ସମବାୟ ସମିତି ସମୀକ୍ଷା ଏକ ବିଧିବ୍ୟବସ୍ଥା

ସମବାୟ ବିଭାଗ ଅଧୀନରେ ତିନି ସ୍ତରୀୟ ସମିତି ଯଥା- ପ୍ରାଥମିକ ସମବାୟ ସମିତି, କେନ୍ଦ୍ର ସମବାୟ ସମିତି ଓ ଶୀର୍ଷ ସମବାୟ ସମିତି କାର୍ଯ୍ୟ କରୁଅଛି। ତିନି ସ୍ତରୀୟ ସମବାୟ ସମିତିମାନଙ୍କ ପାଇଁ ବାର୍ଷିକ ସମୀକ୍ଷା ବ୍ୟବସ୍ଥା କରାଯାଇଅଛି। ନିଜ ବିଭାଗରେ ସମବାୟ ସମୀକ୍ଷା ମହାସମୀକ୍ଷକ ସମବାୟ ସିମିତିଙ୍କ ଦ୍ବାରା କରାଯିବାର ବିଧି ରହିଛି। ସ୍ବଚ୍ଛ, ନିର୍ମଳ ଓ ନିରପେକ୍ଷଭାବେ ବିଭାଗ କାର୍ଯ୍ୟ କରିବାପାଇଁ ସମବାୟ ସମିତି ଆଇନ୍‌ ୧୯୬୨ର ଧାରା ୬୨ ଅନୁଯାୟୀ ସମବାୟ ସମିତି ସମୂହ ମହାସମୀକ୍ଷକଙ୍କ ଉପରେ ପ୍ରତ୍ୟେକ୍ଷଭାବେ ସମବାୟ ସମିତି ଓ ସମବାୟ ବ୍ୟାଙ୍କମାନଙ୍କର ସମୀକ୍ଷା ଦାୟିତ୍ବ ନ୍ୟସ୍ତ କରାଯାଇଅଛି। ମହାସମୀକ୍ଷକ ଏହି ସମୀକ୍ଷା ତାଙ୍କ ଅଧୀନସ୍ଥ କର୍ମଚାରୀଙ୍କ ଦ୍ବାରା କିମ୍ବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ବାରା କରିବାର ସମବାୟ ସମିତି ଆଇନ୍‌ରେ ବ୍ୟବସ୍ଥା ରହିଛି। ମାତ୍ର ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ର ସମବାୟ ବ୍ୟାଙ୍କମାନଙ୍କର ସମୀକ୍ଷା ନାବାର୍ଡ ବା ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ଦ୍ବାରା ଅନୁମୋଦିତ ପ୍ୟାନେଲରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ବାରା କରାଇବାର ବ୍ୟବସ୍ଥା କରାଯାଇଅଛି। ଆର୍ଥିକ ବର୍ଷ ଶେଷ ହେବାର ୬ ମାସ ମଧ୍ୟରେ ସମସ୍ତ ସମବାୟ ସମିତିର ବାର୍ଷିକ ସମୀକ୍ଷା ଶେଷ କରାଯିବାପାଇଁ ଆଇନ୍‌ରେ ରହିଛି।

