ରାହା ଖୋଜୁଛି ଶହେ ବର୍ଷର ପିତ୍ତଳ କାରିଗରୀ
ଲାଞ୍ଜିଗଡ଼: ପ୍ରାୟ ଶହେ ବର୍ଷରୁ ଅଧିକ ସମୟ ବିତିଗଲାଣି ଅଗନାଅଗନି ଜଙ୍ଗଲ ଭିତରେ ଥିବା ଗାଁ ଲୋକଙ୍କ ଏ କଳାକୌଶଳ ସମସ୍ତଙ୍କୁ ବିମୁଗ୍ଧ କରେ । ତେବେ ଶହେ ବର୍ଷ ହେଲା ଏହି ବିରଳ କଳାକୃତି ଉପରେ ନିର୍ଭରଶୀଳ ଏହି ଗାଁର ତିରିଶଟି ପରିବାର ଆଜି ବି ଦୁର୍ଦ୍ଦିନରେ । ପିତ୍ତଳ କାରିଗରୀ ବା ଡୋକ୍ରା ଶିଳ୍ପ କୁହାଯାଉଥିବା ଏହି କାମ କରୁଥିବା ଏହି ପରିବାରଗୁଡିକର ଦୁଃଖକାହାଣୀ ଜାଣିଲେ ଆପଣଙ୍କ ଆଖି ବି ଲୁହରେ ଜକେଇ ଆସିବ । ଡୋକ୍ରା ଶିଳ୍ପ ଉପରେ ନିର୍ଭରଶୀଳ ତିରିଶଟି ଅନୁସୂଚିତ ବର୍ଗର ପରିବାରଙ୍କ ନିଜସ୍ୱ ପରିଚୟ ନାହିଁ, ନାହିଁ ତାଙ୍କର ସ୍ଥାୟୀ ଠିକଣା । ଭୂଗୋଳପୋଥି ପତରେ ନଥିବା ଏହି ଗାଁର ନାଁ ହେଉଛି କାଙ୍କେରୀ ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବନ୍ଧପାରି ଗ୍ରାମପଞ୍ଚାୟତ ଅଧୀନରେ ଥିବା ଏହି ଗାଁକୁ ରହିଛି ସାଧାରଣ ମାଟିକାଦୁଅ ଭରା ପାଦଚଲା ରାସ୍ତା । ବନ୍ଧପାରି ଛକରୁ ଲାଞ୍ଜିଗଡ ରାସ୍ତାରେ ଗଲେ କୁଟ୍ରୁଗୁଡା ନିକଟରୁ ଡାହାଣ ପଟକୁ ରହିଛି ଏହି ପାଦଚଲା ରାସ୍ତା । ଏହି ପାଦଚଲା ଖାଲଢିପ ରାସ୍ତାରେ ଗଲେ ପଡେ କାଙ୍କେରୀ । ଗାଁରେ ରହନ୍ତି ତିରିଶଟି ଅନୁସୂଚିତ ଜାତି ପରିବାର । ଜଙ୍ଗଲ ଭିତରେ ରହୁଥିବା ଏହି ୩୦ଟି ପରିବାରଙ୍କ ବୃତ୍ତି ହେଲା ପିତ୍ତଳ କାରିଗରୀ । ପାରମ୍ପରିକ ଉପାୟରେ ମହୁଫେଣାର ଅବଶେଷ (ମହମ), ଉଈହୁଙ୍କା ମାଟି, ଝୁଣା ଏବଂ କିଛି ସ୍ୱତନ୍ତ୍ର ଧରଣର ମାଟିକୁ ପାଗ କରି ସେଥିରୁ ପିତ୍ତଳ ଓ ପରେ ଆକର୍ଷଣୀୟ ହାତୀ, ଘୋଡା, ଦେବାଦେବୀ, ପୁରୁଷ ଓ ନାରୀ ଆଦି ମୂର୍ତ୍ତି ତିଆରି କରନ୍ତି । ଦୀର୍ଘ ବର୍ଷ ହେଲା ଏପରି ଭାବେ କାମ କରିଆସୁଛନ୍ତି ସତ କିନ୍ତୁ ସେଗୁଡିକର ବିକ୍ରିବଟା ପାଇଁ ବିଶେଷ କିଛି ସୁବିଧା ପାଇପାରୁନାହାନ୍ତି । ଏପରିକି ଖେଳଣା ଆଦିର ସ୍ଥାନ ଏବେ ପ୍ଲାଷ୍ଟିକ ଉପକରଣ ନେଇଯାଇଥିବା ବେଳେ ସେମାନଙ୍କ ପରିବାର ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ତେବେ ଏହି କାରିଗରମାନଙ୍କୁ ପୂର୍ବରୁ ଜିଲ୍ଲା ଶିଳ୍ପ କେନ୍ଦ୍ର ତାଲିମ ପ୍ରଦାନ ପାଇଁ ପଦକ୍ଷେପ ନେଇଥିଲେ ହେଁ ତାହା ସଫଳ ହୋଇପାରିନଥିଲା ।
