ପହଞ୍ଚୁନି ସରକାରଙ୍କ ସୁବିଧା, ଫିଟୁନି ବିକାଶର ବାଟ; ସ୍ୱାଧୀନତାର ୭୫ ବର୍ଷ ପରେ ବି ଅବହେଳିତ ତଳ ମେଟିଙ୍ଗ ଓ ଉପର ମେଟିଙ୍ଗ ଗାଁ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଂଚାୟତର ତଳ ମେଟିଙ୍ଗ ଓ ଉପର ମେଟିଙ୍ଗ ଗ୍ରାମକୁ ପହଞ୍ଚି ପାରୁନି ବିକାଶ । ସ୍ୱାଧୀନତାର ୭୫ ବର୍ଷ ପରେ ବି ବିକାଶ ଯେମିତି ଏହି ଦୁଇ ଗାଁ ପାଇଁ ପାଲଟିଛି ସାତ ସପନ  । ତଳ ମେଟିଙ୍ଗ ଗ୍ରାମରେ ପ୍ରାୟ ୫୦ ପରିବାର ଥିବା ବେଳେ ଉପର ମେଟିଙ୍ଗ ଗ୍ରାମରେ ମଧ୍ୟ ପାଖା ପାଖି ୫୦ ପରିବାର ରହିଛନ୍ତି । ସମସ୍ତେ ଅଦିମ ଜନଜାତି ବର୍ଗର । ଏମାନଙ୍କ ବୃତି ହେଲା ଡଙ୍ଗର ଚାଷ କରି ଚଳିବା ସହିତ କିଛି ଲୋକ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେଥିରେ କୁଲା, ଡଲା, ସସ୍ୟ ସଂଗ୍ରହ ପାଇଁ ଡୁଡ଼ି ତିଆରି କରି ତାହାକୁ କାକିରିଗୁମା ହାଟକୁ ନେଇ ବିକ୍ରି କରି ସେଥିରେ ଗୁଜୁରାଣ ମେଣ୍ଟାଇବା । ଏମାନେ ଜଙ୍ଗଲ ଜାତ ଜିନିଷ ବିକ୍ରି କରି ସେମାନଙ୍କ ଜିବୀକା ନିର୍ବାହ କରନ୍ତି । ସମସ୍ତ ପରିବାର ଦାରିଦ୍ର‌୍ୟ ସୀମାରେଖା ତଳେ । ଲକ୍ଷ୍ମୀପୁର ତହସିଲ ଅଧୀନ ଏହି ଗାଁ ନିକଟରେ ଥିବା ପଂଚପଟ୍ଟ ମାଳିର  ଖଣିରେ ଗଚ୍ଛିତ ଥିବା ବକ୍ସାଇଟକୁ ଲକ୍ଷ୍ୟ କରି ଦାମନ ଯୋଡ଼ିରେ ୧୯୮୧ ମଶିହାରେ ପ୍ରତିଷ୍ଠା ହୋଇଥିଲା ଆଲୋମିନା କାରଖାନା ।

