ଦାବି ପୂରଣ ପାଇଁ ଆଶା କର୍ମୀ ସଂଘର ଜିଲାପାଳ କାର୍ଯ୍ୟାଳୟ ଘେରାଉ
ଦାବି ପୂରଣ ନ ହେଲେ କାମ ବନ୍ଦ କରିବାର ଚେତାବନୀ
ସମ୍ବଲପୁର – ଆଶା କର୍ମୀ ମାନଙ୍କର ବିଭିନ୍ନ ସମସ୍ୟାର ଉପଯୁକ୍ତ ସମାଧାନ ପାଇଁ ପଶ୍ଚିମ ଓଡିଶା ଆଶା କର୍ମୀ ସଂଘ ତରଫରୁ ଦାବି କରାଯାଇ ଆସୁଛି । ତେବେ ଦାବି ପୂରଣ ହେଉ ନ ଥିବାରୁ ସୋମବାର ପୂର୍ବାହ୍ନରେ ପଶ୍ଚିମ ଓଡିଶା ଆଶା କର୍ମୀ ସଂଘ ତରଫରୁ ତୀବ୍ର ବିରୋଧ ପ୍ରଦର୍ଶନ ସହିତ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ସକାଳ ପ୍ରାୟ ୧୧ଟା ସମୟରେ ମ୍ୟୁନିସିପାଲିଟି ଛକ ସ୍ଥିତ ନାରସେବା ସଦନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆଶା କର୍ମୀ ମାନେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ସମ୍ବଲପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ଜିଲାପାଳଙ୍କୁ ଦାବି ପ୍ରଦାନ ପାଇଁ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ ପାଇଁ ଯିବା ସମୟରେ ପୁଲିସ ବାରଣ କରିଥିଲା । ଏଣୁ ଉତ୍ତ୍ୟକ୍ତ ଆଶା କର୍ମୀ ମାନେ ପୁଲିସ ସହିତ ଠେଲାପେଲା କରି ଜିଲାପାଳ କାର୍ଯ୍ୟାଳୟ ପରିସରକୁ ଧସେଇ ହୋଇ ପ୍ରବେଶ କରିଥିଲେ ।
ଜିଲାପାଳ ଅନୁପସ୍ଥିତ ଥିବାର ଜାଣି କାର୍ଯ୍ୟାଳୟ ପରିସରରେ ଆଶା କର୍ମୀ ମାନେ ବସି ଯାଇ ତୀବ୍ର ବିରୋଧ ପ୍ରଦର୍ଶନ କରିବା ସହିତ ଯଦି ଆଗାମୀ ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହୁଏ, ତାହା ହେଲେ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ (ସାଧାରଣ) ଅଜମ୍ବର ମହାନ୍ତି ବିକ୍ଷୋଭକାରୀଙ୍କ ନିକଟରୁ ଦାବିପତ୍ର ଗ୍ରହଣ କରି ବିହିତ ପଦକ୍ଷେପ ନିଆଯିବାର ପ୍ରତିଶୃତି ଦେଇଥିଲେ ।
ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସମ୍ବଲପୁର ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଏନଏଚଏମ ଯୋଜନାକୁ ସ୍ଥାୟୀ କରିବା ସହିତ ଆଶା କର୍ମୀ ମାନଙ୍କୁ ସରକାରୀ ମାନ୍ୟତା, ଶ୍ରମ ସମ୍ମିଳନୀର ସୁଫାରିଶ ଅନୁଯାୟୀ ୨୧ ହଜାର ଟଙ୍କା ଭତ୍ତା, ୩ ହଜାର ଟଙ୍କା ଅବସରକାଳୀନ ଭତ୍ତା, ସ୍ୱତନ୍ତ୍ର କୋଭିଡ ଭତ୍ତାକୁ ଚାଲୁ ରଖିବା, ସମସ୍ତ ବୀମା ଯୋଜନାରେ ସାମିଲ, ଡାକ୍ତରଖାନାରେ ଆଶା ଗୃହ ନିର୍ମାଣ, ଆଶା କର୍ମୀ ଙ୍କୁ ରାତ୍ରିକାଳୀନ କାର୍ଯ୍ୟ ସମୟରେ ରାତ୍ରିକାଳୀନ ଭତ୍ତା ପ୍ରଦାନ, ଗାଁ କଲ୍ୟାଣ ସମିତିର ପାରିଶ୍ରମିକ ବୃଦ୍ଧି, ଆଶା କର୍ମୀଙ୍କ ପ୍ରୋତ୍ସାହନ ରାଶିକୁ ପ୍ରତି ମାସର ୧୦ ତାରିଖ ସୁଦ୍ଧା ପ୍ରଦାନ, କୋଭିଡ ଟିକାକରଣରେ ସହାୟତା କରୁଥିବା କର୍ମୀଙ୍କୁ ପ୍ରୋତ୍ସାହନ ରାଶି, ଆଶା କର୍ମୀ ଙ୍କ ୟୁନିଫର୍ମକୁ ଅନ୍ୟ ସ୍ଥାନରେ ବ୍ୟବହାର ନ କରିବା, କର୍ମୀ ଙ୍କୁ ବିଭିନ୍ନ ଡାକ୍ତରଖାନାରେ କରାଯାଉଥିବା ଦୁର୍ବବ୍ୟବହାର ବନ୍ଦ କରିବା ସମେତ ଅନ୍ୟ ଦାବି ଗୁଡିକୁ ପୂରଣ ସକାଶେ ସଂଘ ଦାବି କରିଛି । ଆବହକ ପ୍ରଶାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ ପରେ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହା ପରେ ଏକ ବିଶାଳ ରାଲିରେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ସଂଘର କର୍ମୀ ମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରଦତ୍ତ ଦାବିପତ୍ରରେ ସଭାନେତ୍ରୀ ଲକ୍ଷ୍ମୀ ମହାରଣା, ସାଧାରଣ ସମ୍ପାଦିକା ଯାଜ୍ଞସେନୀ ପ୍ରଧାନ, ସଂଯୋଜିକା ମମତା ଖଣ୍ଡାୟତ, ହୀରାବତୀ ପ୍ରଧାନ, ରେବତୀ ନାୟକ, ସଞ୍ଜିତା ସିଂ, ସଞ୍ଜୁଲତା ପରିଡା, ସନ୍ଧ୍ୟାରାଣୀ ସେଠୀ, ଦିପ୍ତିମୟୀ ମହାପାତ୍ର ଙ୍କ ସମେତ ଅନେକ କର୍ମୀଙ୍କ ଦସ୍ତଖତ ରହିଛି ।
Comments are closed.