ଖାଉଟି ବଜାରରେ ଜରୁରୀ ପରିସ୍ଥିତି
ଚାଉଳ, ଗହମ ଜାତ ପଦାର୍ଥ ମୂଲ୍ୟ ୨୦ ପ୍ରତିଶତ, ଡାଲି ୧୫ରୁ ୧୭, ଚୁଡା ୧୫ ଓ ଗୁଡ ୧୦ରୁ ୧୫% ବଢ଼ିଛି
କଟକ : ମାସକ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ଆଶାତୀତ ଭାବରେ ବୃଦ୍ଧିପାଇଛି। ଏକ ହିସାବ ଅନୁଯାୟୀ ମାସକ ମଧ୍ୟରେ ଚାଉଳ ଦର ୨୦%, ଅଟା, ସୁଜି, ମଇଦା ଆଦି ଗହମଜାତ ପଦାର୍ଥ ଓ ଗହମ ଦର ୨୦%, ଡାଲି ୧୫ରୁ ୧୭%, ଚିନି ୨ରୁ ୩%, ଗୁଡ ୧୦ରୁ ୧୫% ଏବଂ ଚୁଡାର ଖୁଚୁରା ଦର ୧୫% ବୃଦ୍ଧିପାଇଛି। ଅବଶ୍ୟ ଏହି ସମୟ ମଧ୍ୟରେ ଖାଇବା ତେଲ ଦର ହ୍ରାସପାଇଛି ଏବଂ ଆଗାମୀ କିଛିଦିନ ମଧ୍ୟରେ ଏହା ଲିଟର ପିଛା ଆଉ ୧୦ରୁ ୧୫ ଟଙ୍କା ହ୍ରାସପାଇବା ଆଶା କରାଯାଉଛି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଲୋକଙ୍କର ମୁଖ୍ୟ ଖାଦ୍ୟ ଭାତ ହୋଇଥିବାବେଳେ ଚାଉଳ ଦର ବୃଦ୍ଧି ଲୋକଙ୍କୁ ବାଧୁଛି। ଏହାର ମୁଖ୍ୟ କାରଣ ହୋଇଛି ଓଡ଼ିଶାରୁ ଧାନ ଅନ୍ୟ ରାଜ୍ୟକୁ ଚାଲିଯିବା। ବାଂଲାଦେଶ ସରକାର ଧାନ/ଚାଉଳ ଆମଦାନୀ ଉପରେ ପୂର୍ବରୁ ପ୍ରାୟ ୬୨% ଟିକସ ଲାଗୁ କରୁଥିବାବେଳେ ଏବେ ତାହାକୁ ୧୮%କୁ ହ୍ରାସ କରିଛନ୍ତି। ଏହି କାରଣରୁ ପଶ୍ଚିମବଙ୍ଗ ବ୍ୟବସାୟୀମାନେ ଓଡ଼ିଶାରୁ ଟ୍ରକ ଟ୍ରକ ଧାନ ସଂଗ୍ରହ କରି ତାହାକୁ ସେହିଭଳି ଅବସ୍ଥାରେ ଅଥବା ଚାଉଳ ଇତ୍ୟାଦି ପ୍ରସ୍ତୁତ କରି ବାଂଲାଦେଶକୁ ରପ୍ତାନି କରିବାରେ ଲାଗିଛନ୍ତି। ଯେଉଁଥିପାଇଁ ଓଡ଼ିଶାରେ ଧାନର ଅଭାବ ଦେଖାଦେବା ସହିତ ଓଡ଼ିଶାର ଚାଉଳ କଳଗୁଡିକ ହାତବାନ୍ଧି ବସିଛନ୍ତି। ଏହି କାରଣରୁ ରାଜ୍ୟରେ ଚାଉଳ ଦର ବୃଦ୍ଧିପାଇଛି। ସେହିଭଳି ଆମ ଦେଶ ଡାଲି ଓ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭର କରୁଥିବାରୁ ତାହାର ଦର ବୃଦ୍ଧି ଘଟୁଛି। ଅବଶ୍ୟ ଚଳିତ ବର୍ଷ ଦେଶରେ ଅଧିକ ପରିମାଣରେ ଡାଲି ଉତ୍ପାଦିତ ହୋଇଛି। କିନ୍ତୁ ତାହାର ଉପଯୁକ୍ତ ସଂଗ୍ରହ, ମହଜୁଦ ଏବଂ ସୁଷମ ବଣ୍ଟନ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ, ଯାହା ଡାଲି ଦର ବୃଦ୍ଧିର କାରଣ ହୋଇଛି। ଦେଶର ମୁଦ୍ରାସ୍ଫୀତି ହାର ଗତ ସାତମାସରୁ ଅଧିକ ସମୟ ଧରି ୬%ରୁ ଅଧିକ ସ୍ତରରେ ରହିଆସୁଥିବାବେଳେ ସରକାର ଚିରାଚରିତ ଭାବରେ ଏହାକୁ ନିୟନ୍ତ୍ରଣ କରିବାକୁ କେବଳ ଆର୍ବିଆଇ ମାଧ୍ୟମରେ ସୁଧହାର ବୃଦ୍ଧିକରି ଏହା ଉପରେ ଅଙ୍କୁଶ ଲଗାଇବା ଚେଷ୍ଟା କରୁଛନ୍ତି।
