ଫିଟାଯିବ ରୁକ୍ମିଣୀଙ୍କ ଗଇଣ୍ଠାଳ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ମଙ୍ଗଳବାର ଶ୍ରୀମନ୍ଦିରକୁ ଫେରିବା ପରେ ଫିଟାଯିବ ରୁକ୍ମିଣୀ (ମହାଲକ୍ଷ୍ମୀ)ଙ୍କ ବିବାହ ସମୟର ଗଇଣ୍ଠାଳ। ଶ୍ରୀମନ୍ଦିର ଭଣ୍ଡାରଘର ସମ୍ମୁଖରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମହାଲକ୍ଷ୍ମୀ (ରୁକ୍ମିଣୀ)ଙ୍କ ବିବାହ ସମୟର ଗଇଣ୍ଠାଳ ଶାଢ଼ି ଦୁହିଁଙ୍କ ଉପରେ ପକାଯିବ। ଶ୍ରୀଜଗନ୍ନାଥ ଉତ୍ତର ଦିଗକୁ ଏବଂ ମହାଲକ୍ଷ୍ମୀ ଦକ୍ଷିଣକୁ ମୁହଁକରି ବସିବେ। ଭିତରଛ ସେବାୟତ ପ୍ରଭୁଙ୍କ ଗଇଣ୍ଠାଳ ଫିଟାଇବେ। ଏହାପରେ ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କୁ ବନ୍ଦାପନା କରାଯିବ। ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଜୁନ୍‌ ୧୧ତାରିଖ ଦିନ ରୁକ୍ମିଣୀଙ୍କୁ ହରଣ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ବିବାହ କରିଥିଲେ। ଚମ୍ପକ ଦ୍ବାଦଶୀରେ ନବବିବାହିତା ପତ୍ନୀଙ୍କୁ ସାଥୀରେ ଧରି ମହାପ୍ରଭୁ ନଗର ପରିକ୍ରମା (ଗୁଆଲିଯାତ୍ରା) କରିଥିଲେ।
ସ୍ନାନପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନକରି ମହାପ୍ରଭୁ ଜ୍ବରରେ ପୀଡ଼ିତ ହୋଇଥିଲେ। ଅଣସର ଘରେ ପ୍ରଭୁଙ୍କ ଗୁପ୍ତସେବା କରାଯାଇଥିଲା। ସୁସ୍ଥ ହେବାପରେ ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଘୋଷଯାତ୍ରା କରିଥିଲେ। ତେଣୁ ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ବିବାହ ସମୟରେ ଦୁହିଁଙ୍କ ଶାଢ଼ି ମଧ୍ୟରେ ପଡ଼ିଥିବା ଗଣ୍ଠି (ଗଇଣ୍ଠାଳ) ଏପର୍ଯ୍ୟନ୍ତ ଫିଟାଯାଇ ପାରିନାହିଁ।
ମହାପ୍ରଭୁ ମଙ୍ଗଳବାର ନୀଳାଦ୍ରି ବିଜେ କରିବା ପରେ ଗଇଣ୍ଠାଳ ଫିଟାଯିବା ସହ ଚତୁର୍ଥୀ ହୋମ ହେବା ପରମ୍ପରା ରହିଛି। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ କାଳିଆ ଠାକୁର ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ବିବାହ ପରେ ଗଇଣ୍ଠାଳ ନଫିଟାଇ ଏବଂ ମହାଲକ୍ଷ୍ମୀଙ୍କୁ ସାଥୀରେ ନନେଇ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀକୁ ବିଜେ କରିଥିଲେ। ଏଥିପାଇଁ ଜଗତ୍‌ଜନନୀ ମହାଲକ୍ଷ୍ମୀ ଅଭିମାନ କରିଛନ୍ତି। ଶ୍ରୀମନ୍ଦିରକୁ ଫେରିବା ପରେ ମହାପ୍ରଭୁ ମାନଭଞ୍ଜନ ପାଇଁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବା ପରମ୍ପରା ରହିଛି।

kalyan agarbati

Comments are closed.