ଲାଞ୍ଜିଗଡ଼: ଗତ କିଛିଦିନ ହେଲା କଂଗ୍ରେସରେ ଉତ୍ସବର ମାହୋଲ ଦେଖାଦେଇଛି। ବିଜେଡି ଓ ବିଜେପିର ଅସନ୍ତୁଷ୍ଟ କର୍ମୀମାନେ ଗୋଟିଏ ପରେ ଗୋଟିଏ ନିଜ ଦଳ ଛାଡି କଂଗ୍ରେସ ମୁହାଁ ହେଉଛନ୍ତି । ଗତ ୧୯ ତାରିଖରେ ଭାବାନୀପାଟଣା ସ୍ଥିତ ଏସଏନ କନଫେରନ୍ସ ହଲରେ ଲାଞ୍ଜିଗଡ ବ୍ଲକର ୨୫୦ରୁ ଅଧିକ ବିଜେଡି ଓ ବିଜେପି କର୍ମୀ କଂଗ୍ରେସରେ ଯୋଗଦେଇଥିଲେ। ଆଜି ପୁଣି ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ବସନ୍ତପଡା ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ସମ୍ବର୍ଦ୍ଧନା ସଭା ଓ ମିର୍ଶଣ ପର୍ବରେ ଲାଞ୍ଜିଗଡ ବ୍ଲକର ୫ଗୋଟି ପଞ୍ଚାୟତ ଛତ୍ରପୁର, ବିଜେପୁର, କମର୍ଦ୍ଧା, ମାଳିଯୁବାଙ୍ଗ ଓ ଲାଖବାହଲିର ୧୨୦ରୁ ଅଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇଥିଲେ। ଏପରି ଗୋଟିଏ ପରେ ଗୋଟିଏ ବିଜେଡି କର୍ମୀ ଦଳ ଛାଡୁଥିବା ବେଳେ ବିଜେଡି ଶିବିରରେ ତର୍କବିତର୍କ ଲାଗି ରହିଛି। ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରି ଗଡ ସମ୍ଭାଳି ପାରୁ ନଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି।
ଲାଞ୍ଜିଗଡ ବ୍ଲକ ବିଜେଡିରେ ହାତ ଗଣତି ଚାରିରୁ ପାଞ୍ଚଜଣ ବିଜେଡିରେ ରହି ଏକ ଛତ୍ରବାଦ ଶାସନ କରୁଥିବାରୁ ବ୍ଲକ ବିଜେଡିରେ ଗୋଷ୍ଠି କନ୍ଦଳ ସୃଷ୍ଟି ହେଉଛି। ବିଧାୟକଙ୍କ ପାଖ ଲୋକ ବୋଲାଉଥିବା କିଛି ମୁଷ୍ଟିମେୟ ବ୍ୟକ୍ତି ଯୋଗୁଁ ବ୍ଲକ ବିଜେଡି ଶିବିରରେ ଏହି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଗୋଟିଏ ପରେ ଗୋଟିଏ କର୍ମୀ ବିଜେଡି ଛାଡିବା ଦଳପାଇଁ ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି। ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେବା ପରେ ଲାଞ୍ଜିଗଡ କଂଗ୍ରେସ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଜିଲା କଂଗ୍ରେସ ସଭାପତି ଭାରତ ଭୁଷଣ ବେମାଲ ଓ ଜିଲା ଉପସଭାପତି ପରମାନନ୍ଦ ମାଝୀଙ୍କ ଉପସ୍ଥିତିରେ ଶତାଧିକ ବିଜେଡି ଓ ବିଜେପି କର୍ମି କଂଗ୍ରେସରେ ମିଶିଥିଲେ। ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ଦଳକୁ ସ୍ୱାଗତ କରି ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ପରିପ୍ରେକ୍ଷିରେ କଂଗ୍ରେସର ସମସ୍ତ କର୍ମୀ ଏକଜୁଟ ହେବାର ଆବଶ୍ୟକତା ରହିଛି ଆଗାମି ୨୦୨୪ ବିଧାନସଭା ନିର୍ବାଚନରେ କିଭଳି ବିପୁଳ ଭୋଟରେ ଆମ ପ୍ରାର୍ଥୀ ବିଜୟଲାଭ କରିବ ସେ ନେଇ ଅଞ୍ଚଳର ବିକାଶ ଦିଗରେ କାମ କରିବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ଜିଲା ସଭାପତି ଭାରତ ଭୂଷଣ ବେମାଲ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ଅଧ୍ୟକ୍ଷତାରେ ଏହି କର୍ମୀ ସମ୍ମିଳନି ତଥା ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସର ପରିଷ୍ଠ ଯୁବନେତା ତଥା ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ଗୋପାଳ ଦାସ ମହାନନ୍ଦ, ବିଜୟ ନାଏକଙ୍କ ତତ୍ୱାବଧାନରେ ଏହି ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣପର୍ବରେ ବିଭୁତି ଭୁଷଣ କୁମାର, ଦିବା କାଣ୍ଡବିନ୍ଧା, ମଧୁସୁଦନ ଦଣ୍ଡସେନା, ସାନ୍ଦୁ ମାଝୀ, ଭୁବନ ମାଝୀ, ରାମକୃଷ୍ଣ ନାଏକ, ବିପିନ ନଏକ ପ୍ରମୁଖ ଯୋଗଦେଇଥିବା ବେଳେ ଗୋପାଳଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।