ଓଡ଼ିଶା ସମବାୟ ସମିିତି ଆଇନ୍‌ ଧାରା ୬୨ (୧) ii ଅନୁସାରେ ସମବାୟ ସମିତି ମହାସମୀକ୍ଷକ ନିଜ ଇଚ୍ଛାରେ, ସମବାୟ ନିବନ୍ଧକଙ୍କ ଅଧିଗ୍ରହଣ କିମ୍ବା ରାଜ୍ୟ ସରକାରଙ୍କ ନି​‌େ​‌ର୍ଦଶ କ୍ରମେ ଯେ କୌଣସି ସମବାୟ ସମିତିମାନଙ୍କର ସ୍ବତନ୍ତ୍ର ସମୀକ୍ଷା କରିବାପାଇଁ କ୍ଷମତାପ୍ରାପ୍ତ ଅଟନ୍ତି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ସୁପାରିସ କ୍ରମେ ଓଡ଼ିଶା ରାଜ୍ୟ ସମବାୟର ବ୍ୟାଙ୍କ ଓ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କମାନଙ୍କର ସ୍ବତନ୍ତ୍ର ସମୀକ୍ଷା ରିଜର୍ଭ ବ୍ୟାଙ୍କର ସ୍ଥିରୀକୃତ ସର୍ତ୍ତ ଅନୁସାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ବାରା ସ୍ବତନ୍ତ୍ର ସମୀକ୍ଷା କରିବାର ବ୍ୟବସ୍ଥା ୨୦୦୮ ମସିହାରେ ପ୍ରବର୍ତ୍ତିତ ହୋଇଥିଲାବେଳେ ୨୦୨୦ ମସିହାରେ କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ୍‌ ରେଗୁଲେସନ ଆଇନ୍‌ (BR Act.1949) ୧୯୪୯(୩୯)ର ଆମେଣ୍ଡମେଣ୍ଟ କରାଇ ଏହି ବ୍ୟବସ୍ଥା ସମଗ୍ର ଭାରତବର୍ଷରେ ଲାଗୁ କରାଇଅଛନ୍ତି। ସମବାୟ ସମିତି କିମ୍ବା ସମବାୟ ବ୍ୟାଙ୍କମାନଙ୍କର ସମୀକ୍ଷା ସମୟରେ ସମବାୟ ସମିତି ଆଇନ ଧାରା ୬୨ (୧) ଓ (୧-କ) ଅନୁସାରେ ଏହି ସମୀକ୍ଷା ସମବାୟ ସମିତି ନିୟମାବଳୀ ଅନୁଯାୟୀର କରାଯିବା ସଙ୍ଗେସଙ୍ଗେ ସମବାୟ ଆଇନ ୬୨(୨) କ ଧାରା ଅନୁସାରେ ସମିତି ସମୀକ୍ଷାର ପ୍ରଥମ କାର୍ଯ୍ୟ ହେଉଛି ସମିତିର କ୍ୟାସ୍‌ ବାଲାନ୍ସ ଓ ପ୍ରତିଭୂତିଗୁଡ଼ିକ ଯାଞ୍ଚ କରାଯିବା ଅପରିହାର୍ଯ୍ୟ।

ସେହିପରି ସମୀକ୍ଷା ସମୟରେ ପ୍ରତ୍ୟେକ ଜମାକାରୀଙ୍କ ଜମାରାଶି, ଋଣୀମାନଙ୍କର ଋଣରାଶି ଓ ଋଣ ପ୍ରଦାନକାରୀଙ୍କ ବାଲାନ୍ସ ରାଶି ଉଲ୍ଲେଖ ଥିବା ବାଲାନ୍ସ ରେଜିଷ୍ଟର ଯାଞ୍ଚ କରିବା ସହ ଖିଲାପୀ ଋଣର ତନଖି କରିବା ଅପରିହାର୍ଯ୍ୟ ହୋଇଥିବାସ୍ଥଳେ ସମ୍ପତ୍ତି ଓ ବ୍ୟୟ (ଆସେଟ୍‌ସ୍‌ ଏବଂ ଲାଇବିଲିଟିଜ୍‌)ର ମୂଲ୍ୟାଙ୍କନ କରିବା ମଧ୍ୟ ଆଇନ୍‌ରେ ଉଲ୍ଲେଖ ଅଛି। ସେହିଭଳି ସମବାୟ ସମିତିର ପ୍ରତ୍ୟେକ ଟ୍ରାଞ୍ଜାକ୍ସନଗୁଡ଼ିକ (ଦେଣ ଓ ନେଣ), ଷ୍ଟେଟମେଣ୍ଟ ଅଫ୍‌ ଆକାଉଣ୍ଟ,ଜମାଖର୍ଚ୍ଚ ବାଲାନ୍ସ ସିଟ୍‌, ଆୟ ବ୍ୟୟ ଓ ଲାଭ ଆବଣ୍ଟନ ଇତ୍ୟାଦି ସମବାୟ ଆଇନ୍‌ ଓ ସମବାୟ ନିୟମାବଳୀ ଅନୁସାରେ କରାଯାଇଥିବାର ଯାଞ୍ଚ ହେବା ଆବଶ୍ୟକ। ଏହି ସମୀକ୍ଷା ସମୟରେ ସମବାୟ ସମିତି ମହାସମୀକ୍ଷକଙ୍କ ନି​‌େ​‌ର୍ଦଶାବଳୀ ଅନୁସାରେ କରାଯିବା ପାଇଁ ଆଇନ୍‌ରେ ବ୍ୟବସ୍ଥା ରହିଅଛି। ସମବାୟ ନିୟମାବଳୀ ୫୮ ଅନୁସାରେ ସମିତିର ସମୀକ୍ଷା ସମିତିର ପଞ୍ଜୀକୃତ କାର୍ଯ୍ୟାଳୟରେ କରାଯିବାର ବ୍ୟବସ୍ଥା ଆଇନରେ ଅଛି; ମାତ୍ର ସମବାୟ ନିବନ୍ଧକଙ୍କ ଅନ୍ୟାଦେଶ ବିନା ଏହି ସମୀକ୍ଷା ସମୟରେ ସମବାୟ ସମିତିରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀ ସମୀକ୍ଷକମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବା ସହ ସମିତିର ରେକର୍ଡଗୁଡ଼ିକର ଯାଞ୍ଚ କରିବା ପାଇଁ ସୁଯୋଗ ଦେବାକୁ ବାଧ୍ୟ ଅଟନ୍ତି।