ଯାହା ନାଲକୋଃ ନାମରେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ସହିତ ନବରତ୍ନର ମାନ୍ୟତା ପାଇଛି । ଏଠାରୁ ହଜାର ହଜାର କୋଟି ଟଙ୍କା ଲାଭ ହୋଇ ଜିଲା, ରାଜ୍ୟ ଓ ରାଜ୍ୟ ବାହାରେ ବିକାଶର ବର୍ତିକା ଦେଖାଇଛି କହିଲେ ଭୁଲ ହେବନାହିଁ । କିନ୍ତୁ ୪୦ ବର୍ଷରୁ ଊର୍ଦ୍ଧ୍ଵ ହେଲା ଦୀପ ତଳ ଅନ୍ଧାର ପରି ତଳ ମେଟିଙ୍ଗ ଓ ଉପର ମେଟିଙ୍ଗ ଗାଁକୁ  ବିକାଶ ଯେପରି ଛୁଇଁ ପାରି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଉକ୍ତ ଗାଁ ଦୁଇଟିକୁ ରାସ୍ତା ନଥିଲା । ଫଳରେ କୌଣସି ସରକାରୀ ଅଧିକାରୀ ମାନଙ୍କ ଦୃଷ୍ଟି ଏହା ଉପରେ ପଡ଼ୁ ନଥିଲା । ରାସ୍ତା ନଥିବା କାରଣରୁ ସ୍ୱାସ୍ଥ୍ୟ ସେବା ଯେପରି ଅପହଂଚ ହୋଇ ଥିଲା କହିଲେ ଚଳେ  । ପାହାଡ଼ କଟା ଯାଇ କିଛି ବାଟ ରାସ୍ତ ହେଲା ପରେ ସ୍ୱାସ୍ଥ୍ୟ କର୍ମୀ ମାନେ କେବେ କେବେ ଆସୁଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ  । କିନ୍ତୁ କୌଣସି ଯାନବାହନ ଯାତାୟାତ କରୁ ନଥିବା କାରଣରୁ ଚାଲି ଚାଲି ନହେଲେ ବିପଦ ସଙ୍କୁଳ ଘାଟି ରାସ୍ତାରେ ଯିବାକୁ ପଡ଼ୁଛି ।  ଏହି ତଳମେଟିଙ୍ଗ ଗାଁ ’ କୁ ଦୀର୍ଘ ୫ ବର୍ଷରୁ ଅଧିକ ହେଲା ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାମ ଚାଲିଛି ଯେ ତାହା ସରୁ ନାହିଁ । ଏହା ଗ୍ରାମ ଠାରୁ ପ୍ରାୟ ଏକ କିଲୋ ମିଟର ଦୂରରେ ଅଟକି ଯାଇଛି । ଫଳରେ ଲୋକମାନେ ବିଲ ମାଳ ଦେଇ ଦୁର୍ଗମ ପଥ ଦେଇ ଯାତାୟାତ କରୁଛନ୍ତି ।

ବର୍ଷ ବର୍ଷ ହେଲା ଠିକ ସଂସ୍ଥା କାମ ଅଧା ଛାଡ଼ି ଦେଇ ଥିବା କାରଣରୁ ଏଭଳି ଦୁର୍ଦ୍ଦଶା ଭୋଗୁ ଛନ୍ତି ଗ୍ରାମବାସୀ  । ସେହି ଭଳି ଗ୍ରାମର ଲୋକ ମାନଙ୍କୁ ଇନ୍ଦିରା ଆବସ ମିଳି ନାହିଁ । ଲୋକ ମାନେ ଶ୍ରମିକ କାର୍ଡ ଧରି ବସିଛନ୍ତି ହେଲେ ମନରେଗା କାମ ପାଉ ନାହାନ୍ତି । ସରକାରଙ୍କ ସେଭଳି କୌଣିସ କାର୍ଯ୍ୟ ଏଠାରେ ହେଉ ନାହିଁ କହିଲେ ଚଳେ  । ତେବେ ଏହାର ଏକ ମୁଖ୍ୟ କାରଣ ହେଉଛି ରାସ୍ତାର ଦୁରାବସ୍ଥା ।  ସେହିପରି ନାଲକୋଃ କମ୍ପାନୀ ପାରିପାର୍ଶ୍ବିକ ଅଂଚଳ ପାଇ ସେ ଭଳି କୌଣସି ଆଖି ଦୃଶିଆ କାମ କରି ନାହିଁ । କେବଳ କିଛି ସୋଲାର ଲାଇଟ ଦେଇଥିଲା ତାହା କିଛି ଦିନ ଜଳିଲା ପରେ ବର୍ଷ ବର୍ଷ ହେଲା ଜଳୁ ନାହିଁ ବୋଲି କହିଛନ୍ତି ଗ୍ରାମର ବେତ୍ରୁ ସିରିକା, ସିଙ୍ଗାରୀ ହୁଇକା, କାମ ସିରିକ, ଝାଡ଼ୁ ସିରିକା, ଚିତ୍ରୁ ସିରିକା ପ୍ରମୁଖ  ସ୍କୁଲ ଘର ଅଛି ନଥିଲା ସହିତ ଲୋକମାନ । ରୋଗ ଶଯ୍ୟାରେ ଲୋକ ମାନେ ବର୍ଷ ବର୍ଷ ହେଲା ପଡ଼ି ଗଡ଼ୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇ ପାରୁ ନାହାନ୍ତି । ଗାଁ’ ରେ ଅଙ୍ଗନବାଡ଼ି ଘର ମଧ୍ୟ ନାହିଁ । ଗାଁ  ରେ କୌଣସି ଲୋକ ଯଦି ରୋଗରେ ପୀଡ଼ିତ ହୁଏ କିମ୍ବା ପ୍ରସବ ବେଦନା ସେମାନଙ୍କୁ ଦୋଳାରେ ହିଁ ପ୍ରାୟ ୫ କିଲୋ ମିଟର ବୋହି ନେଲା ପରେ ଯାଇ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ିରେ ନିଆଯାଏ । ଅଙ୍ଗନବାଡ଼ି କେନ୍ଦ୍ର ନାହିଁ ।

