ଝାଡା ବାନ୍ତି ପ୍ରଭାବିତ ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ
ସଂକ୍ରମିତଙ୍କ ବିଭିନ୍ନ ନମୂନା ସଂଗ୍ରହ
କଲମପୁର – ରବିବାର ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଚିଙ୍ଗିଡିପାସ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଇଥିବା ନେଇ ସୁଚନା ପାଇବା ପରେ ଘଟଣା ସ୍ଥଳରେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତିଶ ଝାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ପହଂଚି ରାତି ତମାମ ଆକ୍ରାନ୍ତ ଥିବା ୩ ଜଣଙ୍କ ଚିକିତ୍ସା ସମେତ ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାସହ ରାମ ମାଝୀ ଏବଂ ସୁଆଇ ମାଝୀ ନାମକ ଦୁଇ ଜଣ ଆକ୍ରାନ୍ତଙ୍କୁ ଡାକ୍ତରୀ ଦଳ ନିଜ ଉଦ୍ୟମରେ ଆଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ ।
ସୋମବାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ସ୍ୱତନ୍ତ୍ର ଚିକିତ୍ସକ ଦଳ ପ୍ରଭାବିତ ଚିଙ୍ଗିଡିପାସ ଗ୍ରାମରେ ପହଂଚି ଆକ୍ରାନ୍ତ ମାନଙ୍କ ବିଭିନ୍ନ ନମୂନା ସହ ସେମାନେ ବ୍ୟବହାର କରୁଥିବା ପାଣି ର ନମୂନା ସଂଗ୍ରହ କରିଛନ୍ତି । ଏହି ସମସ୍ତ ଆକ୍ରାନ୍ତ ନିକଟରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅଧିନସ୍ଥ ଟିକିରି ଅଂଚଳକୁ କୌଣସି ଏକ ଉତ୍ସବ ରେ ଯୋଗ ଦେଇ ଭୋଜି ଖାଇ ଫେରିଥିଲେ । ଏହାପରେ ସେମାନେ ଏହି ରୋଗରେ ଆକ୍ରାନ୍ତ ହେଇଥିବା ପ୍ରାଥମିକ ତଦନ୍ତରୁ ସୁଚନା ମିଳିଥିବା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତିସ ଝା ସୁଚନା ଦେଇଛନ୍ତି । ଅନ୍ୟପଟେ ଯେଉଁ ବ୍ୟକ୍ତିଙ୍କ ଝାଡା ବାନ୍ତିରେ ମୃତ୍ୟୁ ହେଇଥିବା ଅଭିଯୋଗ ହେଉଛି ତାହାକୁ ମଧ୍ୟ ଖଣ୍ଡନ କରିଛନ୍ତି ଡାକ୍ତର ଝା ।
ଅନ୍ୟପଟେ ରାତିରେ ଗୁରୁତର ଅବସ୍ଥାରେ ନିଜ ଉଦ୍ୟମରେ ଦୁଇ ଜଣ ଆକ୍ରାନ୍ତଙ୍କୁ ଅଣାଯାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲେ ମଧ୍ୟ ସେମାନେ କେଉଁ ପରିସ୍ଥିତିରେ ସ୍ୱାସ୍ଥ୍ୟ କେନ୍ଦ୍ରର କାହାକୁ କିଛି ନଜଣାଇ ଘରକୁ ଫେରିଯାଇଛନ୍ତି । ଅନ୍ୟପଟେ ରାମ ମାଝୀ ପ୍ରୋଷ୍ଟେଟ ରୋଗରେ ଆକ୍ରାନ୍ତ ହେଇଥିବା ଡାକ୍ତର ଝା ସୁଚନା ଦେଇଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ଅଭାବ କାରଣରୁ ଏଭଳି ସମସ୍ୟା ଦେଖା ଦେଉଥିବା ଆଲୋଚନା ହେଉଛି ।
Comments are closed.