prayash

ସମବାୟ ଆଇନ ଧାରା ୬୨ (୧) ଧାରା ନିଯୁକ୍ତି ସମୀକ୍ଷକ ସମିତିର ବାର୍ଷିକ ସାଧାରଣ ସଭାରେ ଯୋଗଦେଇ ସମୀକ୍ଷା ରିପୋର୍ଟକୁ ପଢ଼ି ସମସ୍ତ ତଥ୍ୟକୁ ବାର୍ଷିକ ସଭା ଓ ଯୋଗଦେଇଥିବା ସଭ୍ୟମାନଙ୍କୁ ପ୍ରାଞ୍ଜଳଭାବେ ବୁଝାଇବା ପାଇଁ ଅଧିକୃତ ଅଟନ୍ତି। ମାତ୍ର ସମବାୟ ସମିିତି ଆଇନ୍‌ ଧାରା ୬୨ (୧) ii ଅନୁଯାୟୀ ସମିତିର ସ୍ବତନ୍ତ୍ର ସମୀକ୍ଷା ସମବାୟ ସମିତି ନିୟମାବଳୀ ୫୮ (୫) ଅନୁଯାୟୀ ସମିତିର ସ୍ବତନ୍ତ୍ର ସମୀକ୍ଷା, ପୂର୍ଣ୍ଣ ସମୀକ୍ଷା କିମ୍ବା କଙ୍କୁରେଣ୍ଟ୍‌ (ଏକ ସମୟରେ ପ୍ରଚଳିତ ବା ଘଟିଥିବା) ସମୀକ୍ଷା କ୍ଷେତ୍ରରେ ନିୟମିତ ସମୀକ୍ଷା କରାଯିବାର ବିଧି ରହିଛି। ସମବାୟ ସମିତି ସମୀକ୍ଷା ବା ସ୍ବତନ୍ତ୍ର ସମୀକ୍ଷାର ବିଭିନ୍ନ ତ୍ରୁଟି ବିଚ୍ୟୁତି ଓ କ୍ଷତି ପରିଲକ୍ଷିତ ହୋଇଥିଲେ ସଂପୃକ୍ତ ଅଧିକାରୀ ସମିତିର କର୍ମକର୍ତ୍ତାଙ୍କ ବିରୋଧରେ ସମବାୟ ଆଇନ୍‌ ଧାରା ୬୭ ଓ ସମବାୟ ନିୟମାବଳୀ ୭୦ ଅନୁସାରେ ସରଚ୍ଚାର୍ଜ କରାଯାଇ ଏହି କ୍ଷତିକୁ ଭରଣା କରିବାପାଇଁ ନିର୍ଦେଶ ଦେବାପାଇଁ କଠୋର ଆଇନ୍‌ କରାଯାଇଅଛି। ସମବାୟ ସମିତି ସମୀକ୍ଷା ରିପୋର୍ଟ, ନିରପେକ୍ଷ ରିପୋର୍ଟ ଓ ପରିବର୍ତ୍ତନ ରିପୋର୍ଟରେ ପ୍ରତର୍ଶିତ ତ୍ରୁଟି ବିଚ୍ୟୁତି ଓ କ୍ଷତି ଭରଣା ପାଇଁ କୌଣସି ସରଚ୍ଚାର୍ଜ ପ୍ରୋସିଡିଂ ଯଦି ୪ବର୍ଷ ଅତିକ୍ରାନ୍ତ କରାଯାଇଥାଏ ତେବେ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ମାତ୍ର ସମବାୟ ସମିତିର ସମୀକ୍ଷା, ସ୍ବତନ୍ତ୍ର ସମୀକ୍ଷା କିମ୍ବା ପୁନଃ ସମୀକ୍ଷା ସମବାୟ ଆଇନ୍‌ର ପୂର୍ଣ୍ଣ ଅନୁପାଳନ ପୂର୍ବକ କରା ନଯାଇ ଉପରଠାଉରିଆ ଭାବେ କିମ୍ବା ବ୍ୟକ୍ତିଗତ ଅକ୍ରୋଶମୂଳକଭାବେ ସମୀକ୍ଷା କିମ୍ବା ସ୍ବତନ୍ତ୍ର ସମୀକ୍ଷା କରାଯାଇ ସମିତିର କର୍ମକର୍ତ୍ତାମାନଙ୍କୁ ଉତ୍ତରଦାୟୀ କରାଯାଇ ସରଚାର୍ଜ ପ୍ରୋସିଡିଂ କରାଯାଇଥିବାର କେତେକ କ୍ଷେତ୍ରରେ ଦେଖାଯାଏ। ଏହା ଆଇନ ଅନୁମୋଦିତ ନ ହୋଇଥିବାରୁ ଏଭଳି ସରଚାର୍ଜ ପ୍ରୋସିଡିଂ ଆଇନତଃ ରଦ୍ଦ ହୁଏ କିମ୍ବା ସମବାୟ ନ୍ୟାୟାଧିକରଣ ଓ ଉପର କୋର୍ଟଦ୍ବାରା ବିଚାର କରାଯାଇ କାଟ୍‌ ଖାଇଥାଏ। ସମବାୟ ଆଇନ ଧାରା ୧୦୯ ଅନୁଯାୟୀ ସରଚାର୍ଜ ନି‌େର୍ଦଶ ବିରୋଧରେ ସମ୍ପୃକ୍ତ କର୍ମକର୍ତ୍ତା ସମବାୟ ନ୍ୟାୟାଧିକରଣରେ ୬୦ ଦିନ ମଧ୍ୟରେ ଅପିଲ୍‌ କରିପାରିବେ। ମାତ୍ର ସଂପୃକ୍ତ ସମବାୟ ସମିତି ଏହି ନିର୍ଦେଶ ବିରୋଧରେ ଅପିଲକୁ ଯାଇପାରିବେ ନାହିଁ।