ସ୍କୁଲ ଟିଣଘର ତାହା ଥାଇ ନଥିଲା ପରି ।   ଏହା ଠାରୁ ଅଧିକବସ୍ଥା ଭୋଗ କରୁଛନ୍ତି ଉପର ମେଟିଙ୍ଗ ଗ୍ରାମର ଲୋକ ମାନେ  । ଏହି ଗ୍ରାମକୁ ବର୍ଷରୁ ଊର୍ଦ୍ଧ୍ଵ ହେଲା ରାସ୍ତା କାମ ଆରମ୍ଭ ହୋଇଥିଲେ  ମଧ୍ୟ ତାହା ସରୁ ନାହିଁ । କେବଳ ପାହାଡ଼ କଟାଯାଇ ମୋରମ ପକା ଯାଇ ଛାଡ଼ି ଦିଆ ଯାଇଛି । ପିଚୁ କାମ ଆରମ୍ଭ ହୋଇ ପାରୁ ନାହିଁ । ଫଳରେ ଯାତାୟାତ ପାଇଁ ଅସୁବିଧା ଭୋଗ କରୁଛନ୍ତି ଗ୍ରାମବାସୀ ମାନେ । ବୃତି ମଧ୍ୟ ସେହି ତଳ ମେଟିଙ୍ଗ ପରି । ଏଠାରେ ମଧ୍ୟ ସ୍କୁଲ ନାହିଁ କି ଅଙ୍ଗନ ବାଡ଼ି କେନ୍ଦ୍ର ଅଛି ଘର ନାହିଁ । ପ୍ରାୟ ଲୋକ ମାନଙ୍କୁ ଇନ୍ଦିରା ଅବାସ ମିଳି ପାରି ନାହିଁ । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏଠାରେ କିଛି କାମ ହୋଇ ନାହିଁ ବୋଲି କହିଛିନ୍ତି । ଗ୍ରାମର ପାତ୍ର ୱାଡ଼େକା, ଶାସ ସିରିକା, କାମ ୱାଡେକା, ସିଲ ସିରକା ଆଦି ଗ୍ରାମର ଲୋକ ମାନେ । ସେହିପରି ବିଦ୍ୟୁତ ମଧ୍ୟ ଯାଇ ନାହିଁ ଉକ୍ତ ଗ୍ରାମକୁ  ।  ପାରିପାର୍ଶ୍ବିକ ଊନ୍ନୟନ ଯୋଜନରେ କିଛି କାମ ହୋଇ ନଥିବା ମଧ୍ୟ କହିଛନ୍ତି ଗ୍ରମବାସୀ ମାନେ । କେବଳ କିଛି ସୋଲାର ଲାଇଟ୍‌ ଦିଆ ଯାଇଥିଲା ତାହା କିଛି ଦିନ ଜଳିବା ପରେ ଆଉ ଜଳୁନାହିଁ । ଅନୁରୂପ ଅବସ୍ଥା ମଧ୍ୟ  ଭୋଗ କରୁଛନ୍ତି ଉପର ମେଟିଙ୍ଗ ଗ୍ରାମର ଲୋକ ମାନେ ।

