନା କରିବ। ଏହା ଫଳରେ ଏଣିକି ବିଭାଗ ଅନ୍ତର୍ଗତ ରାଜ୍ୟ ସଂଗ୍ରହାଳୟ,ଓଡିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ରବୀନ୍ଦ୍ର ମଣ୍ଡପ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ରାଜ୍ୟ ଅଭିଲେଖାଗାର, ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର, ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଓଡିଶା ଲଳିତ କଳା ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ ସହ ବିଭାଗର ସମସ୍ତ କାର୍ୟ୍ୟକ୍ରମକୁ ବିଭିନ୍ନ ମୁଦ୍ରଣ, ବୈଦ୍ୟୁତିକ ବିଶେଷ କରିସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାରଣ ସହଜ ହେବ। ଏହାଦ୍ୱାରା ବିଭାଗ ଦ୍ବାରା ଆୟୋଜିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ସର୍ବସାଧାରଣଙ୍କ ନିକଟରେ ପହଞ୍ଚିପାରିବ। ତତ୍ ସହିତ ଏହି ପ୍ରକଳ୍ପ ପରିଚାଳନା ୟୁନିଟ୍ ଏ ସଂପର୍କରେ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ ସଂପର୍କରେ ବିଭାଗକୁ ପରାମର୍ଶ ଦେବ। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ପଞ୍ଜିକରଣ, ବିଭିନ୍ନ କାର୍ୟ୍ୟକ୍ରମର ଦୃଶ୍ୟଶ୍ରାବ୍ୟ ପ୍ରସ୍ତୁତିଓ ତଥ୍ୟ ସଂରକ୍ଷଣରେ ଏହା ସହାୟକ ବୋଲି ବିଭାଗ ତରଫରୁ ପ୍ରେସ ବିବୃତିରେ ଅବଗତ କରାଯାଇଛି। ଏହି କାର୍ୟ୍ୟକ୍ରମରେ ବିଭାଗର ଉପ ଶାସନ ସଚିବ ସଂଜୟ କୁମାର ମିଶ୍ରଙ୍କ ସମେତ ବିଭାଗୀୟ ବିଭିନ୍ନ ଶାଖାର ଉଚ୍ଚ କର୍ତ୍ତୃପକ୍ଷ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
Comments are closed.