କବିଚନ୍ଦ୍ର ଭୁବନେଶ୍ୱର ସଂସ୍କୃତ ସାହିତ୍ୟର ଅନନ୍ୟ ପ୍ରତିଭା ଥିଲେ
କବିଚନ୍ଦ୍ର ଭୁବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଗୁରୁଡିଝାଟିଆର ୬୫ତମ ପ୍ରତିଷ୍ଠା ଉତ୍ସବ
ଗୁରୁଡିଝାଟିଆ : ମହାକବି କବିଚନ୍ଦ୍ର ଭୁବନେଶ୍ୱର ସଂସ୍କୃତ ସାହିତ୍ୟର ଅନନ୍ୟ ପ୍ରତିଭା ଥିଲେ । ଲଖଣା ଓ ରୁକ୍ମିଣୀ ପରିଣୟ ତାଙ୍କ କାଳଜୟୀ ସୃଷ୍ଟିର ନିଦର୍ଶନ। ଏକାଧାରାରେ ସତ୍ୟବାଦୀ ବକୁଳ ବନବିଦ୍ୟାଳୟର ସଂସ୍କୃତ ପଣ୍ଡିତ ଭାବରେ ନିଜ ପାଣ୍ଡିତ୍ୟ ପ୍ରତିପାଦନ କରିଥିବା ବେଳେ ଓଡିଆ ଜାତିର ଚିର ନମସ୍ୟ ବୋଲି କବିଚନ୍ଦ୍ର ଭୁବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଗୁରୁଡିଝାଟିଆର ୬୫ତମ ପ୍ରତିଷ୍ଠା ଉତ୍ସବ ଓ ହରିହର ସାହାଣୀ ମେଧା ସମ୍ମାନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ବିମ୍ବାଧର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏହି ମତ ପ୍ରକାଶ କରିଥିଲେ। ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ସଂସ୍କୃତ ପଣ୍ଡିତ କବିଚନ୍ଦ୍ର ଭୁବନେଶ୍ୱରଙ୍କ କୃତି ଓ କୀର୍ତ୍ତି ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପାଠ୍ୟ ପୁସ୍ତକ ଭାବରେ ପଢାଯିବାର ନଜିର ରହିଛି । ଜର୍ମାନୀର ତତ୍କାଳୀନ ଯୁବରାଜ କବିଚନ୍ଦ୍ର ଭୁବନେଶ୍ୱରଙ୍କ ସଂସ୍କୃତ କାବ୍ୟ ସମ୍ଭାରରେ ବିଭୋର ହୋଇପଡିଥିଲେ । ସେଭଳି ଜଣେ ମହାମନୀଷିଙ୍କ ନାମରେ ନାମିତ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରତ୍ୟେକ ବିଦ୍ୟାର୍ଥୀ ବାସ୍ତବିକ ଭାଗ୍ୟବାନ। ଶିକ୍ଷାକ୍ଷେତ୍ରରେ ନିଜକୁ ଉତ୍ତମ ରୂପେ ଗଢିତୋଳି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କଲେ ତାହା ହେବ ଶିକ୍ଷାନୁଷ୍ଠାନ ତଥା କବିଚନ୍ଦ୍ର ଭୁବନେଶ୍ୱରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ନାୟକ ମତପ୍ରକାଶ କରିଥିଲେ।
ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବିଚନ୍ଦ୍ର ଭୁବନେଶ୍ୱରଙ୍କ ନାମରେ ନାମିତ ଏହି ବିଦ୍ୟାଳୟରେ ଅଧ୍ୟୟନରତ ପ୍ରତ୍ୟେକ ବିଦ୍ୟାର୍ଥୀ ଜୀବନରେ ଭଲ ମଣିଷ ହେବା ପାଇଁ ସଂକଳ୍ପ କରିବା ଆବଶ୍ୟକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ଯେପରି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଦେଶ ଓ ଦଶର ଉନ୍ନତି ପାଇଁ ସେବାକୁ ନିଜ ଜୀବନର ବ୍ରତ କରିଥିଲେ ଅନୁରୂପ ଭାବେ ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପରେ ଯେକୌଣସି କ୍ଷେତ୍ରରେ ନିଯୁକ୍ତ ହେଲେ ମଧ୍ୟ ସମାଜର ତଳସ୍ତରର ଜନସାଧାରଣଙ୍କ ପ୍ରତି ନିଜର ସାମାଜିକ ଦାୟିତ୍ୱବୋଧକୁ ତୁଲାଇବା ପାଇଁ ପ୍ରଯତ୍ନଶୀଳ ହେବା ନିମନ୍ତେ କହିଥିଲେ । ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଦେବାଳୟ ସଦୃଶ। ମହାମନୀଷି କବିଚନ୍ଦ୍ର ଭୁବନେଶ୍ୱରଙ୍କ ଜୀବନାଦର୍ଶରେ ନିଜକୁ ପ୍ରତ୍ୟେକ ବିଦ୍ୟାର୍ଥୀ ଗଢିତୋଳି ଭଲ ଓ ବଡ ମଣିଷ ହୋଇ ବିଦ୍ୟାଳୟର ନାମକୁ ଗୌରବାନ୍ୱିତ କରିବା ପାଇଁ କହିଥିଲେ। ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ, ସରପଞ୍ଚଙ୍କ ପ୍ରତିନିଧି ସନାତନ ଦଳାଇ, ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି ପାଇଁ ଏବେଠାରୁ ସଂକଳ୍ପ ନେବା ନିମନ୍ତେ କହିଥିଲେ। ହରିହର ସାହାଣୀ ସ୍ମୃତି ସଂସଦର ସଭାପତି ରଶ୍ମୀରଞ୍ଜନ ସାହାଣୀ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଗା ଚରଣ ଜେନା ଅତିଥି ପରିଚୟ ଓ ବିବରଣୀ ପାଠ ପ୍ରଦାନ କରିଥିଲେ। ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଧନଞ୍ଜୟ ପ୍ରଧାନଙ୍କୁ ହରିହର ସାହାଣୀ ମେଧା ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ କରୋନା ପାଇଁ ଅଟକିଥିବା ମେଧା ସମ୍ମାନ ୨୦୨୦ ନିମନ୍ତେ ତିରୁପତ ନାୟକ ଓ ୨୦୨୧ ପାଇଁ ଶୁଭ୍ରାଂଶୁ ଶେଖର ସାମଲକୁ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। ସିଆରସିସି ସମରେନ୍ଦ୍ର ବିଶ୍ୱାଳ, ପୂର୍ବତନ ପରିଚାଳନା କମିଟି ସଭାପତି କୃତିବାସ ଥାଟୋଇ, ଶିକ୍ଷୟିତ୍ରୀ ଲିପିକା ମହାନ୍ତି, ସୁଚିତ୍ରା ବେହେରା, ସୁଜାତା ବେହେରା, ଜାନକୀ ମହାପାତ୍ର, ମମତାମୟୀ ମହାନ୍ତି ଓ ସୁନିତା ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.