ସମବାୟ ସମିତି ଆଇନ ଧାରା ୬୩ ଅନୁଯାୟୀ ପ୍ରତ୍ୟେକ ସମିତିର ସମୀକ୍ଷା ରିପୋର୍ଟ ଏକ କପି ମାଧ୍ୟମରେ ସମିତିକୁ ଜଣାଇ ଦିଆଯିବ ଏବଂ ସମିତି ଏହା ଉପରେ କନ୍‌ସିଡର କରିପାରିବ, ଏହା ଉପରେ ନିର୍ଦ୍ଧାରିତ ରୂପେ କନ୍‌ପ୍ଲାଏନ୍ସ (ଅନୁପାଳନ) ଦେବ ଏବଂ ରାଜ୍ୟସ୍ତରୀୟ ଶୀର୍ଷ ସମବାୟ ସମିତିମାନେ ସେମାନଙ୍କର ସମୀକ୍ଷା ରିପୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଅଧିକୃତ ପ୍ରାଧିକାରୀଙ୍କ ଜରିଆରେ ଏକ କପି ମାଧ୍ୟମରେ ଜଣାଇବାକୁ ବାଧ୍ୟ। ଶୀର୍ଷ ସମିିତିମାନଙ୍କର ସମୀକ୍ଷା ରିପୋର୍ଟ ରାଜ୍ୟ ସରକାର ପାଇବା ମାତ୍ରେ ଉକ୍ତ ରିପୋର୍ଟକୁ ଅନ୍ୟୂନ ପକ୍ଷେ ଦୁଇ ସପ୍ତାହ ବା ୧୪ ଦିନ ପାଇଁ ଓଡ଼ିଶା ରାଜ୍ୟ ବିଧାନସଭାରେ ପେସ୍‌ କରିବାର ଆଇନରେ ଉଲ୍ଲେଖ ଅଛି। ମାତ୍ର ସମବାୟ ଆଇନ ସମ୍ପର୍କରେ ସଚେତନତା ଅଭାବରୁ ଏ ପର୍ଯ୍ୟନ୍ତ କୌଣସି ଶୀର୍ଷ ସମବାୟ ସମିତି, ରାଜ୍ୟ ସମବାୟ ବ୍ୟାଙ୍କର ସମୀକ୍ଷା ରିପୋର୍ଟ ରାଜ୍ୟସରକାରଙ୍କ ଦ୍ବାରା ବିଧାନସଭାରେ ସମବାୟ ସମିିତି ଆଇନ ଧାରା ୬୩ (୨)ର ବିରୋଧାଚରଣ କର ପେସ୍‌ କରାଯାଇନାହିଁ। ସମବାୟ ନିୟମାବଳୀ ୫୮ (କ) ୩ ଅନୁଯାୟୀ ସମୀକ୍ଷା ହୋଇଥିବା ସମିତିର ପରିଚାଳନା ପରିଷଦ ସମୀକ୍ଷା ରିପୋର୍ଟ ପାଇବାର ଏକମାସ ମଧ୍ୟରେ ଉକ୍ତ ରିପୋର୍ଟକୁ ବିଚାରକରି ସମବାୟ ସମୀକ୍ଷକଙ୍କୁ କନ୍‌ପ୍ଲାଏନ୍ସ (ଅନୁପାଳନ) ଦେବେ ଏବଂ ଏହାର ଅନ୍ୟଥା ହେଲେ ସମବାୟ ମହାସମୀକ୍ଷକ ସମବାୟ ସମିତି ଆଇନ ଅନୁଯାୟୀ ସମିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମବାୟ ନିବନ୍ଧକଙ୍କ ନିକଟରେ ରିଜ୍ୟୁଲେସନ ଦାଖଲ କରିବେ।

