ସମସ୍ୟା ଘେରରେ ପାଞ୍ଚ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ
ଅଭାବି ଶିକ୍ଷକ ଓ କର୍ମଚାରୀରେ ପାଠପଢା, ଗୁଣାତ୍ମକ ଶିକ୍ଷା ବାଟବଣା
ବାଙ୍କୀ : ବିଦ୍ୟାଳୟ ସୈାନ୍ଦର୍ଯ୍ୟୀକରଣ, ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଶିକ୍ଷା ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏଥି ପାଇଁ ଶିକ୍ଷକ ମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ,ବିଦ୍ୟାଳୟରେ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ପ୍ରଦାନ, ସୃଜନଶୀଳ ଦକ୍ଷତା ବୃଦ୍ଧି ପାଇଁ ବ୍ୟବସ୍ଥା ମଧ୍ୟ ଅନୁରୂପ ବିକାଶ ଧାରା ହୋଇଛି । ମାତ୍ର ବିଡମ୍ବନାର ବିଷୟ ବାଙ୍କୀ-ଡମପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଗୋପାଳପୁର ପଞ୍ଚାୟତ ଅଧିନ ପାଟପୁର ସ୍ଥିତ ସିଂହନାଥ ଦେବ ବିଦ୍ୟାପୀଠ ଏବଂ ୧୯୮୪ ମସିହାରେ ସ୍ଥାପିତ ଢଁସର କୃଷକ ହାଇସ୍କୁଲ, କୁଶପଙ୍ଗୀ ପଞ୍ଚାୟତ ଅଧିନ ଅରାଚଣ୍ଡୀ ବିଦ୍ୟାପୀଠ, ନିସ୍ତିପୁରର ନାନାବିଧ ସମସ୍ୟା ଘେରରେ ଗୁଣାତ୍ମକ ଶିକ୍ଷା ବାଟବଣା ହେଉଛି।
ରାଜ୍ୟ ସରକାରଙ୍କ ୬୧୦ ଯୋଜନାରେ ଅନ୍ତର୍ଭୁକ୍ତ ଏହି ସରକାରୀ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହାଇସ୍କୁଲରେ ଅଭାବୀ ଶିକ୍ଷକ ଓ କର୍ମଚାରୀରେ ପାଠପଢା ଚାଲିଛି । କୌଣସି ଶିକ୍ଷକ ପୁନଃ ନିଯୁକ୍ତି ନହେବାରୁ ବିଦ୍ୟାଳୟର ପାଠପଢା ବାଧା ପ୍ରାପ୍ତ ହେବା ସହିତ ପରେ ପରେ ବିଦ୍ୟାଳୟରୁ ଉପସ୍ଥାନ ହ୍ରାସ ହେଉଛି । ବିଦ୍ୟାଳୟର ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ ପାଇଛି । ଏବେ ସ୍ଥାନୀୟ ସିଂହନାଥ ଦେବ ବିଦ୍ୟାପୀଠରେ ୨ଜଣ ଶିକ୍ଷକ । ୯ମ ଓ ୧୦ମ ଶେଣୀର ମୋଟ ୧୦୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେହିଭଳି ଅରାଚଣ୍ଡି ବିଦ୍ୟାପୀଠରେ ୭ ଶିକ୍ଷକ ପଦବୀ ଖାଲି । ଜଣେ ଶିକ୍ଷକରେ ପାଠପଢା। ଦୀର୍ଘ ଦିନ ହେବ କିରାଣୀ ନାହାନ୍ତି । ୯୯ଜଣ ବିଦ୍ୟାର୍ଥୀଙ୍କ ୯ମ ଓ ୧୦ମ ୨ଟି ଶ୍ରେଣୀ । ଜଣେ ଶିକ୍ଷକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିକଟରେ ଉଦଘାଟିତ ହୋଇଥିବା ୫-ଟି ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାକୁ ଉପହାସ କରୁଛି । ସ୍ଥାନୀୟ ଢଁସର କୃଷକ ହାଇସ୍କୁଲର ସମସ୍ୟା ମଧ୍ୟ ସଂକଟରେ ଥିବା ଅଭିଯୋଗ ଆସିଛି । ୯ମ ଓ ୧୦ମ ଶ୍ରେଣୀରେ ଏହି ବିଦ୍ୟାଳୟରେ ମଧ୍ୟ ୧୫୦ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । ୮ ଶିକ୍ଷକ ପଦବୀ ମଧ୍ୟରୁ ୩ ପଦବୀ ଖାଲି।
ସେହିପରି ବାଙ୍କୀ ବ୍ଲକ ଅଧିନ ଅନ୍ଧାରୁଆ ସ୍ଥିତ ୧୯୮୨ ମସିହାରେ ସ୍ଥାପିତ ମନମୋହନ ବିଦ୍ୟାପୀଠ ଏବଂ ସ୍ଥାନୀୟ ବାଲି ପାହାଡ ସ୍ଥିତ ସାଧବ ସମାଜ ବିଦ୍ୟାନିକେତନର ସମସ୍ୟା ଓ ସ୍ଥିତି ସମାନ। ମନମୋହନ ବିଦ୍ୟାପୀଠର ୯ମ ଓ ୧୦ମ ଶ୍ରେଣୀର ୯୧ଜଣ ବିଦ୍ୟାର୍ଥୀଙ୍କ ପାଠପଢା ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି । ୫ ଶିକ୍ଷକ ପଦବୀ ଖାଲି । ଚଳିତ ମାସରେ ସଂସ୍କୃତ ଶିକ୍ଷକ ଅବସର ଗ୍ରହଣ କଲା ପରେ ୨ଜଣ ଶିକ୍ଷକ ପଢାଇବେ ପାଠ । ସେହିପରି ସାଧବ ସମାଜ ବିଦ୍ୟାନିକେତନର ୧୦୭ଜଣ ବିଦ୍ୟାର୍ଥୀଙ୍କୁ ପାଠପଢାବା ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି । ୮ ଶିକ୍ଷକ ସ୍ଥାନରେ ୫ ପଦବୀ ଖାଲି। କ୍ରୀଡା ଶିକ୍ଷକ, କଳା ଓ ବିଜ୍ଞାନ ଶିକ୍ଷକ ନଥିବାରୁ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡା ସ୍ଥିତ ବାଟବଣା ହେଉଥିବା ଅଭିଯୋଗ ହେଉଛି । ଦିନକୁ ଦିନ ଅଭିଭାବକ ମହଲରେ ଅସନ୍ତୋଷ ବଢୁଛି । ଏଣୁ ଶିକ୍ଷା ବିଭାଗ ଏବଂ ଉଚ୍ଚ କର୍ତ୍ତୃପକ୍ଷ ବାଙ୍କୀ-ଡମପଡା ବ୍ଲକରେ ୩ଗୋଟି ଏବଂ ବାଙ୍କୀ ବ୍ଲକ ଅଧିନ ୨ଗୋଟି କରି ମୋଟ ୫ ଗୋଟି ହାଇସ୍କୁଲର ଆବଶ୍ୟକୀୟ ପଦବୀ ପୂରଣ କରି ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହଯୋଗର ହାତ ବଢାଇବା ପାଇଁ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀ, ଅଭିଭାବକ ଓ ବୁଦ୍ଧିଜିବୀ ଅନୁରୋଧ କରିଛନ୍ତି।
Comments are closed.