ଡେସ୍କ: ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଆସନ୍ତା ଜୁଲାଇ ୩୧ ତାରିଖରେ ଜୟଦେବ ଭବନରେ ରାଜ୍ୟସ୍ତରୀୟ ମହିଳା ପାଇକ ସମାବେଶ, ଶୋଭାଯାତ୍ରା, ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଓ ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି ପ୍ରମୁଖ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ତଥା ଦଳପତିମାନେ ଯୋଗଦେବେ।
ସେହି ଦିନ ମହିଳା ପାଇକ ବାହିନୀ ପାଇକ ଆଖଡ଼ା ପ୍ରଦର୍ଶନ କରି ପୁରୁଣା ବସଷ୍ଟାଣ୍ଡରୁ ବାହାରି ଜୟଦେବ ଭବନରେ ପହଂଚିବା ପରେ ସେଠାରେ ବିଜୟ ଉତ୍ସବ ପାଳନ କରିବା ସହିତ ସମଗ୍ର ରାଜ୍ୟରୁ ଆସିଥିବା ପାଇକ ସର୍ଦ୍ଦାର, ପାଇକ ଗୁରୁ, ପାଇକ ଆଖଡ଼ା ଦଳର ଅଧିନାୟକ ତଥା ସାମରିକ ପରମ୍ପରାର ଗବେଷକ ଓ ଦଳେଇ, ଦଳବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଦେଶ୍ୟରେ କୃତଜ୍ଞତା ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ପାଇକ ଆଖଡ଼ା ମହାସଂଘର ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଜଣାଇଛନ୍ତି।