ମାତ୍ର କୌତୂହଳର ବିଷୟ ସମବାୟ ସମୀକ୍ଷା ରିପୋର୍ଟ ବେଳେବେଳେ ସମବାୟ ସମିତି ପରିଚାଳନା ପରିଷଦର ହସ୍ତକ୍ଷେପ ହେବା ପୂର୍ବରୁ ସମୀକ୍ଷା ରିପୋର୍ଟରେ ଦାୟୀ କରାଯାଇଥିବା ଅଧିକାରୀଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ସରଚାର୍ଜ ପ୍ରୋସିଡିଂ ମଧ୍ୟ ଆରମ୍ଭ କରାଯାଇଥାଏ ଅକ୍ରୋଶ ମନୋବୃତ୍ତି ନେଇ। ଯାହା ସମବାୟ ଆଇନ୍‌ର ବିରୋଧାଚରଣ କରୁଛି ଏବଂ ସଂପୃକ୍ତ ବ୍ୟକ୍ତିବିଶେଷମାନେ ବିନା କାରଣରେ ସମବାୟ ନିରୀକ୍ଷଣ ନିର୍ଦେଶାଳୟର ବେପରୁଆ ଓ ବେଆଇନ କାର୍ଯ୍ୟପାଇଁ ଦଣ୍ଡିତ ହୋଇ ତଳିତଳାନ୍ତ ହେଉଛନ୍ତି ଏବଂ କେତେକ କ୍ଷେତ୍ରରେ ବ୍ୟକ୍ତିବିଶେଷ ମୃତ୍ୟୁବରଣ କରିସାରିଥିବାର ନଜିର ଅଛି। ଏଭଳି ପ୍ରଥାକୁ ବନ୍ଦ କରିବାପାଇଁ କଠୋର ଆଇନର ବ୍ୟବସ୍ଥା ହେବା ସଙ୍ଗେସଙ୍ଗେ ସମବାୟ ସମିତି ଆଇନକୁ ଅଧିକାରୀମାନେ ଠିକ୍‌ରୂପେ ପଢ଼ି, ବୁଝି କାର୍ଯ୍ୟ କରିପାରିଲେ କର୍ମଚାରୀ ବା ଅଧିକାରୀମାନେ ଉପଯୁକ୍ତ ନ୍ୟାୟ ପାଆନ୍ତେ। ସମବାୟ ସମୀକ୍ଷା ରିପୋର୍ଟ ସଂପୃକ୍ତ ସମୀକ୍ଷକଙ୍କ ମତ ଉପରେ ପର୍ଯ୍ୟବସିତ, ଏହା ଚୂଡ଼ାନ୍ତ ନୁହେଁ। ସମୀକ୍ଷା ରିପୋର୍ଟରେ ଥିବା ତ୍ରୁଟି ବିଚ୍ୟୁତି ଓ ଆଦାୟଯୋଗ୍ୟ ରାଶି ସରଚାର୍ଜ ପ୍ରୋସିଡିଂ ବିଚାର ସମାପ୍ତ ପରେ ଚୂଡ଼ାନ୍ତ ହୋଇଥାଏ। ଚୂଡ଼ାନ୍ତ ପୂର୍ବରୁ ସମୀକ୍ଷା ରିପୋର୍ଟରେ ଦର୍ଶାଯାଇଥିବା ତ୍ରୁଟିବିଚ୍ୟୁତି ତଥ୍ୟକୁ ଆଧାରକରି ସମିତିର କର୍ମଚାରୀ, କର୍ମକର୍ତ୍ତା ଓ ଅଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ।

kalyan agarbati

Comments are closed.