ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି ; ୩ଜଣଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ ଗ୍ରାମବାସୀ
ଚାନ୍ଦିପୁଟ : ଅନୈତିକ କାର୍ଯ୍ୟକଳାପରେ ତାତି ଉଠିଛନ୍ତି ଗାଁବାସୀ । ଜଣେ ମହିଳା ଓ ୨ଜଣ ଯୁବକଙ୍କୁ ଗାଁରେ ବାନ୍ଧିପକାଇ ନିସ୍ତୁକ ମାଡ ମାରିଛନ୍ତି ମହିଳା ଗୋଷ୍ଠୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ଇନ୍ଦିରା ଆବାସ ସାହିରେ ।
ସୂଚନା ପ୍ରକାରେ ମାଣିକପୁର ଇନ୍ଦିରା ଆବାସ ସାହିର ଜନୈକ ମହିଳାଙ୍କ ସ୍ବାମୀ ଦୀର୍ଘବର୍ଷ ଧରି ଅନ୍ୟତ୍ର ଶ୍ରମିକ ଭାବେ କାମ କରୁଛନ୍ତି । ଏହାର ସୁଯୋଗ ନେଇ ବର୍ଷେ ହେଲା ମହିଳା ଜଣକ ଗଞ୍ଜାମ ଜିଲା ନୂଆପଡା ଗ୍ରାମର ରବିନ୍ଦ୍ର ଗୌଡ଼ (ପେଷାରେ ଡ୍ରାଇଭର) ଏବଂ ଦିଗପହଣ୍ଡି ଗ୍ରାମର ସନ୍ତୋଷ ବେହେରାଙ୍କ ସହ କୁଆଡେ ସମ୍ପର୍କ ରଖି ଆସୁଥିବା ଗାଁବାସୀ ସନ୍ଦେହ କରିଥିଲେ । ଗ୍ରାମବାସୀଙ୍କ ବାରମ୍ବାର ତାଗିଦର ଫରକ ପଡିନଥିଲା । ଆଜି ମଧ୍ୟ ଘଟଣାର ପୁନରାବୃତ୍ତି ଦେଖିବା ପରେ ଗ୍ରାମର ମହିଳା ଗୋଷ୍ଠୀ ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା । ମହିଳା ଗୋଷ୍ଠୀ ମେଳି ବାନ୍ଧି ସମ୍ପୃକ୍ତ ମହିଳା ଓ ଦୁଇଜଣ ଯୁବକକୁ ଧରି ଗାଁର ସୌର ପାଣି ଟାଙ୍କି ଖୁଣ୍ଟରେ ବାନ୍ଧି ଛେଚିଥିଲେ। ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥ ପାର୍ଶ୍ବରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲେ ହେଁ ବନ୍ଧା ହୋଇଥିବା ଯୁବକ ଦ୍ବୟଙ୍କୁ କେହି ମଧ୍ୟ ଉଦ୍ଧାର କରିନଥିଲେ । ଖବର ପାଇ ମୋହନା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୁଣ୍ଟରେ ବନ୍ଧା ହୋଇଥିବା ରବିନ୍ଦ୍ର ଗୌଡକୁ ଉଦ୍ଧାର କରି ଥାନାକୁ ନେଇଛି । ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ମୋହନା ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି l
Comments are closed.