www.samajalive.in
Monday, December 15, 2025
24.1 C
Bhubaneswar

ଦୁଇଦିନ ଅତି ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଗୁରୁବାର ସୁଦୃଶ୍ୟ ହୋଇଛି । ଏହା ଶୁକ୍ରବାର ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହାର ପ୍ରଭାବରେ ଗୁରୁବାର ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ (ଆଇଏମଡି ଡିଜି) ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଶୁକ୍ରବାର ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ସବୁ ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ଅର୍ଥାତ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ।
୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହି ସମୟରେ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷା ସମ୍ଭାବନା ରହିଛି। ୧୯ ଓ ୨୦ରେ ହେବାକୁ ଥିବା ବର୍ଷା ପ୍ରଭାବରେ ଓଡ଼ିଶାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ଯେଉଁ ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ରହିଛି ସେଗୁଡ଼ିକ ମଧ୍ୟ ଅଧିକ ପ୍ରଭାବିତ ହେବ। ଉତ୍ତର-ପଶ୍ଚିମ ଓଡ଼ିଶାର ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ ତଥ୍ୟାନୁଯାୟୀ, ଆସନ୍ତାକାଲି କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ (୨୦ ସେଣ୍ଟିମିଟରରୁ ଅଧିକ) ବର୍ଷା ହୋଇପାରେ। ଏହି ଜିଲା ଦ୍ବୟକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଅନ୍ୟପଟେ ଝାରସୁଗୁଡା, ବରଗଡ଼, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଫଳରେ ଏହି ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ପ୍ରଭାବରେ ତଳିଆ ଅଞ୍ଚଳରେ ଜଳମଗ୍ନ, ଅଚାନକ ବନ୍ୟା ଆସିବା, ପାହାଡରୁ ଅତଡା ଧସିବା, କଚ୍ଚା ରାସ୍ତା ଧୋଇଯିବା ଓ କଚ୍ଚା ଘର ଭାଙ୍ଗିବା, ସହରାଞ୍ଚଳ ଜଳମଗ୍ନ ଏବଂ ଟ୍ରାଫିକ ଭିଡ଼ ସମସ୍ୟା ଦେଖାଦେଇପାରେ।
ଉପକୂଳ ଓଡ଼ିଶା ଏବଂ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ। ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୬୫ କିମି ଛୁଇଁପାରେ। ସମୁଦ୍ର ଅଶାନ୍ତ ରହିବାରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏହି ଲଘୁଚାପ କ୍ଷେତ୍ର ସାମାନ୍ୟ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳରେ ଏବେ ସକ୍ରିୟ ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଗା‌େ‌ଙ୍ଗୟ ପଶ୍ଚିମବଙ୍ଗ ଉପତ୍ୟକା, ଝାଡ଼ଖଣ୍ଡ, ଉତ୍ତର-ଓଡିଶା, ଉତ୍ତର-ଛତିଶଗଡ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ଲଘୁଚାପ ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ବାରା ଏହି ନଦୀ ଗୁଡିକ ଫୁଲିବ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories