ବିଦ୍ୟାର୍ଥୀଙ୍କ ମେଧାଶକ୍ତି ବୃଦ୍ଧି ପାଇଁ ‘ସୁପର ୩୦’ ଏକ ଅଭିନବ ପ୍ରୟାସ

ଓଡିଶାର କଟକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ପ୍ରଥମ ‘ଆଠଗଡ ସୁପର ୩୦’

ଆଠଗଡ : ବିଦ୍ୟାର୍ଥୀଙ୍କର ମେଧାଶକ୍ତି ବୃଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ ରାଜ୍ୟରେ ପ୍ରଥମ କରି କଟକ ଜିଲ୍ଲା ଏବଂ ତାହା ପୁଣି ଆଠଗଡରେ କାର୍ଯ୍ୟକ୍ଷମ ହୋଇଥିବା ‘ଆଠଗଡ ସୁପର ୩୦’ ଏକ ସ୍ୱାଗତ ଯୋଗ୍ୟ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି । ରାଜ୍ୟରେ ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ୱାରା ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ହୋଇଛି ଏବଂ ଏହାଦ୍ୱାରା ସରକାରୀ ସ୍କୁଲଗୁଡିକ ପ୍ରତି ବିଦ୍ୟାର୍ଥୀଙ୍କର ଆକର୍ଷଣ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଥିଲେ। କଟକ ଜିଲ୍ଲାପାଳଙ୍କ ମାନସ ପ୍ରସୂତ ଏହି ‘ସୁପର ୩୦’ ଯୋଜନା ଏକ ଅଭିନବ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିବା ସହ ଏହା ସାରା ରାଜ୍ୟରେ ପରିବ୍ୟାପ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଗୁରୁବାର ଆଠଗଡ ‘ସୁପର ୩୦’ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନି, ଅଧ୍ୟକ୍ଷତା କରି ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ କଟକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ମାନଙ୍କରେ ଏକ ଆଦର୍ଶ କାର୍ଯ୍ୟକ୍ରମ ଭାବେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ସହ ପ୍ରତିଯୋଗିତାମୂଳକ ମନୋଭାବକୁ ଇନ୍ଧନ ଯୋଗାଇବ ବୋଲି ଜିଲ୍ଲାପାଳ ଡଃ ଚୟନି ମତବ୍ୟକ୍ତ କରିଥିଲେ।

prayash

ଆଠଗଡର ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଏବଂ ପୂର୍ବବର୍ଷର ପରୀକ୍ଷାରେ ୬୯% ନମ୍ବର ରଖିଥିବା ୩୦ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇ ଆଗାମୀ ମାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଶିକ୍ଷାଦାନ ଦ୍ୱାରା ପ୍ରସ୍ତୁତ କରାଯିବ, ଯାହା ଫଳରେ ସେମାନେ ୯୦%ରୁ ଅଧିକ ନମ୍ବର ବା ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇପାରିବେ। ଏହି ଲକ୍ଷ୍ୟରେ ‘ସୁପର ୩୦’ ଯୋଜନା କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ। ସୂଚନା ଥାଉକି ଏହି ବିଶ୍ୱନାଥ ବିଦ୍ୟାପୀଠରେ ଜିଲ୍ଲାପାଳ ଡଃ ଚୟନୀ ଅଧ୍ୟୟନ କରିବା ସହ ୧୯୭୯ ମସିହା ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଥିଲେ। ଜିଲ୍ଲାପାଳ ଡଃ ଚୟନୀ ଏହି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରି ସ୍କୁଲର ବ୍ୟାପକ ବିକାଶମୂଳକ କାର୍ଯ୍ୟ କରାଇଛନ୍ତି। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ଓ ମାନସିକ ବିକାଶରେ ଏହି ‘ସୁପର ୩୦’ ପରିକଳ୍ପନା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସେମାନଙ୍କର ପ୍ରତିଭା ବିକଶିତ ହୋଇପାରିବ ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ପ୍ରକାଶ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲାଭାବେ ପରିଚିତ କଟକ ଜିଲ୍ଲାରେ ଏହି ‘ସୁପର ୩୦’ କାର୍ଯ୍ୟକ୍ରମ ବିଦ୍ୟାର୍ଥୀଙ୍କ ମେଧାଶକ୍ତି ବୃଦ୍ଧି ଦିଗରେ ବେଶ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏବଂ ଏହି ‘ସୁପର ୩୦’ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ଏକ ପ୍ରମୁଖ ପ୍ରକାଶନ ସଂସ୍ଥ ସୌରଭ ପ୍ରକାଶନର ପରିଚାଳନା ନିର୍ଦ୍ଦେଶକ ସୁରେଶ ଭରାଲୱାଲା ମେଧାବୀ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ପାଠ୍ୟପୁସ୍ତକ ଯୋଗାଇ ଦେବା ସହ ଗରିବ ମେଧାବୀଙ୍କୁ ଉଚ୍ଚଶିକ୍ଷା ପାଇଁ ମଧ୍ୟ ପାଠ୍ୟ ପୁସ୍ତକ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ।

ଆରତୀ ଷ୍ଟିଲ କମ୍ପାନୀର ସଭାପତି ଏଲଟିପି ନାରାୟଣ ଏଥିରେ ଯୋଗଦେଇ ବିଶ୍ୱନାଥ ବିଦ୍ୟାପୀଠର ଭିତ୍ତିଭୂମି ବିକାଶ ପାଇଁ ମୋ ସ୍କୁଲ ଯୋଜନା ଲାଗି୧୦ଲକ୍ଷ ଟଙ୍କା ସହାୟତା ଦେବା ନେଇ ଘୋଷଣ କରିବା ସଙ୍ଗେ ସଙ୍ଗେ ଆଠଗଡ ଅଞ୍ଚଳର ଯୋଗ୍ୟ ଯୁବକ ଓ ଯୁବତୀଙ୍କୁ କାରଖାନାରେ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ ବୋଲି କହିଥିଲେ। ସେହିପରି ଓରକ୍ଲିନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବିଶି ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଆଗାମୀ ୮ମାସ ପର୍ଯ୍ୟନ୍ତ ପୁଷ୍ଟିକର ହର୍ଲିକ୍ସ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ଏଥିରେ ଏନଟିପିସିର ସାଧାରଣ ପରିଚାଳକ ରଜନିସ୍‍ ରସ୍ତୋଗୀ ଉଦ୍‍ବୋଧନ ଦେଇ ‘ସୁପର ୩୦’ ଯୋଜନାକୁ ସ୍ୱାଗତ କରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଅମର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଉପଖଣ୍ଡ ସୂଚନା ଅଧିକାରୀ ଅଲେଖ ଚନ୍ଦ୍ର ଦାଶ, ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ, ମିଶନ ଜିରୋ ଏଫ ର କେନ୍ଦ୍ର ମୁଖ୍ୟ ରଶ୍ମିତା ମିଶ୍ର, ସଂଯୋଜିକା ଲୋପାମୁଦ୍ରା ମିଶ୍ରଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ଜିଲ୍ଲାପାଳ ‘ସୁପର ୩୦’ରେ ମନୋନୀତ ବିଦ୍ୟାର୍ଥୀଙ୍କୁ ପାଠ୍ୟପୁସ୍ତକ, ଉପକରଣ ଓ ସ୍କୁଲବ୍ୟାଗ ପ୍ରଦାନ କରିଥିଲେ।

kalyan agarbati

Comments are closed.