ଗ୍ରାମାଞ୍ଚଳରେ ବଣ୍ଟନ ହେବ କୋର କାର୍ବନ ଚୁଲା

ସମ୍ବଲପୁର: ବର୍ତ୍ତମାନର କ୍ରମବର୍ଦ୍ଧିଷ୍ଣୁ ଜନ ସଂଖ୍ୟା ଓ ବିକାଶ ପାଇଁ ଶିଳ୍ପ, ଯାନବାହାନ ଆଦିର ବହୁଳ ବ୍ୟବହାର ହେଉଛି । ଏଣୁ ଅତ୍ୟଧିକ ଅଙ୍ଗାରକାମ୍ଲ ସୃଷ୍ଟି ପାଇଁ ସବୁଜ ଗୃହ ଉପରେ ଏବେ ପ୍ରବଳ ଚାପ ସୃଷ୍ଟି ଯୋଗୁଁ ଜୀବନ ଓ ଜୀବିକା ବିପନ୍ନ ହେବାରେ ଲାଗିଛି । ଏଣୁ ଏହାକୁ ଧ୍ୟାନରେ ରଖି ବେସରକାରୀ କମ୍ପାନୀ ‘କୋର କାର୍ବୋନକ୍ସ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ’ ପକ୍ଷରୁ ପରିବେଶ ସୁରକ୍ଷା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ କମ୍ପାନୀ ପକ୍ଷରୁ ବିଶ୍ୱର ୧୭ଟି ଦେଶ ସମେତ ଭାରତର ୨୦ଟି ରାଜ୍ୟରେ ଏବେ ‘କୋର କାର୍ବନ ଚୁଲା’ ଗରିବ ଜନତାଙ୍କୁ ମାଗଣାରେ ବଣ୍ଟନ କରାଯାଉଛି ।

prayash

ସମ୍ବଲପୁର ଜିଲାରେ ପ୍ରଥମ ଥର ପାଇଁ ଏହି ଚୁଲାର ବଣ୍ଟନ ପାଇଁ ବୁଧବାର କମ୍ପାନୀର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭିଏସଏସ ମାର୍ଗ ଠାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲାର ୯ ବ୍ଲକର ୨୪ ଜଣ କାର୍ବନ ସାଥି ମାନଙ୍କୁ ଏହି ଚୁଲାର ବିଶେଷତ୍ୱ ଓ ଯୋଜନା ସର୍ମ୍ପକରେ ଆଲୋକପାତ କରାଯାଇଥିଲା । ଏହି ଚୁଲା ପାରମ୍ପରିକ ଚୁଲା ତୁଳନାରେ ପ୍ରାୟ ୭୫ ପ୍ରତିଶତ କମ କାଠରେ କମ ଧୂଆଁ ଓ ସମୟରେ ରୋଷେଇ କରିବାରେ ଫଳପ୍ର୍‌ଦ ଅଟେ । ଏହି ଚୁଲା ଜଙ୍ଗଲ ସୁରକ୍ଷା ଦିଗରେ ବେଶ ସହାୟ ହେବ । ଏହି ଚୁଲାକୁ ପ୍ରାଥମିକ ସ୍ତରରେ ଗ୍ରାମାଞ୍ଚଳରେ ରହୁଥିବା ଗରିବ, ଅସହାୟ ମାନଙ୍କୁ ମାତ୍ର ୧୦୦ ଟଙ୍କାର ପଞ୍ଜୀକରଣ ରାଶି ବଦଳରେ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ ।

ଏଥି ସହ ଏହି ଉନ୍ନତ ଚୁଲାକୁ ୪ ବର୍ଷ ବ୍ୟବହାର କରିଥିବା ବ୍ୟବହାରକାରୀଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ପରିଚାଳକ ଅପୂର୍ବ ଦାଶ, ଆଞ୍ଚଳିକ ପରିଚାଳକ ସରୋଜ କୁମାର ମହାନ୍ତି, ବରିଷ୍ଠ ପରାମର୍ଶଦାତା ଆଶିଷ ଦାସ, ସମ୍ବଲପୁର ଜିଲା ସଂଯୋଜକ ପବିତ୍ର କୁମାର ସ୍ୱାଇଁ ଓ ବିପ୍ଲବ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । କମ୍ପାନୀ ତରଫରୁ ଆଗାମୀ ଦିନରେ ମାତ୍ର ୧୦୦ ଟଙ୍କା ପଞ୍ଜୀକରଣ ରାଶି ନିଆଯାଇ ୧୦ ଲକ୍ଷ ଚୁଲା ବଣ୍ଟନ କରିବାର ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ୱାରା ପରିବେଶ ସୁରକ୍ଷାରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ସୂଚନା ଦିଆଯାଇଛି ।

kalyan agarbati

Comments are closed.