ତେବେ ସବୁରି ମୂଳରେ ଦୁର୍ଗମ ପଥ ଅନ୍ତରାୟ ସୃଷ୍ଟି କରୁଥିବା କହି ମୁଣ୍ଡ ଖସାଇ ଦେଉଛନ୍ତି ସରକାରୀ ବାବୁ ମାନେ । ତେବେ ଆଶ୍ଚର୍ଯ୍ୟ କଥା ହେଉଛି ଶତାଧିକ ଲୋକ ଗ୍ରାମରେ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କାହାକୁ ବି ଯୋଗ୍ୟତା ଆଧାରରେ ସ୍ଥାୟୀ ନିଯୁକ୍ତି ମିଳି ନାହିଁ । କେବଳ ଦୁଇଟି ଗ୍ରାମରୁ ୭ ଜଣଙ୍କୁ ଠିକା ଦାରଙ୍କ ନିକଟରେ ଦିନ ମଜୁରିଆ ଭାବେ କାମ କରିବାର ସୁଯୋଗ ମିଳିଛି । ଗାଁ ମଥାନରେ ଏମାନେ ଶହ ଶହ ଆଲୁଅ ଜଳୁଥିବା ଦେଖୁଛନ୍ତି, ସେହି ପାହାଡ଼ ଗର୍ଭରୁ ବକ୍ସାଇଟ ଖନନ ହୋଇ ଆଲୁମିନାରେ ପରିଣତ ହୋଇ ହଜାର ହଜାର ଲୋକଙ୍କ ଭାଗ୍ୟ ଦୀପ ଉଜ୍ୱଳ ହୋଇଥିବା ସହିତ କମ୍ପାନୀ ଦେଶର ଆଲୋକ ବର୍ତକା ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତେବେ ପ୍ରାଚୁର୍ଯ୍ୟର ପାହାଡ଼ ତଳେ ବିଚରା ଅନ୍ଧାର ଭିତରକୁ ଠେଲି ହୋଇ ଯାଇଛି ତଳମେଟିଙ୍ଗ ଓ ଉପର ମେଟିଙ୍ଗା ଗାଁର ଲୋକ ମାନଙ୍କ ଭାଗ୍ୟ । ସେହିପରି ଏନେଇ ଲକ୍ଷ୍ମୀପୁର ଭାରପ୍ରାପ୍ତ ଗୋଷ୍ଠୀ ଊନ୍ନୟନ ଅଧିକାରୀ ସଦାଶିବ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ମନରେଗା କାମ ଦୁଇଟି ଗ୍ରାମକୁ ଚରୋଟି ଲେଖାଏ କାମ ଦିଆ ଯାଇଛି ବୋଲି । ତେବେ ଗ୍ରାମବାସୀ ମାନେ କିଛି କାମ ମିଳି ନାହିଁ ବୋଲି ଅଭିଯୋଗ କରିଥିବା ବେଳେ କାମର ସେଭଳି କିଛି ଚିହ୍ନ ବର୍ଣ୍ଣ ମଧ୍ୟ ଦେଖିବାକୁ ମିଳି ନଥିଲା । ତେବ କହା କଥା ସତ ଓ କାହା କଥା ମିଛି ତାହା ଜଣା ପଡ଼ୁ ନଥିବା ବେଳେ ଏହା ତଦନ୍ତ ସାପେକ୍ଷ  ।  ଅନ୍ୟ ପକ୍ଷରେ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିବା ସହିତ ତଳ ମେଟିଙ୍ଗ ଗ୍ରାମରେ ଅଙ୍ଗନ ବାଡ଼ି କର୍ମୀ ନିଯୁକ୍ତ ପାଇଁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି । ସେହିପରି ଉକ୍ତ ରାସ୍ତା କାମ ସମ୍ପର୍କରେ ଜାଣିବା ପାଇଁ ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀଙ୍କୁ ଫୋନ କରା ଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।

 

 

Comments are closed.