ଇନ୍ଦ୍ରାବତୀ ଜଳଭଣ୍ଡାରର ୫ ଫାଟକ ଅଚଳ ଶୋଇଛି ; ଓଏଚ୍‌ପିସି; ବିପଦରେ ତଳିଆ ଅଞ୍ଚଳ

ଇନ୍ଦ୍ରାବତୀ :  ଇନ୍ଦ୍ରାବତୀ ଜଳଭଣ୍ଡାର ପ୍ରତି ବଢିଛି ବିପଦ। ୨୫ବର୍ଷ ପରେ ମଧ୍ୟ ଏଯାବତ ଜଳଭଣ୍ଡାରର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନି। ଉଭୟ ଇନ୍ଦ୍ରାବତୀ ଓ ମୁରାନ ଡ୍ୟାମର ଫାଟକ ଦୁର୍ବଳ ହେବାରେ ଲାଗିଛି। ୫ଟି ଫାଟକ ଅଚଳ ହୋଇଛି। ତଥାପି ବହୁବର୍ଷ ଧରି ଫାଟକ ମରାମତି ହେଉନି କିମ୍ବା ଜଳଭଣ୍ଡାର ସୁରକ୍ଷା ପ୍ରତି କୌଣସି ପଦକ୍ଷେପ ନ ନେବା ନେଇ ବିଶେଷଜ୍ଞ ମଣ୍ଡଳୀ ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ଇନ୍ଦ୍ରାବତୀ ମୁଖ୍ୟ ବନ୍ଧର ୭ଟି ଫାଟକ ମଧ୍ୟରୁ ୩ଟି ଫାଟକ ଅକାମୀ ହୋଇଥିବାବେଳେ ଉକ୍ତ ଫାଟକ ଦେଇ ପାଣି ଛାଡ଼ିବା ବିପଦ ସୃଷ୍ଟି କରିଛି। ପାଞ୍ଚବର୍ଷ ପୂର୍ବରୁ ଏ ନେଇ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇ ଇନ୍ଦ୍ରାବତୀ ବନ୍ଧର ତିନୋଟି ଏବଂ ମୁରାନ ବନ୍ଧର ଦୁଇଟି ଫାଟକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥୁଲା, କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଭଳି ସମ୍ବେଦନଶୀଳ ବିଷୟ ପ୍ରତି ଓଡ଼ିଶା ଜଳବିଦ୍ୟୁତ ନିଗମ ସମ୍ପୂର୍ଣ୍ଣ ଆଖି ବୁଜିଦେଇ ନବରଙ୍ଗପୁର ଜିଲାର ହଜାର ହଜାର ତଳି ଅଞ୍ଚଳବାସୀଙ୍କୁ ବିପଦ ମୁହଁକୁ ଠେଲିଥିବା ଅଭିଯୋଗ ହୋଇଛି।

