ଶିକ୍ଷକ ଅଭାବୀ ଓ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ପରିଚାଳନା କମିଟି
ରେଙ୍ଗାଲିକ୍ୟାମ୍ପ: ନାହିଁ ନାହିଁରେ ଚାଲିଛି ଝିଲିମିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପିଲାଙ୍କ ଅନୁପାତରେ ନାହାନ୍ତି ଶିକ୍ଷକ । ବିଦ୍ୟାଳୟରେ ୩୬୦ ଜଣ ପିଲା ପଢୁଥିବା ବେଳେ ମାତ୍ର ୭ ଜଣ ଶିକ୍ଷକରେ ଚାଲିଛି ସ୍କୁଲ । ୭ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ସିଆରସିସି ମଧ୍ୟ ରହିଛନ୍ତି । ସରକାରୀ ନିୟମ ଅନୁଯାୟୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତ ଅନୁସାରେ ଏଠାରେ ୧୨ ଜଣ ଶିକ୍ଷକ ରହିବା ଆବଶ୍ୟକ । ହେଲେ ମାତ୍ର ୭ଜଣରେ ଚାଲିଛି ପାଠପଢ଼ା । ସବୁଠାରୁ ବଡ଼ କଥା ହେଉଛି ଏହି ୭ଜଣଙ୍କ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକଙ୍କ ବଦଳି ହେବା ପାଇଁ ମଧ୍ୟ ନିର୍ଦେଶ ରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।
ଏହାକୁ ବିରୋଧ କରି ପୂର୍ଣ୍ଣ ସଂଖ୍ୟକ ଶିକ୍ଷକ ପଦ ପୂରଣ କରିବା ପାଇଁ ଗ୍ରାମବାସୀ ତଥା ସ୍କୁଲ୍ ପରିଚାଳନା କମିଟି ଗତ ୫ ତାରିଖରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ ସେଠାରେ ଦୀର୍ଘ ସମୟ ଧରି ଅପେକ୍ଷା କଲାପରେ ମଧ୍ୟ କୌଣସି ଉଚ୍ଚ ପଦାଧିକାରୀଙ୍କ ଦେଖା ମିଳିନଥିଲା । ଫଳରେ ବାଧ୍ୟ ହୋଇ ମୁଖ୍ୟ କିରାଣୀଙ୍କୁ କହି ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖକୁ ଫୋନ କରିଥିଲେ । ଫୋନରେ ସେମାନେ ବି.ଇ.ଓଙ୍କୁ ସବୁକଥା ଜଣାଇଥିଲେ ଓ ମୁଖ୍ୟ କିରାଣୀଙ୍କ ଠାରେ ଦାବିପତ୍ର ପ୍ରଦାନ କରିବା ପାଇଁ କହିଥିଲେ । ପରେ ସେମାନେ କିରାଣୀଙ୍କୁ ଦାବିପତ୍ର ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବା ବେଳେ ବର୍ତ୍ତମାନ ଶିକ୍ଷକଙ୍କ ବଦଳିକୁ ବନ୍ଦ କରିବା ସହ ନୂତନ ଶିକ୍ଷକ ବିଦ୍ୟାଳୟରେ ନିଯୁକ୍ତି ଦେବାକୁ ବିଦ୍ୟାଳୟର ଫାଟକରେ ତାଲାପକାଇଛନ୍ତି ଅଭିଭାବକ ଓ ପରିଚାଳନା କମିଟି ।
ନିଜ ନିଜ ପିଲାଙ୍କ ଭବିଷ୍ୟତ ତଥା ବିଦ୍ୟାଳୟର ସ୍ଥିତିକୁ ସୁଦୃଢ଼ ରଖିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମାନେ ଏପରି କରିଥିବା କହିଛନ୍ତି । ପରେ ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଖବର ପାଇବା ପରେ ଫୋନ ମାଧ୍ୟମରେ ଶିକ୍ଷକଙ୍କ ବଦଳିକୁ ସ୍ଥଗିତ ରଖିବା ପାଇଁ ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲାଯାଇଥିଲା । କିନ୍ତୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଯଦି ତିନି ଜଣ ସରକାରୀ କର୍ମଚାରୀରେ ଚାଲୁଛି, ତେବେ ସ୍କୁଲ୍ କଥା ପଚାରେ କିଏ ? ଏମିତି ଅନେକ ବିଦ୍ୟାଳୟ ରେ ସମସ୍ୟା ରହିଛି ,ତେବେ ପାଠ ପଢାର ମାନ ବଢିବ କେମିତି? ଜଣେ ପିଲାର ଭବିଷ୍ୟତ ଆରମ୍ଭ ହୁଏ ପ୍ରାଥମିକ ବିଦ୍ୟାଳୟରୁ ।
ଏହି ପ୍ରାଥମିକ ସ୍ତରରେ ଯଦି ପିଲା ମାନଙ୍କର ପାଠ ପଢା ଉଜୁଡ଼ି ଯିବା ତେବେ ପରବର୍ତ୍ତୀ ସ୍ତରରେ ସେମାନଙ୍କ ଶିକ୍ଷା ମଜବୁତ୍ ହୋଇପାରିବ ନାହିଁ।ତେଣୁ ଶିକ୍ଷାର ପ୍ରାଥମିକ ସ୍ତରରେ ଥିବା ସବୁ ସମସ୍ୟାକୁ ଦୂର କରିବା ପାଇଁ ସରକାରଙ୍କ ବିଶେଷ ପ୍ରୟାସ ରହିବା ଦରକାର । ହେଲେ ଅଧିକାଂଶ ସ୍କୁଲ୍ ଗୁଡିକରେ ସମସ୍ୟା ଭିତରେ ପାଠପଢା ଚାଲିଛି । ତେଣୁ ସରକାରୀ ବିଦ୍ୟାଳୟ ପ୍ରତି ଲୋକଙ୍କ ଆସ୍ଥା କମିବାରେ ଲାଗିଛି । ଘରୋଇ ସ୍କୁଲ ଗୁଡିକରେ ପିଲା ସଂଖ୍ୟା ବଢ଼ିଚାଲିଛି । ଯାହା ସମସ୍ତଙ୍କ ପାଇଁ ବଡ ଅସନ୍ତୋଷର କାରଣ ପାଲଟିଛି ।
Comments are closed.