ଡେସ୍କ: ଗୀତଗୋବିନ୍ଦ ସଦନରେ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ମନୋନୀତ ସିନେ-ଗବେଷକ, ଲେଖକ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବିଶିଷ୍ଟ ଗବେଷକ ତଥା ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡ. ଶାନ୍ତନୁ ରଥ ଓ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଯୋଗଦେଇ ଶ୍ରୀ ଦେଓଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଦୈନିକ ସମ୍ବାଦପତ୍ର ‘ସର୍ବସାଧାରଣ’, ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ, ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ଓ ସୃଜନ ପ୍ରକାଶନ ସଂସ୍ଥାର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଡ. ଗୌରହରି ଦାସ, ଡ. ଅଜୟ ସ୍ୱାଇଁ, କବି ରକ୍ଷକ ନାୟକ, ଅଧ୍ୟାପକ ଅଭିରାମ ବିଶ୍ୱାଳ, ଅଭିନେତା ହରିହର ମହାପାତ୍ର, ଦେବପ୍ରସାଦ ଦାଶ, ଡ. ରଜନୀ ରଞ୍ଜନ, ଡ. ଅସିତ ମହାନ୍ତି, ଜିତେନ୍ଦ୍ର ମିଶ୍ର, ପ୍ରକାଶକ ବନୋଜ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖି ସୂର୍ଯ୍ୟ ଦେଓଙ୍କ ନିଷ୍ଠା, ଆନ୍ତରିକତା ଏବଂ ଗବେଷଣାର ଉଚ୍ଚ ପ୍ରଶଂସା କରି ତାଙ୍କୁ ପ୍ରଦତ ସମ୍ମାନ ଓଡ଼ିଶାବାସୀଙ୍କ ପାଇଁ ଗୌରବ ବୋଲି ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଦେଓଙ୍କ ରଚିତ ଓ ବିଶ୍ୱମୁକ୍ତି ପବ୍ଲିକେସନ୍ ପ୍ରକାଶିତ ‘ଓଡ଼ିଆ ସିନେମା ଗୀତ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।