ବର୍ତ୍ତମାନ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗର ଆର୍ଥିକ ପ୍ରୋତ୍ସାହନରେ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ତରଫରୁ ସେମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଆଉ ସେମାନଙ୍କ ଦ୍ୱାରା ନିର୍ମିତ ଦ୍ରବ୍ୟଗୁଡିକୁ ବିଭିନ୍ନ ମେଳା ଓ ପ୍ରଦର୍ଶନୀରେ ସାମିଲ କରାଯିବାକୁ ଉଦ୍ୟମ କରାଯାଉଛି । ଏଥିପାଇଁ ଲାଞ୍ଜିଗଡସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ବି ସହାୟତାର ହାତ ବଢାଇଥିବା ଜଣାଯାଏ । ଏପରିକି ସେମାନଙ୍କ କଳାକୌଶଳ ସଂପର୍କରେ ଖବର ପାଇବା ପରେ ତତ୍କାଳୀନ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୋମେଶ ଉପାଧ୍ୟାୟ ପ୍ରମୁଖ ଗାଁକୁ ଗସ୍ତ କରିଥିଲେ ।
ତେବେ ଗାଁର ସବୁଠୁ ବଡ ଦୁଃଖ ହେଲା, ଆଜି ପର୍ଯ୍ୟନ୍ତ ଗାଁକୁ ରାଜସ୍ୱ ମାନ୍ୟତା ମିଳିନାହିଁ । ଗାଁର କୌଣସି ଲୋକଙ୍କ ନାଁରେ ଘରଡିହ ଓ ଜମି ପଟ୍ଟାଖଣ୍ଡିଏ ନାହିଁ । ତିନି କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଗାଁ ରାଜେନ୍ଦ୍ରପୁର ନାଁରେ ସେମାନେ ପରିଚୟ ଦେଉଛନ୍ତି । ସଂରକ୍ଷିତ ଜଙ୍ଗଲ ଭିତରେ ଗାଁ ଅଛି ବୋଲି ବନବିଭାଗ ଗାଁକୁ ନା ରାସ୍ତା କରାଇଦେଉଛି ନା ଗାଁ ଲୋକେ ପଟ୍ଟା ପାଇପାରୁଛନ୍ତି । ଫଳରେ ଶହଶହ ବର୍ଷ ଧରି ଭୋଗଦଖଲ ସତ୍ତ୍ୱେ ସେମାନେ ଆଜି ବି ଦୁର୍ଦ୍ଦିନରେ ରହିଛନ୍ତି । ଗାଁରେ ସ୍କୁଲ ନାହିଁ କି ଅଙ୍ଗନବାଡି କେନ୍ଦ୍ର ନାହିଁ । ବିଦ୍ୟୁତ୍ ସେବା ତ ସାତସପନ ।
ସେହିପରି ପିଇବା ପାଣି ପାଇଁ ଦୁଇଟି ଗୋଟିଏ ନଳକୂଅ ଓ ଗୋଟିଏ କୂଅ ଅଛି ସତ କିନ୍ତୁ ବର୍ଷା ଦିନେ ବି କୂଅ ଶୁଖିଲା ପଡିଯାଏ । ନଳକୂଅରେ ବାହାରେ ଗୋଳିଆପାଣି । ଯାହାଫଳରେ ଗାଁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଗାଁକୁ ଆଜିଯାଏଁ ରାସ୍ତା ଖଣ୍ଡିଏ ନାହିଁ । ଯାହାଫଳରେ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ । ତେବେ ତମାମ ଅସୁବିଧା ସତ୍ତ୍ୱେ କାଙ୍କେରୀ ଗ୍ରାମବାସୀ ଆଶା ହରାଇନାହାନ୍ତି । ବିଦାୟୀ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଅନୁସାରେ ନୂତନ ଜିଲ୍ଲାପାଳ ପଦକ୍ଷେପ ନେବା ସହିତ ବନବିଭାଗର ସହମତି ସହିତ ରାସ୍ତା ନିର୍ମାଣ ଓ ଗାଁର ଲୋକଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ ସେବା ଭଳି ମୌଳିକ ସୁବିଧା ଯୋଗାଇଦେବା ସହ ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଗଲେ ଗ୍ରାମବାସୀ ଆହୁରି ଉପକୃତ ହୋଇପାରନ୍ତେ । ପିତ୍ତଳ କାରିଗରଙ୍କ ଗାଁ ସାରା ରାଜ୍ୟରେ ପରିଚିତ ହୋଇପାରନ୍ତା । ଏଥିପାଇଁ ରାଜ୍ୟ ସରକାର, ଜିଲ୍ଲା ତଥା ବ୍ଲକ ପ୍ରଶାସନ ସମୁଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
Comments are closed.