prayash

ସେହିପରି ପାଞ୍ଚ ବର୍ଷ ପୂର୍ବେ ଇନ୍ଦ୍ରାବତୀ ବନ୍ଧର ୩ ନମ୍ବର, ୪ ନମ୍ବର ଏବଂ ୫ ନମ୍ବର ଫାଟକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହେବା ପରେ କାର୍ଯ୍ୟଭାର ଓସିସିକୁ ପ୍ରଦାନ କରି ନିକଟରେ ଫାଟକ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ବନ୍ଧର ଅନ୍ୟ ୪ ଫାଟକର ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହିଁ। ଏହିଭଳି ସ୍ଥିତିରେ ଯଦି ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିପାଏ ଏବଂ ଫାଟକ ଖୋଲିବାର ଆବଶ୍ୟକତା ପଡ଼େ ତେବେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ କିଏ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।
ଓଡ଼ିଶା ଜଳ ବିଦ୍ୟୁତ ନିଗମ କେବଳ ରକ୍ଷଣାବେକ୍ଷଣ ଦାୟିତ୍ବ ଜଳସମ୍ପଦ ବିଭାଗକୁ ଦେଇ ନିଶ୍ଚିନ୍ତ ହୋଇଯାଇଥିବାବେଳେ ଜଳ ସମ୍ପଦ ବିଭାଗ ମଧ୍ୟ ଏ ଦିଗରେ ଧ୍ୟାନ ଦେଉନାହିଁ ା ଜରୁରୀକାଳୀନ ପରିସ୍ଥିତିରେ ଡ୍ୟାମ ଅଞ୍ଚଳରୁ ବାହାରକୁ ଯୋଗାଯୋଗ ପାଇଁ ଅଦ୍ୟାବଧି ଟେଲିକମ୍ ସୁବିଧା ମଧ୍ୟ ନାହିଁ।
ଅନ୍ୟ କିଛି ଜରୁରୀକାଳୀନ ପରିସ୍ଥିତି ପାଇଁ ଜଳଭଣ୍ଡାର ନିକଟରେ ତୁରନ୍ତ ପହଞ୍ଚିବା ପାଇଁ ଯାତାୟାତ ସୁବିଧା ମଧ୍ୟ ନଷ୍ଟ ହୋଇସାରିଛି। ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ନଦୀ ବନ୍ଧ ଯୋଜନାର ସୁରକ୍ଷା ଦାୟିତ୍ବ କେବଳ ୪ରୁ ୫ଜଣ ଘରୋଇ ସୁରକ୍ଷା କର୍ମୀଙ୍କ ହାତରେ ଟେକିଦେଇଛନ୍ତି ଉଭୟ ବିଭାଗ। ଫାଟକ ଖୋଲିବା ପାଇଁ ଯେଉଁ ହାଇଡ୍ରୋଲିକ ସିଷ୍ଟମ ରହିଛି ତାହା ଆରମ୍ଭ ଦିନରୁ ହାଇଡ୍ରୋଲିକ ତେଲ ପରିବର୍ତ୍ତନ କିମ୍ବା ଗ୍ରିସିଂ ହୋଇ ନ ଥିବାବେଳେ ୫ ବର୍ଷ ପୂର୍ବେ ଅନୁଧ୍ୟାନ କରିବାକୁ ଆସିଥିବା ଦେଶର ଉଚ୍ଚସ୍ତରୀୟ ବିଶେଷଜ୍ଞ ମଣ୍ଡଳୀ ମୁରାନ ବନ୍ଧରେ ହାଇଡ୍ରୋଲିକ୍ ହଏଷ୍ଟ ସିଷ୍ଟମ ଆରମ୍ଭରୁ ଲାଗିନାହିଁ, ଯାହାକି ଜଳଭଣ୍ଡାର ପାଇଁ ବିପଦ ବୋଲି ସରକାରଙ୍କୁ ଅବଗତ କରି ରିପୋର୍ଟ ପ୍ରଦାନ କରିଥିଲେ। ଫାଟକ ଗୁଡିକର ଟ୍ୟୁନିୟନ ଫାଟିଥିବା ବେଳେ ଟ୍ରସ ଏବଂ ଟ୍ରସ ମଧ୍ୟରେ ଯେଉଁ ଛନ୍ଦା ପାଖରେ ଥିବା ୪ଟି ବଫେଟ ପ୍ଲେଟ କଟିଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।
ଏ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ବିଷୋୟୀଙ୍କୁ ଯୋଗାଯୋଗ କରିବାରୁ ୩ ନମ୍ବର ଫାଟକ ପରିବର୍ତ୍ତନ କାର୍ଯ୍ୟ ଜାରି ରହିଛି ା ଏହାପରେ ଅନ୍ୟ ଦୁଇ ଫାଟକ ପରିବର୍ତ୍ତନ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ ପୋଡ଼ାଗଡ଼ ଆଡିବନ୍ଧ ଦେଇ ଇନ୍ଦ୍ରାବତୀ ବନ୍ଧକୁ ସଂଯୋଗ କରୁଥିବା ଭିତର ରାସ୍ତା ଦେଇ ଗଲେ ନିକଟସ୍ଥ ପାହାଡ ମାଟି ଏବଂ ପଥର ଧସେଇ ପଶିବା ସହ ଜଳଭଣ୍ଡାର ପୋତି ହୋଇ ଯାଉଥିବା ସ୍ପଷ୍ଟ ବାରି ହେଉଛି। ନିକଟସ୍ଥ ପାହାଡ଼ରେ ବିପୁଳ ପରିମାଣର ଗଛ କଟା ଚାଲିଥିବାରୁ ପିଚୁ ରାସ୍ତା ଉପରେ ୧ଫୁଟ ବହଳର ମାଟି ଘୋଡାଇ ହୋଇ ମାଟି ଏବଂ ପଥର ଜଳଭଣ୍ଡାର ମଧ୍ୟକୁ ଧସେଇ ପଶୁଥିବା ଦେଖାଯାଉଛି। ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଜଳ ଭଣ୍ଡାର ଚତୁଃପାର୍ଶ୍ବ ଅନୁଧ୍ୟାନ କରି ପଦକ୍ଷପ ନେବା ସହ ୪ଟି ଗୁରୁତ୍ବପୂର୍ଣ୍ଣ କଂକ୍ରିଟ ବନ୍ଧ ଓ ମାଟି ବନ୍ଧ ସମେତ ୮ଟି ଡ଼ାଇକ୍ ଅଞ୍ଚଳର ସୁରକ୍ଷା ଦିଗରେ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।
ବିଦ୍ୟୁତ ଉତ୍ପାଦନ ଲାଭାଂଶର ୧୦ ପ୍ରତିଶତ ପାରିପାର୍ଶ୍ବିକ ବିକାଶ ନିମନ୍ତେ ବିନିଯୋଗ କରିବା କଥା ଭୁଲିଯାଇଛି ପ୍ରକଳ୍ପ ପ୍ରଶାସନ। ପ୍ରକଳ୍ପ ପ୍ରଶାସନିକ ଭବନ ଏବଂ ଇନ୍ଦ୍ରାବତୀ ପ୍ରକଳ୍ପ ପାରିପାର୍ଶ୍ବିକ ବିକାଶ ଦିଗରେ ମଧ୍ୟ ଜଳବିଦ୍ୟୁତ ନିଗମ ସମ୍ପୂର୍ଣ୍ଣ ବିଫଳ ା ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରେ ବିଦ୍ୟୁତ ଉତ୍ପାଦନକୁ ଛାଡି ଅନ୍ୟାନ୍ୟ କ୍ଷେତ୍ରରେ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ତାହାକୁ ଦେଖିଲେ ନିକଟ ଭବିଷ୍ୟତରେ ଫାଟକ ପରିବର୍ତ୍ତନ କାର୍ଯ୍ୟ ସରିବା ନେଇ ଆଶଙ୍କା ଦେଖାଦେଇଛି।

kalyan agarbati

Comments are closed.