ଏ ସମ୍ପର୍କରେ ପ୍ରକାଶକରି ଓଡ଼ିଶା ବ୍ୟବସାୟୀ ମହାସଂଘର ସେକ୍ରେଟାରୀ ଜେନେରାଲ ସୁଧାକର ପଣ୍ଡା କହିଛନ୍ତି, ତିନିଟି ମୁଖ୍ୟ କାରଣ ପାଇଁ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମରେ ସରକାରଙ୍କ ପକ୍ଷରୁ ମାଗଣା ଖୁଆଇବା ସଂସ୍କୃତି, ଦ୍ୱିତୀୟରେ ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ସହିତ ଡାଲିଜାତୀୟ ଫସଲ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ତୃତୀୟରେ ଏହିସବୁ ସାମଗ୍ରୀ ଉପରେ ସାନି ୫% ଜିଏସ୍ଟି ଲାଗୁ। ତାହାଛଡା କୃଷକଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ମିଳୁନାହିଁ। ସେମାନଙ୍କୁ ପ୍ରୋତ୍ସାହନ, ଉତ୍ପାଦିତ ସାମଗ୍ରୀର ମହଜୁଦ ଏବଂ ଯୋଗାଣ କ୍ଷେତ୍ରରେ ନାନା ସମସ୍ୟା ରହିଛି। ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱ ବଜାରରେ ଦରଦାମ୍ ବୃଦ୍ଧିକୁ ତେଜୀୟାନ କରିଥିବାବେଳେ ସମ୍ପ୍ରତି ଚୀନ-ଆମେରିକା ବିବାଦ ସମସ୍ତଙ୍କୁ ଏକ ଆଶଙ୍କା ମଧ୍ୟକୁ ଟାଣିନେଉଛି। ସରକାର କେବଳ କିଛି ଲୋକଙ୍କ ଠାରୁ ଟିକସ ଆଦାୟ କରି ଅନ୍ୟମାନଙ୍କୁ ବାଣ୍ଟିବା ଯୋଜନା କରୁଥିବାରୁ ବଜାର ବ୍ୟବସ୍ଥା ପ୍ରଭାବିତ ହେଉଛି। ଏହାଦ୍ୱାରା ମୁଦ୍ରାସ୍ଫୀତି ବୃଦ୍ଧି ଘଟିବ ଏବଂ ସରକାରଙ୍କର ରାଜସ୍ୱ କମିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏଥିସହିତ ଶ୍ରୀ ପଣ୍ଡା କହିଛନ୍ତି, ବଜାର ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସରକାର ତୁରନ୍ତ ଜିଏସ୍ଟି ପ୍ରତ୍ୟାହାର ସହିତ ପରିସ୍ଥିତି ସମ୍ପର୍କରେ ଦେଶର ବ୍ୟବସାୟୀଙ୍କ ସହିତ ଆଲୋଚନା କରି ଉପାୟ ନିରୂପଣ କରିବାର ଜରୁରୀ ଆବଶ୍ୟକତା ରହିଛି।
କୋଭିଡ ମହାମାରୀ ସହିତ ଯୁଝି ବଞ୍ଚିଯାଇଥିବା ଖାଉଟି ଏବେ ବଜାର ଦରକୁ ନେଇ ଲଢେଇ କରୁଛି। ମହାମାରୀ ପ୍ରଭାବରେ କର୍ମସଂସ୍ଥାନ ହରାଇଥିବା ଏବଂ ହାତରେ ପଇସା ନଥିବା ସାଧାରଣ ଗ୍ରାହକ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଖୁଚୁରା ଦରକୁ ନେଇ ତ୍ରାହି ତ୍ରାହି ଡାକୁଛି। ସରକାର ଟିକସ ଉପରେ ଟିକସ ଲଗାଉଥିବା ଏବଂ ତାହା ଆଦାୟ କରିବାକୁ କଠୋର ଆଇନ ପ୍ରଣୟନ କରୁଥିବାବେଳେ ଦେଶରେ ଖୁଚୁରା ବଜାର ଦରକୁ ନିୟନ୍ତ୍ରଣ କରିବା ଏବଂ ତାହାକୁ ସ୍ଥିର ରଖିବା ଦିଗ ପ୍ରତି ଆଖିବୁଜି ଦେଇଛନ୍ତି। ଅନ୍ୟପକ୍ଷରେ ଭୋଟ ରାଜନୀତିରେ ସଫଳତା ହାତେଇବାକୁ ଗୋଟିଏ ପରେ ଗୋଟିଏ ମାଗଣା ଯୋଜନା କରି ରାଜକୋଷ ଭଣ୍ଡାର ଖୋଲିବାରେ ଲାଗିଛନ୍ତି। ୮୦ କୋଟି ଲୋକଙ୍କୁ ନିଜ ଆଡକୁ ଟାଣିବାକୁ ପାଖାପାଖି ୪୦ କୋଟି ଲୋକଙ୍କୁ ଟିକସ ବୋଝରେ ଅଣନିଃଶ୍ୱାସୀ କରିବାରେ ଲାଗିଛନ୍ତି ସରକାର। ଅବଶ୍ୟ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାଜନୈତିକ ଦଳଗୁଡିକର ଏଭଳି ପ୍ରୟାସକୁ ଦୃଢ ଭାବରେ ନାପସନ୍ଦ କରିବା ସହିତ ଏହି ମାମଲା ବିଚାରାଧୀନ ରହିଛି।\
Comments are closed.