ବିଜେପି ସଂସଦୀୟ ବୋର୍ଡ : ଗଡ଼କରୀ, ଶିବରାଜ ବାଦ୍‌ ; ୟେଦୁରପ୍ପା ସାମିଲ

ନୂଆଦିଲ୍ଲୀ : ବୁଧବାର ସଂସଦୀୟ ବୋର୍ଡରେ ପରିବର୍ତ୍ତନ କରିଛି ବିଜେପି । ସଂସଦୀୟ ବୋର୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଓ ସର୍ବାନନ୍ଦ ସୋନୱାଲ୍‌ଙ୍କୁ ସାମିଲ କରାଯାଇଥିବା ବେଳେ ପୂର୍ବରୁ ବୋର୍ଡରେ ଥିବା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ବାଦ୍‌ ଦିଆଯାଇଛି । ୟେଦୁରପ୍ପା ଓ ସୋନୱାଲ୍‌ଙ୍କ ବ୍ୟତୀତ ବୋର୍ଡରେ କେ. ଲକ୍ଷ୍ମଣ, ଇକବାଲ୍ ସିଂହ ଲାଲପୁରା, ସୁଧା ଯାଦବ ଓ ସତ୍ୟନାରାୟଣ ଜଟିଆଙ୍କୁ ସାମିଲ କରାଯାଇଛି। ଦେଶର ସବୁ ପ୍ରାନ୍ତ ଓ ସମାଜର ସବୁବର୍ଗର ନେତାଙ୍କୁ ନୂଆ ସଂସଦୀୟ ବୋର୍ଡରେ ସାମିଲ କରାଯିବା ଉପରେ ବିଜେପି ଗୁରୁତ୍ବ ଦେଇଛି । ଶିଖ୍‌ ସମ୍ପ୍ରଦାୟର ପ୍ରଥମ ନେତା ଭାବେ ଲାଲପୁରାଙ୍କୁ ବିଜେପି ସଂସଦୀୟ ବୋର୍ଡରେ ସାମିଲ କରାଯାଇଛି। ଜାତୀୟ କାର୍ଯ୍ୟକାରିଣୀ ତରଫରୁ ନିଷ୍ପତ୍ତି ଗ୍ରହଣ କରିବାରେ ସଂସଦୀୟ ବୋର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସଂସଦୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହା, ବିଏଲ୍‌ ସନ୍ତୋଷ ପ୍ରମୁଖ ସଭ୍ୟ ଅଛନ୍ତି।
ସେହିପରି ବିଜେପି ନିଜର କେନ୍ଦ୍ରୀୟ ନିର୍ବାଚନ କମିଟିରେ ମଧ୍ୟ ପରିବର୍ତ୍ତନ କରିଛି। ଦେବେନ୍ଦ୍ର ଫଡ୍‌ନାଭିସ୍‌, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବ, ଓମ୍‌ ମାଥୁର୍‌ ଓ ବନାତି ଶ୍ରୀନିବାସଙ୍କୁ ଏହି କମିଟିରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହାନବାଜ୍‌ ହୁସେନ୍‌ ଓ ଜୁଏଲ ଓରାମ୍‌ଙ୍କୁ କମିଟିରୁ ବାଦ୍‌ ଦିଆଯାଇଛି। ଆଗାମୀ କିଛିମାସରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ବିଜେପି ଏପରି ପଦକ୍ଷେପ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି।

kalyan agarbati

Comments are closed.